ରାୟଗଡା ମାରୱାଡି ଯୁବ ମଂଚର ସାଇକ୍ଳୋଥନ ରାଲି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଆଜି ଜାତୀୟ କ୍ରୀଡା ଦିବସ । ଏହି ଅବସରରେ ରାୟଗଡା ନଗର ମାରୱାଡି ଯୁବା ମଂଚ ପକ୍ଷରୁ “ସାଇକ୍ଳୋଥନ ରାଲି” ଅନୁଷ୍ଠିତ ହୋଇଯାଇଛି । ହକି ଲିଜେଣ୍ଡ ମେଜର ଧ୍ୟାନଚାନ୍ଦଙ୍କର ଜୟନ୍ତି ଅବସରରେ କ୍ରୀଡା ଦିଵସ ପାଳନ କରାଯାଉଛି । ଦେଶର ବିଭିନ୍ନ ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ରାୟଗଡା ନଗରପାଳ ପି. ମହେଶ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ସାଇକେଲ ରାଲି ର ଶୁଭାରମ୍ଭ କରିଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଶେଖ୍ ଅଲିନୁର, ରାୟଗଡା ଥାନା ଅଧିକାରୀ କମଳକାନ୍ତ ବସନ୍ତ କୁମାର କହଁର, ବରିଷ୍ଠ ନାଗରିକ ଅଶୋକ ଜୈନଙ୍କ ସମେତ ଅନ୍ୟ ପ୍ରମୁଖ ସମ୍ମାନୀତ ଅତିଥିମାନେ ଯୋଗ ଦେଇ କ୍ରୀଡା ଦିବସ ପାଳନର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରିବା ସହ ରାଲିରେ ସାମିଲ ହୋଇଥିବା ଯୁବକଯୁବତୀମାନଙ୍କୁ ଉତ୍ସାହିତ କରିଥିଲେ । ଇଣ୍ଡୋର ଷ୍ଟାଡିୟମ ନିକଟସ୍ଥ ସଦଭାବନା କ୍ରୀଡାଙ୍ଗନ ଠାରୁ ସାଇକେଲ ରାଲିଟି ଆରମ୍ଭ ହୋଇ ରିଙ୍ଗ ରୋଡ, ରାଣୀଗୁଡା ଫାର୍ମ , ୩୨୬ ନମ୍ବର ଜାତୀୟ ରାଜପଥର ରିଲାଏନ୍ସ ମଲ ନିକଟ ପେଟ୍ରାେଲ ପମ୍ପ ଠାରୁ ୟୁ ଟର୍ଣ୍ଣ କରି ପୁଣି ଇଣ୍ଡୋର ଷ୍ଟାଡିୟମ ପର୍ଯ୍ୟନ୍ତ ୯ କିଲୋମିଟର ସହର ପରିକ୍ରମା କରିଥିଲେ । ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ସ୍ଥାନୀୟ ଅଂଚଳ ଓ ମାରୱାଡି ସମାଜର ପାଖାପାଖି ୫୦୦ ରୁ ଉର୍ଦ୍ଧ ଯୁବକଯୁବତୀମାନେ ସାମିଲ ହୋଇ କ୍ରୀଡାକୁ ଜୀବନର ଏକ ଅଂଶ ବୋଲି ଭାବି ପ୍ରତ୍ୟେକ ବ୍ୟକ୍ତି କିଛି ନା କିଛି କ୍ରୀଡା ଖେଳି ନିଜକୁ ସୁସ୍ଥ ରଖିବା ଦ୍ୱାରା ଏକ ସୁସ୍ଥ ସମାଜ ଗଠନ ହୋଇପାରିବ ଏବଂ ସ୍ୱାସ୍ଥ୍ୟ ହିଁ ସଂପଦ ବୋଲି ସଚେତନତା ସୃଷ୍ଟି କରିଥିଲେ । ସାଇକ୍ଲୋଥନ ରାଲି ଆବାହକ କମାଲ ମାଟାନିଆଙ୍କ ଉପସ୍ଥିତିରେ ରାୟଗଡା ନଗର ମାରୱାଡି ଯୁବା ମଂଚର ସଭାପତି ବିନୀତ ଅଗ୍ରୱାଲଙ୍କ ନେତୃତ୍ୱରେ ମାରୱାଡି ଯୁବା ମଂଚର ସମ୍ପାଦକ ଶୈଳେଲ ସିଂଘାଇ, କୋଷାଧକ୍ଷ ଉଦୟ ଜୈନ ଓ ଅନ୍ୟ ପଦାଧିକାରୀ, ସଦସ୍ୟମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.