ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲାର ଜଣାଶୁଣା ଅମାୟିକ ବ୍ୟକ୍ତିତ୍ୱ ତଥା ଜଣେ ଲବ୍ଧପ୍ରତିଷ୍ଠିତ ପଣ୍ତିତ ଭାବରେ ସମଗ୍ର ରାଜ୍ୟରେ ପ୍ରତିଷ୍ଠିତ ଥିବା ବିଶିଷ୍ଟ ପଣ୍ଡିତ ମେଘନାଦ ପାଣିଗ୍ରାହୀଙ୍କ ଆଜି ସନ୍ଧ୍ୟା ସମୟରେ ବିୟୋଗ ଘଟିଛି। କର୍ମକାଣ୍ତ ଶାସ୍ତ୍ର, ପୂଜାପଦ୍ଧତିରେ ତାଙ୍କର ଅଗାଢ଼ ଜ୍ଞାନ ଥିବା ବେଳେ ପେଶାରେ ସେ ଜଣେ ଆଦର୍ଶ ଶିକ୍ଷକ ଥିବାବେଳେ ନିଶାରେ ସେଥିଲେ କର୍ମକାଣ୍ତ ସାଧକ। ସେ ଥିଲେ ବିବାହ, ବ୍ରତ, ଅନ୍ୟାନ୍ୟ ଧାର୍ମିକ ଅନୁଷ୍ଠାନ ସହିତ ଚଣ୍ତିପାଠ ଓ ଯଜ୍ଞ ଅନୁଷ୍ଠାନର ପୋଖତ ପଣ୍ତିତ। ୧୯୯୦ ରୁ ୨୦୦୧ ସୋନପୁର ମା ସମଲେଶ୍ୱରୀ ମନ୍ଦିର ବେଢାରେ ୧୨ ବର୍ଷ ଚଣ୍ତିଯଜ୍ଞର ମୁଖ୍ୟ ପୁରୋହିତ ଦାୟିତ୍ୱ ତୁଲାଇଲା ପରେ ୨୦୧୧ ମସିହାରେ ମାଁ ସୁରେଶ୍ୱରୀଙ୍କ ପାବନ ପୀଠରେ ନଅ ଦିନ ବ୍ୟାପି ଚଣ୍ତି ମହାଯଜ୍ଞର ମୁଖ୍ୟ ପୁରୋହିତ ଭାବେ ଦାୟିତ୍ୱ ନିର୍ବାହ କରି ମାଁଙ୍କ ପ୍ରତି ତାଙ୍କରି ଭକ୍ତିର ନିଦର୍ଶନ ସୃଷ୍ଟି କରିପାରିଥିଲେ। ବାଲାଙ୍ଗୀର ରୁଗୁଡ଼ିପଡା ଦୁର୍ଗା ମଣ୍ଡପ ଓ ପାଖ ପଡୋଶୀ ବିଭିନ୍ନ ଜିଲ୍ଲାର ଦୁର୍ଗା ମଣ୍ଡପ କାଳୀ ମଣ୍ଡପ ଠାରେ ମଧ୍ୟ ଶ୍ରୀ ପାଣିଗ୍ରାହୀ ଦୀର୍ଘ ୨୫/୩୦ ବର୍ଷ ଧରି ଲଗାତାର ଭାବେ ନିଷ୍ଠା ଓ ସ୍ପଷ୍ଟ ଭାବେ ଉଚ୍ଚ କୋଟିର ମନ୍ତ୍ର ପଠନ କରି ସବୁଠି ହଜାର ହଜାର ଭକ୍ତ ଶ୍ରଦ୍ଧାଳୁଙ୍କୁ ବିହ୍ଵଳ କରି ଦେଉଥିଲେ। ଶ୍ରୀ ମେଘନାଦଙ୍କ ମନ୍ତ୍ର ଉଚ୍ଚାରଣ ଓ ଗୁରୁ ଗମ୍ଭୀର ସୁ-ମଧୁର ସ୍ୱରରେ ଯେ କେହି ବି ଲୋକଙ୍କୁ ରାସ୍ତାରୁ ପୂଜା ମଣ୍ଡପକୁ ଟାଣି ଆଣୁଥିଲା। ଆଜି ସଂଧ୍ୟା ୫ ଘଣ୍ଟା ସମୟରେ ତାଙ୍କରି ହିଙ୍ଗମା ଗ୍ରାମ ସ୍ଥିତ ବାସ ଭବନରେ ସ୍ୱର୍ଗାରୋହଣ ହୋଇଛି। ତାଙ୍କର ଧର୍ମପତ୍ନୀ, ୨ପୁଅ, ଝିଅ ଜ୍ୱାଇଁଙ୍କ ସହିତ ନାତି ନାତୁଣି ଅଛନ୍ତି। ସ୍ୱର୍ଗାରୋହଣ ଖବର ପରେ ସୁବର୍ଣ୍ଣପୁର ବ୍ରାହ୍ମଣ ସମାଜ, ବିଭିନ୍ନ ଧର୍ମାନୁଷ୍ଠାନ ଓ ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି। ସୁବର୍ଣ୍ଣପୁର ତ୍ରିବେଣୀ ସଙ୍ଗମ ସ୍ଥିତ ଶ୍ମଶାନ ଘାଟ ଠାରେ ଆଜି ତାଙ୍କର ଅନ୍ତିମ ସଂସ୍କାର ହୋଇଥିବାବେଳେ ବଡ଼ପୁଅ ସୋମନାଥ ପାଣିଗ୍ରାହୀ ମୁଖାଗ୍ନୀ ଦେଇଥିଲେ।