ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଉପରପଡା ୟୁପି ସ୍କୁଲରେ ବହୁତ ଦିନରୁ ଶିକ୍ଷକ ସମସ୍ୟା ଲାଗି ରହିଛି। ୮ ଗୋଟି ଶ୍ରେଣୀ ପାଇଁ ୫ ଜଣ ଶିକ୍ଷକ/ଶିକ୍ଷୟତ୍ରୀ ରହିଛନ୍ତି ବିଦ୍ୟାଳୟରେ। ସେଥି ମଧ୍ୟରୁ ୪ ଜଣ ଶିକ୍ଷୟତ୍ରୀ ଓ ଜଣେ ମାତ୍ର ଶିକ୍ଷକ ରହି ଶିକ୍ଷାଦାନ କରୁଥିବା ବେଳେ ବିଜ୍ଞାନ ଶିକ୍ଷକ କିମ୍ବା ବିଇଡି ଶିକ୍ଷକ ନାହାନ୍ତି। ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଯାଏଁ ରହିଛି। ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ପାଠ ପଢେଇବା ପାଇଁ ଶିକ୍ଷକ ନାହାନ୍ତି। କେବଳ ପ୍ରାଇମେରୀ ଶିକ୍ଷକ ଏହି ସ୍କୁଲରେ ଶିକ୍ଷାଦାନ କରୁଥିବାରୁ ଏଠିକାର ଅଭିଭାବକ ମାନେ ବିଜ୍ଞାନ କିମ୍ବା ଜଣେ ବିଇଡି ଶିକ୍ଷକ ଦେବାପାଇଁ ଦାବୀ କରି ଆସୁଥିଲେ। ବ୍ଲକ ଶିକ୍ଷାଧିକାରୀ ବିଦ୍ୟାଳୟ ପାଇଁ ବିଜ୍ଞାନ କିମ୍ବା ବିଇଡି ଶିକ୍ଷକ ଦେବେ କଣ ଓଲଟା ଗତକାଲି ପୁଣି ଜଣେ ପ୍ରାଥମିକ ଶିକ୍ଷୟତ୍ରୀଙ୍କୁ ଏହି ବିଦ୍ୟାଳୟକୁ ବଦଳି କରି ନେଇ ଆସିବାରୁ ଅଭିଭାବକ ମହଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଫଳ ସ୍ୱରୂପ ଏହାକୁ ପ୍ରତିବାଦ କରି ବିଜ୍ଞାନ କିମ୍ବା ବିଇଡି ଶିକ୍ଷକ ତୁରନ୍ତ ଦିଆଯାଉ ବୋଲି ଦାବୀ କରିବା ସହିତ ବିଇଓଙ୍କ ବୈମାତୃକ ମନୋଭାବକୁ ବିରୋଧ କରି ପରିଚାଳନା କମିଟିର ସଭାପତି ସରୋଜ ପୂଝରୀଙ୍କ ନେତୃତ୍ୱରେ ଆଜି ଶୁକ୍ରବାର ଉପସଭାପତି ଭୂମିସିଙ୍ଗ ଠାକୁର, ପରିଚାଳନା କମିଟିର ସଦସ୍ୟ ସଂଜୀବ ବିଶି, ଗୌର ନାଏକ, ନିରଞ୍ଜନ ଗୌଡ଼, ସଦସ୍ୟା ଜାହ୍ନକୀ ପୁଝାରୀ, ପଙ୍କଜିନୀ ନାଏକଙ୍କ ସମେତ ଅଭିଭାବକ କିଶୋର ପାତ୍ର, ନୀଳକଣ୍ଠ ମାଝୀ, ଗଣେଶ ମାଝୀ, କାର୍ଣ୍ଣ ଦୋରା, ଦୟା ପୁଝାରୀ, ସନ୍ତୋଷ ସାହୁ, ପରିମଳ ମାଝୀଙ୍କ ସମେତ ଅନେକ ଅବିଭାବକ ଓ ଅବିଭାବିକା ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଏହାର ଯଦି ଶୀଘ୍ର ସମାଧାନ କରାନଯାଏ ତାହେଲେ ଆସନ୍ତା କାଲିଠାରୁ ବିଦ୍ୟାଳୟରେ ତାଲା ଝୁଲିବ ବୋଲି ପରିଚାଳନା କମିଟିର ସଭାପତି ଶ୍ରୀ ପୁଝାରୀ ମତବ୍ୟକ୍ତ କରିଛନ୍ତି।