ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା ସୁନାମାଳ ଗ୍ରାମରେ ନିଆଁ ଲଗି ଗୋଟିଏ ଘର ଭସ୍ମୀଭୂତ ହୋଇଛି। ଏଥି ସହିତ ଲକ୍ଷାଧିକ ଟଙ୍କାର ସାମଗ୍ରୀ ମଧ୍ୟ ନିଆଁରେ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବିଲରେ ଲାଗିଥିବା ନିଆଁ ମାଡ଼ି ଆସି ସୁନାମାଲ ଗ୍ରାମର ଟଙ୍କଧର ଦୁର୍ଗାଙ୍କ ଘର ଜଳିଯାଇଛି। ଫଳରେ ପରିବାର ଲୋକେ ଅସହାୟ ହୋଇପଡ଼ିଛନ୍ତି। ସୂଚନା ଅନୁସାରେ, ଟଙ୍କଧରଙ୍କ ଘରେ କେହି ନଥିବା ବେଳେ ସେମାନେ ଏକ ବିବାହ କାମରେ ଯାଇଥିଲେ। ଏହି ସମୟରେ କେହି ଜଣେ ବିଲରେ ନିଆଁ ଲଗାଇ ଥିଲା। ସେହି ନିଆଁ ଆସି ଟଙ୍କଧର ଘରକୁ ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି। ଘର ଭିତରେ ରଖିଥିବା ଧାନ ଚାଉଳ, ମୁଗ, ଜମି ପଟା, ସମସ୍ତଙ୍କ ଆଧାର କାର୍ଡ, ବେଙ୍କ ପାସ ବୁକ୍ ସହ ନଗଦ ୫ ହଜାର ଟଙ୍କା ଆଦି ସାମଗ୍ରୀ ସହ ଲୁଗା ପଟା ନଷ୍ଟ ହୋଇ ଯାଇଛି। ବର୍ଷକର ଚଳଣି ସାମଗ୍ରୀ ନଷ୍ଟ ହେବାରୁ କିଭଳି ଚଳିବେ ଏବେ ଟଙ୍କଧରଙ୍କ ପରିବାର ଚିନ୍ତାରେ ପଡି ଯାଇଛନ୍ତି। ନିଆଁ ଲାଗିଥିବା ଖବର ଶୁଣି ଟଙ୍କଧରଙ୍କ ପରିବାର ସହ ଗ୍ରାମବାସୀ ଘର ନିକଟରେ ପହଛି, କୋକସରା ଅଗ୍ନିଶମ ବିଭାଗଙ୍କୁ ଜଣାଇବା ପରେ ଦମକଳ ବାହିନୀ ଆସି ନିଆଁ କୁ ଲିଭାଇବାକୁ ଚେଷ୍ଟା କରି ଥିଲେ। ହେଲେ ଘର ଓ ଘର ଭିତରେ ଥିବା ସାମଗ୍ରୀ ସମ୍ପୂର୍ଣ ନଷ୍ଟ ହୋଇଥିବା ବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ ହୋଇ ଥିବା ଟଙ୍କଧରଙ୍କ ସ୍ତ୍ରୀ ଛବିଳ ଦୁର୍ଗା ପ୍ରକାଶ କରିବା ସହ ସହାୟତା ଦାବୀ କରିଛନ୍ତି। ସୂଚନା ଯେ’ ଟଙ୍କଧର ଦୁର୍ଗାଙ୍କ ସ୍ତ୍ରୀ ଛବିଳ ଦୁର୍ଗା ସହ ୪ ପିଲା ଓ ବାପା ମା’ ଏଭଳି ପରିବାରରେ ୮ ଜଣ ନେଇ ତାଙ୍କ ସାଂସାର। ସେମାନେ ଏକ ନୂତନ ଘର ତିଆରି କରୁଥିବାରୁ ନିଜ ଚାଷ ଜମିରେ ଏକ ଚାଳ ଛପର ଘର କରି ସମସ୍ତେ ରୁହନ୍ତି। ତାଙ୍କ ୩ ପିଲା ବାହାରେ ହଷ୍ଟେଲରେ ରହି ପାଠ ପଢୁଥୁବାବେଳେ ଅନ୍ୟମାନେ ଘରେ ରୁହନ୍ତି। ବର୍ତମାନ ରହିବେ କେଉଁଠି ଓ ଚଳିବେ କେମିତି ଏନେଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି l ସରକାରୀ ସ୍ତରରୁ ସମସ୍ତେ ସୁବିଧା ଯୋଗେଇ ଦେବାପାଇଁ ପରିବାର ଓ ଗ୍ରାମବାସୀ ପ୍ରଶାସନକୁ ନିବେଦନ କରିଛନ୍ତି l





