ପଲମ ହାଇସ୍କୁଲରେ ବୃକ୍ଷ ରୋପଣ କଲେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଳକ ଅନ୍ତର୍ଗତ ପଲମ ପଞ୍ଚାୟତ ଉଚ୍ଚ ବିଦ୍ୟାପୀଠ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ଅବିନାଶ ଠାକୁର ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୃକ୍ଷରୋପଣ କରିବା ସହ ଛାତ୍ରଛାତ୍ରୀମାଧଙ୍କୁ ଉତ୍ସାହିତ କରିଥିଲେ। ଏହାସହ ୫-ଟି ଅଧିନରେ ହେଉଥିବା ବିଦ୍ୟାଳୟ ରୁପାନ୍ତରୀକରଣ କାର୍ଯ୍ୟର ତଦାରଖ ମଧ୍ୟ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସମସ୍ୟା ସମ୍ପର୍କରେ ସ୍କୁଲ ପରିଚାଳନା କମିଟି, ପଲମ ସରପଞ୍ଚ କିଶୋର ନାଗ ଓ ଅନ୍ୟ ମାନଙ୍କ ସହ ଆଲୋଚନା କରିଥିଲେ। ଏହା ସହିତ ଛାତ୍ରୀ ନିବାସର ସମସ୍ୟା ସମ୍ପର୍କରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କୁ ଫୋନ ମାଧ୍ୟମରେ ଅବଗତ କରିଥିଲେ। କାର୍ଯ୍ୟକ୍ରମକୁ ପ୍ରଧାନ ଶିକ୍ଷକ ରାଜେଶ କୁମାର ଭୋଇ ପରିଚାଳନା କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ ଖଗେଶ୍ବର ଭୋଇ, ପଲମ ସରପଞ୍ଚ କିଶୋର ନାଗ, ଗୌରଚନ୍ଦ୍ର ଗହୀର, ପୂର୍ବତନ ସରପଞ୍ଚ ମହେନ୍ଦ୍ର କୁମାର ଭୋଇ, ଛାତ୍ର ବିଜେଡ଼ି ନର୍ଲା ନିର୍ବାଚନ ମଣ୍ଡଳୀ ସଭାପତି ଦେବେନ୍ଦ୍ର ପ୍ରସାଦ କୁମାର, ଜିଲ୍ଲା ଛାତ୍ର ବିଜେଡ଼ି ଉପସଭାପତି ଜିତେନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇଥିଲେ। ଏଠାରେ ପ୍ରକାଶ ଯୋଗ୍ୟ ଯେ, ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ଶ୍ରୀ ଠାକୁର ତାଙ୍କ ଛାତ୍ର ଜୀବନରୁ ହିଁ ସମାଜ ସେବାକୁ ନିଜ ଜୀବନର ବ୍ରତ ଭାବରେ ଗ୍ରହଣ କରି ଅଞ୍ଚଳବାସୀଙ୍କ ସେବା କରି ଆସୁଛନ୍ତି। କରୋନା କାଳ କୁହନ୍ତୁ କି କଳାହାଣ୍ଡିରେ ବନ୍ୟା ବାତ୍ୟା କଥା କୁହନ୍ତୁ ସେ ଲୋକଙ୍କ ବିପଦ ସମୟରେ ସମସ୍ତଙ୍କ ସାଥିରେ ଛିଡା ହୋଇ ସହଯୋଗର ହାତ ବଢ଼ାଇ ଆସିଛନ୍ତି। ଜଣେ ଯୁବ ନେତା ଭାବରେ ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ହେବା ପରଠୁ ଦିନ ରାତି କଠୋର ପରିଶ୍ରମ କରି ଅଞ୍ଚଳର ସମସ୍ୟା ଗୁଡିକ ବୁଝି ସମାଧାନ ଦିଗରେ ପ୍ରୟାସ କରିଛନ୍ତି। ‘ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କ ସେବା କରିବା ପାଇଁ ମୋତେ ସୁଯୋଗ ଦେଇଛନ୍ତି। ମୋତେ ଆଶୀର୍ବାଦ କରିଛନ୍ତି। ଏଣୁ ମୁଁ ଲୋକଙ୍କ ସେବାକରି ଚାଲିଛି। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନୀତି ଓ ଆଦର୍ଶରେ ମୁଁ ଅନୁପ୍ରାଣିତ। ଏଣୁ ଯେତେଦିନ ପର୍ଯ୍ୟନ୍ତ ମୋ ଶରୀରରେ ଶକ୍ତିଥିବ ମୁଁ ଅଞ୍ଚଳବାସୀଙ୍କ ସେବା କରିଚାଲିବି’ – ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.