ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ସ୍ୱାଧୀନତା ଦିବସ ଅବସରରେ ସାବୁଳିଆ ଗ୍ରାମ ପଞ୍ଚାୟତରେ ସ୍ଵତନ୍ତ୍ର ଗ୍ରାମସଭାର ଆୟୋଜନ ହୋଇଥିଲା। ତେବେ ଗ୍ରାମସଭା ପରିବର୍ତ୍ତେ ବିଜେଡିର ଦଳୀୟ ସଭା ଭାବରେ ଗ୍ରାମସଭାକୁ ପରିଚାଳନା ଅଭିଯୋଗରେ ଗ୍ରାମବାସୀ ତୀବ୍ର ଅସନ୍ତୋଷ ପ୍ରକାଶ କରି ସଭା ବର୍ଜନ କରିଥଲେ। ଲୋକମାନଙ୍କ ବିଭିନ୍ନ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ପଞ୍ଚାୟତ କର୍ତ୍ତୃପକ୍ଷ ଦେଇ ନ ପାରି କେବଳ ଭୁଆଁ ବୁଲାଇବାରୁ ଗ୍ରାମସଭାରେ ପ୍ରବଳ ହଟ୍ଟଗୋଳ ହୋଇଥିଲା। ଜଳଛତ୍ର ତଥା ଅନ୍ୟାନ୍ୟ ଉନ୍ନୟନମୂଳକ କାମରେ ମାତ୍ରାଧିକ ଦୁର୍ନୀତି ହୋଇଥିବାର ଜଣାପଡ଼ିବା ପରେ ଉପସ୍ଥିତ ଗ୍ରାମବାସୀ ପଞ୍ଚାୟତ ବାହାରେ ପ୍ରତିବାଦ ସ୍ୱରୂପ ଧାରଣାରେ ବସିଥିଲେ। ପରେ ଖଲ୍ଲିକୋଟ ବିଡିଓ ଫୋନ୍ ଯୋଗେ ପୁଣି ଥରେ ଗ୍ରାମସଭା କରାଇବାର ପ୍ରତିଶ୍ରୁତି ମିଳିବା ପରେ ଜନସାଧାରଣ ଧାରଣାରୁ ନିବୃତ୍ତ ହୋଇଥିଲେ। ଉତ୍ୟକ୍ତ ଲୋକମାନେ ପଂଚାୟତର ଜିଆରଏସ ଓ ଗ୍ରାମସେବକଙ୍କୁ ମଧ୍ୟ ଦୀର୍ଘ ସମୟ ଧରି ଅଟକାଇ ରଖିଥିଲେ। ଯଦି ବିଡିଓ ଦେଇଥିବା ପ୍ରତଶ୍ରୁତି ରକ୍ଷା ନ କରନ୍ତି; ତେବେ ଆଗମୀ ଦିନରେ ଏହି ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାକୁ ଧାରଣାରେ ବସିଥିବା ଗ୍ରାମବାସୀ କହିଛନ୍ତି।