ତପସ୍ୟା ଫାଉଣ୍ଡେସନ୍ ସାହିତ୍ୟ ପୁରସ୍କାର-୨୦୨୨ ଘୋଷିତ

● ଦେବ୍ରାଜ ଲେଙ୍କା, ନିଗମାନନ୍ଦ ଷଡ଼ଙ୍ଗୀ, ରଞ୍ଜନା ପାଢ଼ୀ ଓ ଯୀଶୁକ୍ରିଷ୍ଣ ଦାସ ପାଇବେ ପୁରସ୍କାର

● ସୂର୍ଯ୍ୟ ମିଶ୍ରଙ୍କୁ ପ୍ରଥମ ତପସ୍ୟା ଫାଉଣ୍ଡେସନ ଫେଲୋସିପ୍

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୨ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ବର୍ଷିୟାନ ସାହିତ୍ୟିକ ଦେବ୍ରାଜ ଲେଙ୍କାଙ୍କୁ ‘ତପସ୍ୟା ଶାଶ୍ଵତ ପୁରସ୍କାର-୨୦୨୨’, ନିଗମାନନ୍ଦ ଷଡ଼ଙ୍ଗୀ ଓ ରଞ୍ଜନା ପାଢ଼ୀଙ୍କୁ ଯୁଗ୍ମ ଭାବେ ‘ତପସ୍ୟା ସୃଜନ ପୁରସ୍କାର-୨୦୨୨’, ଏବଂ ତରୁଣ ଲେଖକ ଯୀଶୁକ୍ରିଷ୍ଣ ଦାସଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର-୨୦୨୨’ରେ ସମ୍ମାନିତ କରାଯିବ ବୋଲି ଘୋଷଣା କରାଯାଇଛି। ପୁରସ୍କାର ଚୟନ କମିଟି ସୁପାରିସ ଆଧାରରେ ଏହି ପ୍ରତିଭାମାନଙ୍କ ନାମ ଚୂଡ଼ାନ୍ତ କରାଯାଇଛି। ଏହା ବ୍ୟତୀତ ଏଥର ନୂତନ ଭାବେ ଏକ ଫେଲୋସିପ୍ ପ୍ରବର୍ତ୍ତନ କରାଯାଇଛି। ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କୁ ଏହି ଫେଲୋସିପ୍ ପ୍ରଦାନ କରାଯିବ। ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ଜୁଲି ମିଶ୍ର।

Omkar Vasthu
Omkar Vasthu

ବର୍ଷିୟାନ ସାହିତ୍ୟିକ ଦେବ୍ରାଜ ଲେଙ୍କାଙ୍କୁ ଜୀବନବ୍ୟାପୀ ସାଧନା ନିମନ୍ତେ, ନିଗମାନନ୍ଦ ଷଡ଼ଙ୍ଗୀ ଓ ରଞ୍ଜନା ପାଢ଼ୀଙ୍କୁ ସେମାନଙ୍କ ପୁସ୍ତକ “ଗାଁ ଛାଡ଼ିବୁ ନାହିଁ” ପାଇଁ ଯୁଗ୍ମ ଭାବେ ପୁରସ୍କୃତ କରାଯିବା ବେଳେ ଯୀଶୁକ୍ରିଷ୍ଣଙ୍କୁ ପୁସ୍ତକ ପ୍ରକାଶିତ ହୋଇନଥିବା ୩୦ ବର୍ଷରୁ କମ୍ ବୟସର ଲେଖକ ବର୍ଗରେ ପୁରସ୍କୃତ କରାଯିବ। ଖୁବଶୀଘ୍ର ଆୟୋଜିତ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ପୁରସ୍କୃତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଏହି ସାହିତ୍ୟିକମାନଙ୍କୁ ପୁରସ୍କାର ବାବଦରେ ଯଥାକ୍ରମେ ୫୦ ହଜାର, ୩୦ ହଜାର ଓ ୨୦ ହଜାର ଟଙ୍କା, ମାନ ଫଳକ ଏବଂ ଉପାୟନ ପ୍ରଦାନ କରାଯିବ। ସେହିପରି ଏବର୍ଷଠାରୁ ନୂତନ ଭାବେ ତପସ୍ୟା ଫାଉଣ୍ଡେସନ ଫେଲୋସିପ୍ ପ୍ରବର୍ତ୍ତନ କରାଯାଇଛି। ବିଶିଷ୍ଟ କବି ସୂର୍ଯ୍ୟ ମିଶ୍ରଙ୍କୁ ପ୍ରଥମ ଫେଲୋସିପ୍ ପ୍ରଦାନ କରାଯିବ। ‘ଭାରତୀୟ ଭକ୍ତି କବିତା’ ଶୀର୍ଷକ ପ୍ରକଳ୍ପରେ ସେ ଗବେଷଣା କରିବେ। ଫେଲୋସିପ୍ ବାବଦରେ ତାଙ୍କୁ ୧୦ ହଜାର ଟଙ୍କା ପ୍ରଦାନ କରାଯିବ ଏବଂ ଫାଉଣ୍ଡେସନ ଅର୍ଥରେ ଏହି ପ୍ରକଳ୍ପର ପୁସ୍ତକ ପ୍ରକାଶ କରାଯିବ ବୋଲି ଶ୍ରୀମତୀ ମିଶ୍ର ପ୍ରକାଶ କରିବା ସହିତ ପୁରସ୍କୃତ ହେବାକୁ ଥିବା ଲେଖକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Pearl dental clinic
Near Ashish Medical Store, Bhawanipatna

ସୂଚନାଯୋଗ୍ୟ, ଓଡ଼ିଆ ସାହିତ୍ୟ ପ୍ରତି ଅବଦାନ ଥ‌ିବା ତିନି ପିଢ଼ିର ସାହିତ୍ୟିକଙ୍କୁ ଉତ୍ସାହିତ କରିବା ପାଇଁ ୨୦୧୮ ମସିହାରୁ ତପସ୍ୟା ଫାଉଣ୍ଡେସନ ପକ୍ଷରୁ ଏହି ପୁରସ୍କାର ପ୍ରବର୍ତନ କରାଯାଇଛି। ୨୦୧୮ ମସିହା ପାଇଁ ବିଭୂତି ଭୂଷଣ ପ୍ରଧାନଙ୍କୁ (ମରଣୋତ୍ତର ଭାବେ) ‘ତପସ୍ୟା ଶାଶ୍ୱତ ପୁରସ୍କାର’, ଭୀମ ପୃଷ୍ଟିଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’ ଏବଂ ନିଖିଳେଶ ମିଶ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ ପ୍ରଦାନ କରାଯାଇଥିବା ବେଳେ ୨୦୧୯ ମସିହା ପାଇଁ ନାରାୟଣ ଚନ୍ଦ୍ର ରାୟ ମହାପାତ୍ରଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର’, ସୂର୍ଯ୍ୟ ଦେଓଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’ ଏବଂ ଡିଲେଶ୍ଵର ରଣାଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ ଦିଆଯାଇଥିଲା। ଅନ୍ୟପକ୍ଷରେ ୨୦୨୦ ମସିହା ପାଇଁ ପ୍ରଫେସର ଡକ୍ଟର ବାଉରୀବନ୍ଧୁ କରଙ୍କୁ ମରଣୋତ୍ତର ଭାବେ ‘ତପସ୍ୟା ଶାଶ୍ୱତ ପୁରସ୍କାର’, ଡକ୍ଟର ଦେବାଶିଷ ପାତ୍ରଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’, ଏବଂ ସୁଶ୍ରୀ ସଂଘମିତ୍ରା ଭୂତିଆଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା। ସେହିପରି ୨୦୨୧ ମସିହା ପାଇଁ ବରିଷ୍ଠ ସାହିତ୍ୟିକ ଅଚ୍ୟୁତାନନ୍ଦ ପତିଙ୍କୁ ‘ତପସ୍ୟା ଶାଶ୍ଵତ ପୁରସ୍କାର’, ଯୁବ ସାହିତ୍ୟିକ ତଥା ସାମ୍ବାଦିକ ଡକ୍ଟର ରଞ୍ଜନ ପ୍ରଧାନଙ୍କୁ ‘ତପସ୍ୟା ସୃଜନ ପୁରସ୍କାର’, ଏବଂ ତରୁଣ ଲେଖକ ପରମବୀର ଚକ୍ରଙ୍କୁ ‘ତପସ୍ୟା ସମ୍ଭାବନା ପୁରସ୍କାର’ରେ ସମ୍ମାନିତ କରାଯାଇଥିଲା।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.