ରାସ୍ତା ଅବସ୍ଥା ଶୋଚନୀୟ; RD ରୋଡକୁ ଅବରୋଧ କଲେ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଶାନ୍ତପୁର ଗ୍ରାମ ପଞ୍ଚାୟତର ଗୋହିରା ପଦରରୁ ଶାନ୍ତପୁର ବସ୍ତିପଡା ଦେଇ ଆରଡି ରୋଡ ଲାଞ୍ଜିଗଡ଼ ରାସ୍ତାକୁ ସଂଯୋଗ କରୁଥିବା ଶାନ୍ତପୁର ଗାଁ ପାଖର ମଝି ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ଛି। ଦୀର୍ଘ ଦିନରୁ ବର୍ଷା ସମୟରେ ଏହି ରାସ୍ତା ଖରାପ ହୋଇ ପଡିଥିବାରୁ ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଥିସହ ଗ୍ରାମବାସୀ ଓ ପଥଚାରୀମାନେ ଯିବା ଆସିବା ସମୟରେ କଷ୍ଟ ଭୋଗ କରୁଛନ୍ତି। ଏହି ରାସ୍ତାକୁ ସୁଧାରିବା ପାଇଁ ଅନେକ ଥର ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଅଭିଯୋଗ କଲେ ମଧ୍ୟ କୈାଣସି ସୁଫଳ ମିଳି ପାରିନାହିଁ। ତେଣୁ ଆଜି ରଞ୍ଜନ ସାଙ୍କ ନେତୃତ୍ୱରେ ଶାନ୍ତପୁର ଗ୍ରାମର ଯୁବକମାନେ ରାସ୍ତା ଅବରୋଧ କରିଥିଲେ। ଘଟଣା ସ୍ଥଳରେ ନର୍ଲା ପୋଲିସ ପହଞ୍ଚି ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିଥିଲେ। ଏହା ପରେ ଶାନ୍ତପୁର ଗ୍ରାମ ପଞ୍ଚାୟତ ହସ୍ତକ୍ଷେପ କରି ଜରୁରୀ କାଳିନ ମରାମତି କରାଯିବ ବୋଲି ପ୍ରତିଶୃତି ଦେବାରୁ ରାସ୍ତା ଅବରୋଧ ହଟିଥିଲା। ତେବେ ସବୁଦିନିଆ ରାସ୍ତା ମରାମତି ପାଇଁ ଅଞ୍ଚଳବାସୀ ଆରଡି ବିଭାଗକୁ ଦାବି କରିଛନ୍ତି। ଘଟଣା ସ୍ଥଳରେ ରଞ୍ଜନ କୁମାର ସା, ବିକ୍ରମ ସା, ରାଜ କୁମାର ବାଗ, ଶାନ୍ତପୁରର ପୂର୍ବତନ ସମିତି ସଭ୍ୟ ଗୋବିନ୍ଦ ତାଣ୍ଡି, ଉଗ୍ରେ ବାଗ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.