ମରାମତି ଅଯୋଗ୍ୟ ଶ୍ରେଣୀଗୃହ, ଭୟରେ ଛାତ୍ରଛାତ୍ରୀ
ପ୍ରଶାସନର ଉଦାସୀନତା, ବଡ଼ ଦୁର୍ଘଟଣାକୁ ଅପେକ୍ଷା କରିଛି କି ଶିକ୍ଷା ବିଭାଗ?
ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ହଳଦୀ ପଞ୍ଚାୟତ ଅନ୍ତର୍ଗତ ପାତଳପଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ବ୍ୟବସ୍ଥାର ଏକ ବିକଳାଙ୍ଗ ଦୃଶ୍ୟ ସାମ୍ନାକୁ ଆସିଛି। ୧୯୭୩ ମସିହାରେ ସ୍ଥାପିତ ଏହି ପୁରାତନ ବିଦ୍ୟାଳୟଟି ଏବେ ଚରମ ଅବହେଳାର ଶିକାର ହୋଇଛି। ବାଲବାଟିକା ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସର୍ବମୋଟ ୯୦ ଜଣ ଛାତ୍ରଛାତ୍ରୀ ଏଠାରେ ଶିକ୍ଷା ଗ୍ରହଣ କରୁଥିବା ବେଳେ ସେମାନଙ୍କ ଜୀବନ ଏବେ ବିପଦପୂର୍ଣ୍ଣ ସ୍ଥିତିରେ ରହିଛି। ବିଦ୍ୟାଳୟରେ ଶ୍ରେଣୀଗୃହର ଘୋର ଅଭାବ ରହିଥିବା ବେଳେ ଉପଲବ୍ଧ ଥିବା କୋଠରୀ ଗୁଡ଼ିକ ଏବେ ସମ୍ପୂର୍ଣ୍ଣ ଜରାଜୀର୍ଣ୍ଣ। ଏହି ଗୃହଗୁଡ଼ିକର ଅବସ୍ଥା ଏମିତି ହୋଇଛି ଯେ ତାହା ଆଉ ସାମାନ୍ୟ ମରାମତି ଦ୍ୱାରା ବ୍ୟବହାର ଯୋଗ୍ୟ ହେବା ସ୍ଥିତିରେ ନାହିଁ। ଛାତରୁ ସିମେଣ୍ଟ ଅତଡ଼ା ଖସୁଥିବାରୁ କେତେବେଳେ କାହା ଉପରେ ପଡ଼ି ଅଘଟଣ ଘଟିବ ସେ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଆତଙ୍କିତ ଅଛନ୍ତି। ସାମାନ୍ୟ ବର୍ଷା ହେଲେ ଛାତରୁ ପାଣି ଗଳୁଥିବାରୁ ପାଠପଢ଼ା ସମ୍ପୂର୍ଣ୍ଣ ବ୍ୟାହତ ହେଉଛି। ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ କନକଲତା ମାଝୀଙ୍କ କହିବା ଅନୁସାରେ ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ,ସିଆରସିସି ଏବଂ ବିଇଓଙ୍କ କାର୍ଯ୍ୟାଳୟକୁ ବାରମ୍ବାର ଲିଖିତ ଓ ମୌଖିକ ଭାବେ ଜଣାଯାଇଛି। କିନ୍ତୁ ଦୁଃଖର ବିଷୟ ଏପର୍ଯ୍ୟନ୍ତ କୌଣସି ସୁଧାର ଆସିନାହିଁ। ଏ ସମ୍ପର୍କରେ ମୁରିବାହାଲ ବିଇଓ ଶାନ୍ତନୁ ପଢ଼ିଆରୀଙ୍କୁ ପଚାରିବାରୁ ସ୍କୁଲ ମରାମତି ପାଇଁ କୁହାହୋଇଛି ସ୍କୁଲ ର ଜମି ବିବାଦ ଟିକେ ରହିଛି ସମାଧାନ ହେଲେ ନୂତନଗୃହ ଦିଆଯିବ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଗୃହଗୁଡ଼ିକ ମରାମତି ଅବସ୍ଥାରେ ନଥିବାରୁ ତୁରନ୍ତ ପୁରୁଣା କୋଠରି ଭାଙ୍ଗି ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଅଭିଭାବକ ମହଲରେ ଦୃଢ଼ ଦାବି ହୋଇଛି। ପ୍ରଶାସନ କୌଣସି ବଡ଼ ଦୁର୍ଘଟଣାକୁ ଅପେକ୍ଷା ନକରି ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଯଥାଶୀଘ୍ର ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।





