ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ପ୍ରମୁଖ ରେଳ ଷ୍ଟେସନ, ବିଶେଷ କରି ବାଲେଶ୍ୱର ଓ ସୋରୋ ଷ୍ଟେସନ ଅଞ୍ଚଳରେ ବେଆଇନ ଟିକେଟ କାରବାର ଏବେ ଚିନ୍ତାଜନକ ରୂପ ନେଇଛି। ତତ୍କାଳ ଟିକେଟର ଅଧିକ ଚାହିଦାକୁ ହତିଆର କରି କିଛି ଦଲାଲ ଓ ଏଜେଣ୍ଟ ଅସାଧୁ ଉପାୟରେ ଟିକେଟ ସଂଗ୍ରହ କରି ଚଢ଼ା ଦରରେ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଗତ ୨୩ ଦିନ ମଧ୍ୟରେ ଆରପିଏଫ୍ ଏହି ସମ୍ପର୍କରେ ୩ଟି ମାମଲା ରୁଜୁ କରି ୩ ଜଣଙ୍କୁ ଗିରଫ କରିଛି। ଘରେ ବସି ଟିକେଟ ବୁକିଂ ପାଇଁ ଅନଲାଇନ୍ ସୁବିଧା ଥିବା ସତ୍ୱେ, କେତେକ ଅସାଧୁ ଏଜେଣ୍ଟ ଏହାର ଅପବ୍ୟବହାର କରୁଛନ୍ତି। ଦୀର୍ଘ ରୁଟରେ ତତ୍କାଳ ଟିକେଟ ମିଳିବା କଷ୍ଟକର ହେବାରୁ, ଏହି ଚାହିଦାକୁ ଭିତ୍ତି କରି ଦଲାଲମାନେ ବିଭିନ୍ନ ଅବୈଧ ପ୍ରକ୍ରିୟାରେ ଟିକେଟ ହାସଲ କରୁଛନ୍ତି। ପରେ ସେହି ଟିକେଟ ଗୁଡ଼ିକୁ ଅଧିକ ଦରରେ ବିକ୍ରି କରାଯାଉଛି। ଉଦାହରଣ ସ୍ୱରୂପ, ୫ ହଜାର ଟଙ୍କାର ଟିକେଟ ପାଇଁ ଯାତ୍ରୀଙ୍କୁ ଅତିରିକ୍ତ ୧ ରୁ ୨ ହଜାର ଟଙ୍କା ଦେବାକୁ ପଡୁଛି। ଆରପିଏଫ୍ ଖଡ଼ଗପୁର ଟିମ୍ ବିଶ୍ୱସ୍ତ ସୂଚନା ଆଧାରରେ ବାଲେଶ୍ୱରରେ ଚଢ଼ାଉ କରି ଜଣେ ଦଲାଲଙ୍କୁ ଗିରଫ କରିଛି। ବାଲେଶ୍ୱର ଷ୍ଟେସନ ପୂର୍ବ ପାର୍ଶ୍ୱରେ ସୁଭଦ୍ରା ରେଷ୍ଟ ହାଉସ ନିକଟରୁ ସନ୍ଧ୍ୟା ସମୟରେ ଚନ୍ଦନ କୁମାର ପତି (୩୯)ଙ୍କୁ ଅଟକ ରଖା ଯାଇଥିଲା। ତାଙ୍କ ନିକଟରୁ ଗୋଟିଏ ତତ୍କାଳ ଟିକେଟ, ଏକ ଆଣ୍ଡ୍ରୋଏଡ ମୋବାଇଲ ଫୋନ ଓ ୫,୪୩୦ ଟଙ୍କା ନଗଦ ଜବତ କରାଯାଇଛି। ଯାଞ୍ଚରେ ସେ ବେଆଇନ ଭାବେ ଟିକେଟ ସଂଗ୍ରହ କରି ଅଧିକ ଦରରେ ବିକ୍ରି କରୁଥିବା ସ୍ୱୀକାର କରିଥିଲେ।
ଏହି ମାମଲାରେ ରେଳ ଅଧିନିୟମ ୧୯୮୯ର ଧାରା ୧୪୩ ଅନୁଯାୟୀ ମାମଲା ରୁଜୁ ହୋଇଥିବା ସହ ଅଭିଯୁକ୍ତଙ୍କୁ ଏସଡିଜେଏମ କୋର୍ଟରେ ହାଜର କରାଯିବ ବୋଲି ରେଳବାଇ ସୂତ୍ରରୁ ପ୍ରକାଶ। ତାଙ୍କ ମୋବାଇଲ ଯାଞ୍ଚରୁ ଏହି ଅବୈଧ ନେଟୱର୍କ ସମ୍ପର୍କିତ ଅନେକ ପ୍ରମାଣ ମିଳିଥିବା ଜଣାପଡିଛି। ସୋରୋ ଷ୍ଟେସନ ଅଞ୍ଚଳରେ ମଧ୍ୟ ଆରପିଏଫ୍ ନଜରଦାରି ବଢ଼ାଇଛି। ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ସହ ଏହି କାରବାରରେ ଜଡିତ ଅନ୍ୟ ଦଲାଲମାନଙ୍କୁ ଚିହ୍ନଟ କରାଯିବାର ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି । ସାଧାରଣ ଯାତ୍ରୀ ଦଲାଲଙ୍କ ପାଖକୁ ନଯାଇ ସିଧାସଳଖ ରେଳବାଇ କାଉଣ୍ଟର କିମ୍ବା ଅଧିକୃତ ବିକ୍ରେତା ମାଧ୍ୟମରେ ଟିକେଟ ବୁକିଂ କରିବାକୁ ଆରପିଏଫ୍ ପରାମର୍ଶ ଦେଇଛି।





