ରାୟଗଡ଼ ଆଦିବାସୀ ମହାସଂଘର ଜିଲ୍ଲା ସ୍ତରୀୟ ଚୟନ କମିଟି ଗଠିତ

ବିଜୟ ସଭାପତି ଓ ତ୍ରିପତି ସମ୍ପାଦକ ଭାବେ ମନୋନୀତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ଼ ସହର ସ୍ଥିତ କପିଲାସ ରୋଡ଼ର କୌଶଳ ବିକାଶ ତାଲିମ୍ କେନ୍ଦ୍ର ଠାରେ “ରାୟଗଡ଼ ଆଦିବାସୀ ମହାସଂଘ” ତରଫରୁ ଜିଲ୍ଲା ସ୍ତରୀୟ କମିଟି ଚୟନ ବୈଠକ ଅନୁଷ୍ଠିତ ହୋଇଯାଇଛି । ରାୟଗଡ଼ ଆଦିବାସୀ ମହାସଂଘର ପ୍ରତିଷ୍ଠାତା ତଥା ସମାଜସେବୀ ଓ ଆଦିବାସୀ ଗବେଷକ ବିଜୟ କୁମାର ମେଲାକାଙ୍କ ପୌରହିତ୍ୟରେ ଆୟୋଜିତ ଏହି ଜିଲ୍ଲା ସ୍ତରୀୟ କମିଟି ଚୟନ ବୈଠକରେ ୮ଜଣିଆ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଚୟନ କମିଟି ଗଠନ କରାଗଲା । ସମସ୍ତଙ୍କ ସର୍ବସମ୍ମତି କ୍ରମେ ତଥା ଦକ୍ଷତା ଅନୁଯାୟୀ ଓ ପ୍ରତିଷ୍ଠାତା ସଭ୍ୟଙ୍କ ନିର୍ଦ୍ଦେଶ କ୍ରମେ ବିଜୟ କୁମାର ମେଲାକାଙ୍କୁ ଜିଲ୍ଲା ସଭାପତି, ସଦନ ମାଝିଙ୍କୁ ଉପ-ସଭାପତି, ତ୍ରିପତି କିଲାକାଙ୍କୁ ଜିଲ୍ଲା ସମ୍ପାଦକ, ଲକି ଜାକେସିକାଙ୍କୁ ଯୁଗ୍ମ-ସମ୍ପାଦକ, ଶ୍ରୀମତୀ ଲକ୍ଷ୍ମୀ ପ୍ରାସ୍କାଙ୍କୁ କୋଷାଧ୍ୟକ୍ଷା,ଶ୍ୟାମଧର ମାଝିଙ୍କୁ ଯୁଗ୍ମ-କୋଷାଧ୍ୟକ୍ଷ, ଶ୍ରୀନିବାସ ତାଡିଙ୍ଗିଙ୍କୁ ପ୍ରଚାରକ ଭାବେ ଚୟନ କରାଯାଇଥିବା ବେଳେ ମହେଶ୍ଵର ବିଡ଼ିକାଙ୍କୁ ହେଲ୍ପ ଡ଼େସ୍କ ସହାୟକ ଭାବେ ଚୟନ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ରାୟଗଡ଼ ଜିଲ୍ଲାର ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ସହିତ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ଜିଲ୍ଲା ପ୍ରଶାସନକୁ ବିଭିନ୍ନ ପ୍ରସ୍ତାବ ମାଧ୍ୟମରେ ଅବଗତ କରିବା ଓ ହେଲ୍ପ ଡ଼େସ୍କ ଜରିଆରେ ସମାଜସେବା କରିବା ପାଇଁ ରାୟଗଡ଼ ଆଦିବାସୀ ମହାସଂଘ ଗଠନ କରାଯାଇଛି । ଜିଲ୍ଲାର ୨୬୭୩ ଟି ଗ୍ରାମ, ୧୮୨ ଗ୍ରାମ ପଞ୍ଚାୟତ ସମେତ ୧୧ ଟି ବ୍ଲକରେ ଜିଲ୍ଲା ସ୍ତରୀୟ କମିଟି ପହଞ୍ଚି ଆଦିବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଲୋକ କଲ୍ୟାଣମୂଳକ ଯୋଜନାର ପରିକଳ୍ପନା କରାଯିବାର ଲକ୍ଷ୍ୟ ରଖାଯାଇଛି | ୨୦୧୧ ମସିହାର ସର୍ଭେ ଅନୁଯାଇ ରାୟଗଡ଼ ଜିଲ୍ଲାରେ ଅନୁସୂଚିତ ଜନଜାତି ସଂଖ୍ୟା ମୋଟ ୫,୪୧,୯୦୫ ଅର୍ଥାତ ଶତକଡ଼ା ୫୬% ପ୍ରତିଶତ ରହିଥିବା ଜଣାପଡିଛି । ଅକାଳରେ ମୃତ୍ୟୁ ବରଣ, ଦାଦନ ଶ୍ରମିକ ବୃଦ୍ଧି, ନିରୀହ ବ୍ୟକ୍ତିଙ୍କ ଅତ୍ୟାଚାର, ଗାଁରେ ରାଜନୈତିକ ଓ ଧାର୍ମିକ ଗୋଷ୍ଠୀର ଶତ୍ରୁତା, ସରକାରୀ ଯୋଜନାର ଅପାରଗତା ଏବଂ ଏକତାର ଅଭାବ ଯୋଗୁଁ ଜିଲ୍ଲାର ଉନ୍ନତି ହୋଇପାରୁ ନାହିଁ । ନୀତି ଆୟୋଗ ରିପୋର୍ଟ-୨୦୨୩ ଅନୁଯାଇ ରାୟଗଡ଼ ଓଡ଼ିଶାର ଦ୍ୱିତୀୟ ଗରିବ ଜିଲ୍ଲା ମାନ୍ୟତା ପାଇବା ଅତ୍ୟନ୍ତ ଲଜ୍ୟା ଜନକ ପ୍ରସଙ୍ଗ ଅଟେ ବୋଲି ବୈଠକରେ ଆଲୋଚନା କରାଯାଇଥିଲା | ଆଦିବାସୀଙ୍କ ଶିକ୍ଷା, କୃଷି, ସ୍ଵାସ୍ଥ୍ୟ, କ୍ରୀଡା, ଭାଷା, ସାହିତ୍ୟ ଓ ସଂସ୍କୃତି ଜିଲ୍ଲା ରେ ଅତ୍ୟନ୍ତ ଅବହେଳିତ ହୋଇଛି ବୋଲି ମଧ୍ୟ ମତ ପ୍ରକାଶ ପାଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ଲୋକସେବା ଆୟୋଗ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ସେବା ଓ ଦ୍ରବ୍ୟ କର (ଜିଏସଟି) ବିଭାଗର ଡେପୁଟି କମିଶନର ଭାବେ ଆସାମ ରାଜ୍ୟରେ ଅବସ୍ଥାପିତ ରାୟଗଡା ଜିଲ୍ଲା କାଶୀପୁର ମାଟିର ପୁଅ ସୁନନ୍ଦ ଝୋଡ଼ିଆ ଯୋଗ ଦେଇ ଆଦିବାସୀଙ୍କ ବିକାଶ ପାଇଁ ମହାସଙ୍ଘ ନିଜ ଆଭିମୁଖ୍ୟ ପ୍ରଦର୍ଶନ କରିବା ପାଇଁ ପରାମର୍ଶ ପ୍ରଦାନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.