ସର୍ଦ୍ଦାର ସିଂ ଓ ରାନୀ ରାମପଲ ହେବେ ଭାରତୀୟ ସବ ଜୁନିୟର ହକି ଟିମର କୋଚ

ଓଡ଼ିଆ ବାର୍ତ୍ତା/ ମାଡ୍ରାସ: ଭାରତୀୟ ହକିର ପୂର୍ବତନ ଖେଳାଳି ସର୍ଦ୍ଦାର ସିଂ ଓ ରାନୀ ରାମପଲଙ୍କୁ ଗୁରୁବାର ଗୁରୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଉଭୟ ଯଥାକ୍ରମେ ସବ ଜୁନିୟର ପୁରୁଷ ଓ ମହିଳା ଟିମର କୋଚ ଦାୟିତ୍ୱ ତୁଲାଇବେ । ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କୀ ବିଧିବଦ୍ଧ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ୧୦୦ତମ ଏକଜିକ୍ୟୁଟିଭ ବୋର୍ଡ ମିଟିଂରେ ଏ ସମ୍ପର୍କରେ ନିଷ୍ପତି ନିଆଯାଇଥିଲା । ଦେଶର ହକିର ଉନ୍ନତି ପାଇଁ ସମସ୍ତ ପ୍ରକାରର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଦିଲୀପ କହିଛନ୍ତି । ଏହି ବୈଠକରେ ଦିଲୀପଙ୍କ ସମେତ ହକି ଇଣ୍ଡିଆ ସେକ୍ରେଟାରୀ ଜେନେରାଲ ଭୋଳାନାଥ ସିଂ, କୋଷାଧ୍ୟକ୍ଷ ସେକର ଜେ ମନୋହରନ ପ୍ରମୁଖ ଉପସ୍ଥିତ ଥିଲେ ।

ସବ ଜୁନିୟର ସ୍ତରରେ ହକିର ଉନ୍ନତି ପାଇଁ ୩ ବର୍ଷୀୟା ଏକ ଯୋଜନା ପ୍ରସ୍ତୁତ କରାଯାଇଛି । ଏହା ପୂର୍ବରୁ ରାଉରକେଲାରେ ଏକ ୪୫ ଦିନିକିଆ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ । ସର୍ଦ୍ଦାର ଉଭୟ ଚୟନ କମିଟି ମୂଖ୍ୟ ଓ କୋଚ ଦାୟିତ୍ୱ ତୁଲାଇବେ ବୋଲି ଦିଲୀପ କହିଛନ୍ତି । ସିନିୟର ଖେଳାଳିଙ୍କୁ ଯେଉଁ ସବୁ ସୁବିଧା ସୁଯୋଗ ଦିଆଯାଉଛି ଏଥର ଜୁନିୟର ଓ ସବ ଜୁନିୟର ଖେଳାଳିଙ୍କୁ ତାହା ପ୍ରଦାନ କରାଯିବ ବୋଲି ହକି ଇଣ୍ଡିଆ ପକ୍ଷରୁ କୁହାଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.