ଗଜପତି ଜିଲ୍ଳା ମୋହନାରୁ ଚାଲାଣ ହେଉଥିଲା ଝାରଖଣ୍ଡର ହାଟିଆକୁ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଓଡିଶାରୁ ବାହାର ରାଜ୍ୟକୁ ଗଂଜେଇ ଭଳି ନିଶାଦ୍ରବ୍ୟ ଚୋରା ଚାଲାଣ କରିବାରେ ଏକ ପ୍ରମୁଖ ମାଧ୍ୟମ ସାଜିଛି ରାୟଗଡା ରେଳବାଇ ଷ୍ଟେସନରୁ ଟ୍ରେନ୍ ଯୋଗେ ଚୋରା ଚାଲାଣ କରିବା । ତେବେ ଏହି ଚୋରା ଚାଲାଣକୁ ରୋକିବାକୁ ରାୟଗଡା ଜିଲ୍ଳା ଅବକାରୀ ଓ ରେଳବାଇ ପୋଲିସ ସୁରକ୍ଷା ବଳ (ଆରପିଏଫ)ମିଳିତ ଆନୁକୂଲ୍ୟରେ ବିଭିନ୍ନ ସମୟରେ ଷ୍ଟେସନ ପରିସର ତଥା ବାହାରେ ଯାଂଚ କରାଯାଇ ବହୁ ଅପରାଧିକୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ପୁଣି ଆଜି ଗଂଜେଇ ଚୋରା ଚାଲାଣ ବେଳେ ଅବକାରୀ ଏବଂ ଆରପିଏଫ ପୋଲିସ ହାତରେ ଧରାପଡିଛନ୍ତି ୩ଜଣ ଅଭିଯୁକ୍ତ । ଏମାନଙ୍କ ମଧ୍ୟରେ ଜଣେ ମହିଳା ହୋଇଥିବା ବେଳେ ଅନ୍ୟ ୨ଜଣ ପୁରୁଷ ଅଭିଯୁକ୍ତ ରହିଛନ୍ତି । ମହିଳା ଜଣକ ପଶ୍ଚିମ ବଙ୍ଗର ମନୁ ସିହ୍ନା ବୋଲି ଜଣାପଡିଥିବା ବେଳେ ତାଙ୍କ ଠାରୁ ୨୨କେଜି୧୦୦ଗ୍ରାମର ଗଂଜେଇ ଜବତ ହୋଇଥିବା ବେଳେ ଓଡିଶାର ଗଜପତି ଜିଲ୍ଳାର ଲକ୍ଷ୍ମୀକାନ୍ତ ନାୟକଙ୍କ ଠାରୁ ୨୩କେଜି ୨୦୦ଗ୍ରାମ ଏବଂ ସ୍ୱଂୟବର ନାୟକଙ୍କ ଠାରୁ ୨୧କେଜି ମୋଟ ୬୬କେଜି ୩୦୦ଗ୍ରାମର ଗଂଜେଇ ଜବତ କରାଯାଇଛି । ଜବତ ଗଂଜେଇର ବଜାରରେ ଆନୁମାନିକ ମୂଲ୍ୟ ୬ଲକ୍ଷ ୬୦ହଜାର ଟଙ୍କା ହୋଇଥିବା ବେଳେ ଏହି ଗଂଜେଇ ଗଜପତି ଜିଲ୍ଳାର ମୋହନା ଅଂଚଳରୁ ଅଣାଯାଇ ରାୟଗଡା ରେଳବାଇ ଷ୍ଟେସନରୁ ଟ୍ରେନ ଯୋଗେ ଝାରଖଣ୍ଡର ହାଟିଆ ଅଂଚଳକୁ ଚୋରା ଚାଲାଣ କରାଯିବାର ଯୋଜନା କରାଯାଇଥିବା ବେଳେ ଖବର ପାଇ ରାୟଗଡା ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଉପ ଅଧୀକ୍ଷକ ଗୁପ୍ତେଶ୍ୱର ପ୍ରଧାନଙ୍କ ତତ୍ୱାବଧାନରେ ଜିଲ୍ଳା ମୋବାଇଲ୍ ୟୁନିଟ୍ ଅବକାରୀ ନିରୀକ୍ଷକ ହିତାଂଶୁ ମଲ୍ଳିକ,ଅବକାରୀ ନିରୀକ୍ଷକ ସୀମାକିରଣ ବେକ୍ ଏବଂ ସଦର ଅବକାରୀ ଥାନା ଓଆଇସି ସଂଜୟ କୁମାର ପ୍ରଧାନ ଏବଂ ଅବକାରୀ ଷ୍ଟାଫ ସହ ଆରପିଏଫ ପୋଲିସ ରେଳବାଇ ଷ୍ଟେସନରେ ଯାଂଚ କରି ସନ୍ଦେହ ଜନକ ଭାବେ ଉକ୍ତ ତିନିଜଣଙ୍କ ଠାରେ ବ୍ୟାଗ୍କୁ ଯାଂଚ କରି ସେଥିରୁ ଗଂଜେଇ ଜବତ କରାଯାଇଥିଲା । ରାୟଗଡା ଜିଲ୍ଳାରୁ ବେଆଇନ ଭାବେ ଚୋରାଚାଲାଣ ହେଉଥିବା ଗଂଜେଇ କାରବାରକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ରାଜ୍ୟ ଅବକାରୀ କମିଶନର ନରସିଂହ ଭୋଳ ଏବଂ ରାୟଗଡା ଜିଲ୍ଳାପାଳ ସ୍ୱଧାଦେବ ସିଂଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳା ଅବକାରୀ ଅଧୀକ୍ଷକ ଅଭିରାମ ବେହେରାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅବକାରୀ ଷ୍ଟାଫ ଏବଂ ପୋଲିସର ମିଳିତ ସହଯୋଗରେ ବିଭିନ୍ନ ଥାନା ଅଂଚଳରେ ଯାଂଚ ତଥା ପେଟ୍ରୋଲିଂ କରାଯିବାକୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଅବକାରୀ ଅଧୀକ୍ଷକ ଶ୍ରୀ ବେହେରା ପ୍ରକାଶ କରିଛନ୍ତି ।