ବାଃ ବାଃ ରେ କି ବ୍ୟବସ୍ଥା: ହୋଟେଲ ସାଇ ଇଂଟରନ୍ୟାସନାଲ୍ ଛକ ଗାତ ଉପରେ ଜଗିଛି ଯମ, ଦୁର୍ଘଟଣା ରୋକିବାକୁ ପୋଲିସ ଥୋଇଛି ବାରିକେଡ୍‌

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହର ଦେଇ ଯାଇଥିବା ୩୨୬ ନମ୍ବର ଜାତୀୟ ରାଜପଥର ଶୋଚନୀୟ ଅବସ୍ଥା । ଏହି ରାଜପଥର ପାଦେ ପାଦେ ବଡ ବଡ ଖାଲଖମା ଭରି ରହିଥିବାରୁ ଗାଡି ଚାଳକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଭାଗୀୟ କର୍ତୁପକ୍ଷ ବର୍ଷା ଦିନର ଆଳ ଦେଖାଇ କୈାଣସି ପ୍ରକାର ମରାମତି କାର୍ଯ୍ୟ କରିବାକୁ ଅମଙ୍ଗ ରହିଥିବା ବେଳେ ଏହି ଖାଲଖମା ଉପରେ ଗାଡି ଚଳାଇ ଅନେକ ଗାଡି ଚାଳକ ଦୁର୍ଘଟଣାର ଶୀକାର ହେଉଛନ୍ତି । ଆଉ ବ୍ୟସ୍ତ ବହୁଳ ରାଜପଥର ଏହି ଖାଲଖମା ତଥା ବଡ ବଡ ଗାତଗୁଡିକ ସମ୍ମୁଖରେ ରାୟଗଡା ଥାନା ପୋଲିସର ବାରିକେଡ୍ ବୋର୍ଡ ଟଙ୍ଗା ଯାଇ ଦୁର୍ଘଟଣା ରୋକିବାକୁ ସଚେତନ କରାଯାଉଛି । ଏଭଳି ଏକ ଦୃଶ୍‌୍ୟ ଦେଖିବାକୁ ମିଳିଛି ରାୟଗଡା ସହରର ହୋଟେଲ ସାଇ ଇଂଟରନ୍ୟାସନାଲ ଛକରେ । ରାୟଗଡା ସହରକୁ ଭାରୀଯାନ ପ୍ରବେଶ ନ କରି ଏହି ମୁଖ୍ୟ ଛକରୁ ବାଇପାସ ରାସ୍ତା ଦେଇ ସହର ବାହାରକୁ ଭାରୀଯାନଗୁଡିକ ଚଳାଚଳ କରୁଛନ୍ତି । ଗତ କିଛି ମାସ ହେଲା ଏହି ମୁଖ୍ୟ ଛକରେ ଥିବା ଏକ ସିମେଂଟ କଲଭର୍ଟ ଭାଙ୍ଗି ଯାଇ ସେଥିରୁ ଲୁହା ଛଡଗୁଡିକ ଦେଖାଯାଉଥିବା ବେଳେ ଏକ ବଡ ଗାତ ସୃଷ୍ଟି ହୋଇଛି ।

ଏହି ଗାତ ଉପରେ ଅନେକ ଭାରୀଯାନ ଚଳାଚଳ କରୁଥିବାରୁ ଏହା ଆହୁରି ବଡ ଗାତରେ ପରିଣତ ହେଉଥିବା ବେଳେ ରାତ୍ର ସମୟରେ ଅନେକ ବାଇକ ଚାଳକ,ଅଟୋ ଚାଳକ ତଥା ପଥଚାରୀମାନେ ଏହି ଗାତରେ ପଡି ଦୁର୍ଘଟଣାର ଶୀକାର ହୋଇଛନ୍ତି । ତେଣୁ ସ୍ଥାନୀୟ ଲୋକେ ଏହି ଗାତରେ ଯମ ଜଗି ରହିଛି ବୋଲି କହୁଥିବା ବେଳେ ସଡକ ଦୁର୍ଘଟଣା ରୋକିବାକୁ ଏହି ଗାତ ସମ୍ମୁଖରେ ରାୟଗଡା ପୋଲିସର ଏକ ବାରିକେଡ୍ ବୋର୍ଡ ଥୋଇ ଦିଆଯାଇଛି । କେବଳ ଏହି ଗାତ ନୁହେଁ ଏହାର ସମ୍ମୁଖରେ ଜାତୀୟ ରାଜପଥ ରାସ୍ତା ଉପରେ ଆଉ ଏକ ବିରାଟ ଖାଲ ସୃଷ୍ଟି ହୋଇଛି । ନିୟମିତ ଭାବେ ଭାରୀଯାନଗୁଡିକ ଏହି ଖାଲ ଉପରେ ଚଳାଚଳ କରୁଥିବା ସହ ସାମାନ୍ୟ ବର୍ଷା ହେଲେ ପାଣିରେ ଭରି ରହୁଥିବା ଏହି ଗାତକୁ ଜାଣି ନ ପାରି ଅନେକ ଗାଡି ଚାଳକ ଦୁର୍ଘଟଣାର ଶୀକାର ହେଉଛନ୍ତି । ଏ ନେଇ ଜାତୀୟ ରାଜପଥ ବିଭାଗୀୟ କର୍ତୁପକ୍ଷ ଏବଂ ଜିଲ୍ଳା ପ୍ରଶାସନ ଠାରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ମଧ୍ୟ କର୍ଣ୍ଣପାତ କରୁ ନ ଥିବା ଆଇନଜୀବି ତଥା ସ୍ଥାନୀୟ ବାସିନ୍ଦା ମଙ୍ଗଳମୂର୍ତି ବେଉରିଆ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.