ରାସ୍ତା ପାଲଟିଛି ମରଣଯନ୍ତା

ବିଭାଗୀୟ ଅଧିକାରୀ ଶୁଣୁ ନ ଥିବା ଅଭିଯୋଗ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସରକାର ଗମନା ଗମନର ସୁବିଧା ପାଇଁ ଅନେକ ଯୋଜନା କରି ବିପୁଳ ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଗ୍ରମାଞ୍ଚଳରେ ଅନେକ କ୍ଷେତ୍ରରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଯୋଗୁଁ ଜନ ସାଧାରଣ ରାସ୍ତା ଭଳି ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି । ଏଭଳି ଏକ ସମସ୍ୟା ଦେଖା ଦେଇଛି ସୁବର୍ଣ୍ଣପୁର ଜିଲ୍ଲା ସଦର ସୋନପୁର ବ୍ଲକ ଲଛିପୁର ପଞ୍ଚାୟତ ଅନ୍ତର୍ଗତ ଡବଲଙ୍ଗ ଗାଁକୁ ଯିବା ରାସ୍ତାଟି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ଉକ୍ତ ରାସ୍ତାଟି ପାଇଁ ଅଞ୍ଚଳବାସୀ ଅନେକ ଦିନ ହେଲା ନେତା, ମନ୍ତ୍ରୀ , ସରପଞ୍ଚ, ବିଧାୟକ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ମଧ୍ୟ ଲିଖିତ ଅଭିଯୋଗ କରିଥିଲେ । ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାର ମରାମତି ହୋଇପାରି ନାହିଁ । ଉକ୍ତ ରାସ୍ତା ଦେଇ ତାଳ ଟିକ୍ରା, ତେତେଲପଦର, କର୍ମୀଗୋଠ, ଚସା ଗୋଠ ଓ କହଁର ଗୋଠ ର ପ୍ରାୟ ୩ଶହ ପରିବାର ସମେତ ଡ଼ବଲଙ୍ଗ ଗ୍ରାମର ଶତାଧିକ ଲୋକ ଏହି ରାସ୍ତା ଉପରେ ଦୈନନ୍ଦିନ କାର୍ଯ୍ୟ ପାଇଁ ନିର୍ଭର କରୁଛନ୍ତି । ରାସ୍ତା ଖରାପ ଯୋଗୁଁ ଲୋକେ ଯାତାୟତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଅନେକ ସମୟରେ ଛାତ୍ରଛାତ୍ରୀଙ୍କ ସହ ଗାଡ଼ି ମଟର ଯିବା ଆସିବାରେ ମଧ୍ୟ ବିଭିନ୍ନ ସମସ୍ୟା ଦେଖିବାକୁ ମିଳିଛି । ତେଣୁ ଏହି ରାସ୍ତାଟିକୁ ଶୀଘ୍ର ମରାମତି କରିବାକୁ ଅଞ୍ଚଳବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଛନ୍ତି । ଆଗାମୀ ଦିନରେ ବିଭାଗୀୟ ଅଧିକାରୀ ଏବିଷୟରେ କର୍ଣ୍ଣପାତ ନ କଲେ ଏକ ବଡ଼ ଧରଣର ଜନ ଆନ୍ଦୋଳନ ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.