ବିଶିଷ୍ଟ ସମାଜସେଵୀ ଦୈତାରୀ ବେହେରାଙ୍କ ବିୟୋଗ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ ଗେଙ୍ଗୁଟି ଗ୍ରାମ ପଞ୍ଚାୟତର ଜମ୍ବେଶ୍ୱର ପୁର ଗ୍ରାମର ଗ୍ରାମ୍ୟ କମିଟିର ପ୍ରାକ୍ତନ ସଭାପତି ତଥା ଅଞ୍ଚଳର ବିଶିଷ୍ଟ ସମାଜସେବୀ ଦୈତାରୀ ବେହେରାଙ୍କ ବିୟୋଗରେ ଶୋକର ଛାୟା ଖେଳି ଯାଇଛି। ମୃତ୍ୟୁ ବେଳକୁ ଶ୍ରୀ ବେହେରାଙ୍କୁ ୯୨ବର୍ଷ ହୋଇଥିଲା ଓ ସେ ସଫଳ ଜୀବନ ଅତିବାହିତ କରିଥିଲେ। ଜଣେ ଆଦର୍ଶ କୃଷକ ଭାବରେ ପାଖଆଖ ଅଞ୍ଚଳରେ ସେ ସର୍ବାଦୃତ ଥିଲେ। ସ୍ଵୟମ୍ଭୁ ବାବା ଜମ୍ବେଶ୍ୱରନାଥ ମନ୍ଦିର ନିର୍ମାଣରେ ତାଙ୍କର ପ୍ରମୁଖ ଯୋଗଦାନ ଥିଲା ଏବଂ ଅଞ୍ଚଳର ଶିକ୍ଷା ବିକାଶ ଆନ୍ଦୋଳନରେ ସାମିଲ ହୋଇ ସେ ବିଦ୍ୟାଳୟ ପ୍ରତିଷ୍ଠାରେ ଭାଗିଦାରୀ ରଖିଥିଲେ। ଗ୍ରାମ୍ୟରେ ଭଗବତ ଦର୍ଶନର ପ୍ରଚାର ପ୍ରସାର ପାଇଁ ନିର୍ମିତ ଭାଗବତ ଟୁଙ୍ଗୀର ନିର୍ମାଣ ବିକାଶ ପାଇଁ ତାଙ୍କ ସେବା ଅବିସ୍ମରଣୀୟ। ଭୋର୍ ଚାରିଟା ବେଳେ ସେ ଇହଲୀଳା ସମ୍ବରଣ କରିଥିଲେ। ମୃତ୍ୟୁ ବେଳକୁ ତିନି ପୁତ୍ର ଲଷ୍ମୀକାନ୍ତ ବେହେରା, ବୃନ୍ଦାବନ ବେହେରା, ଦୋଳଗୋବିନ୍ଦ ବେହେରା ଓ ପୁତ୍ରବଧୂ ନାତି ନାତୁଣୀ ଉପସ୍ଥିତ ଥିଲେ। ଖବରପାଇ ଅଞ୍ଚଳରେ ବହୁ ବିଶିଷ୍ଟ ବ୍ୟକ୍ତି ସମେତ ସମାଜ ସଂସ୍କାରକ ପୀତବାସ ଆଚାର୍ଯ୍ୟ, ଉମେଶକୁମାର ପାଣିଗ୍ରାହୀ, ବ୍ରଜେନ୍ଦ୍ରକୁମାର ମହାନ୍ତି, ଜିଲ୍ଲା ସିଭିଲ ଜଜର ହିସାବ ରକ୍ଷକ ମାନସ କୁମାର ନାୟକ, ମନବଧିକାର କର୍ମୀ ସୁଧାକର ସେଠୀ, ତୁଳସୀ ରଞ୍ଜନ ବାରିକ ପ୍ରମୁଖ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ। ପୁତ୍ର ଦୋଳଗୋବିନ୍ଦ ବେହେରା ମୁଖାଗ୍ନି ପ୍ରଦାନ କରିଥିଲେ। ଶ୍ରୀ ବେହେରା ଜଣେ ଭଲ ମଣିଷ ଥିଲେ। ତାଙ୍କ ତିରୋଧାନ ଆମ ଗାଁ ମୁରବୀ ହରାଇଲା ବୋଲି ପୂର୍ବତନ ଉପ ପଶୁ ନିର୍ଦେଶକ ଡାକ୍ତର ପରମାନନ୍ଦ ସେଠୀ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.