ଶାନ୍ତି ବୈଠକରେ ଯୋଗ ଦେବେ ଭାରତ ସମେତ ୩୦ ଦେଶ

ଓଡ଼ିଆ ବାର୍ତ୍ତା/ ଦୁବାଇ: ୟୁକ୍ରେନ-ଋଷ ମଧ୍ୟରେ ଘାମାଘୋଟ ଯୁଦ୍ଧ ଚାଲିଥିବାବେଳେ ସାଉଦୀ ଆରବ ପକ୍ଷରୁ ଅଗଷ୍ଟ ପ୍ରାରମ୍ଭରେ ଏକ ଶାନ୍ତି ବୈଠକ ବସିବ । ଏହି ବୈଠକରେ ଭାରତ ମଧ୍ୟ ସାମିଲ ହେବାର ସମ୍ଭାବନା ରହିଛି । ଜଣେ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାପଡିଛି । ଅବଶ୍ୟ ସାଉଦୀଆରବ ଏବଂ ୟୁକ୍ରେନ ପକ୍ଷରୁ ଏ ନେଇ କିଛି ସ୍ପଷ୍ଟ କରାଯାଇ ନାହିଁ । ଅଧିକାରୀ ଜଣକ ନିଜ ନାଁ ଗୋପନ ରଖିବା ସର୍ତ୍ତରେ ଏକ ଜାତୀୟ ଗଣ ମାଧ୍ୟମକୁ କହିଛନ୍ତି, ଏହି ଶିଖର ବୈଠକ ଲାଲସାଗରର ବନ୍ଦର ସିଟିର ଜେଦ୍ଦାଠାରେ ହେବ । ସେ ଏକଥା ବି କହିଛନ୍ତି ଯେ, ଏହି ଉଚ୍ଚସ୍ତରୀୟ ବାର୍ତ୍ତାଳାପରେ ୟୁକ୍ରେନସହ ବ୍ରାଜିଲ, ଭାରତ, ଦକ୍ଷିଣ ଆଫ୍ରିକା ସମେତ ଅନେକ ଦେଶ ଭାଗ ନେବେ । ଏପରିକି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନର ଜଣେ ଉଚ୍ଚସ୍ତରୀୟ ଅଧିକାରୀ ଏହି ବୈଠକରେ ସାମିଲ ହୋଇ ପାରନ୍ତି । ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ବୈଠକ ଆୟୋଜନର ସମସ୍ତ ପ୍ରସ୍ତୁତି ୟୁକ୍ରେନ କରୁଛି । ତେବେ ଏଥିରେ ରୁଷ ଭାଗ ନେବାର ସମ୍ଭାବନା ନାହିଁ । ଏହି ବୈଠକ ବିଷୟରେ ପ୍ରାଥମିକ ସୂଚନା ‘ଦ ୱାଲ ଷ୍ଟ୍ରିଟ ଜର୍ଣ୍ଣାଲ’ରୁ ଦେଇଥିଲା । ଏଥିରେ ଏହି ବାର୍ତ୍ତାଳା ୫ ବା ୬ ଅଗଷ୍ଟରେ ହୋଇପାରେ ଏବଂ ଏଥିରେ ପ୍ରାୟ ୩୦ ଦେଶ ଭାଗ ନେଇ ପାରନ୍ତି । ତେବେ ଏ ନେଇ ସାଉଦୀ ଆରବ ଅଧିକାରୀ ତଥା ରିୟାଦରେ ୟୁକ୍ରେନୀ ଦୁତାବାସ ପକ୍ଷରୁ ଏ ନେଇ କୌଣସି ଟିପ୍ପଣୀ ଦିଆଯାଇ ନାହିଁ । ଆମେରିକାର ରାଷ୍ଟ୍ରୀୟ ପରାମର୍ଶ ଦାତା ଜ୍ୟେକ ସୁଲିବାନ ଗୁରୁବାର ସାଉଦୀ ଆରବ ଯାତ୍ରାରେ ଥିବାବେଳେ ଏହି ଶିଖର ସମ୍ମିଳନୀ ଖବର ସାମ୍ନାକୁ ଆସିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.