ସୁବର୍ଣ୍ଣପୁର ପଞ୍ଚାରଥ ମନ୍ଦିରରୁ ଚୋରୀ ହୋଇଥିବା ଧାତୁ ମୂର୍ତ୍ତୀ ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାର କେନ୍ଦ୍ର ସ୍ଥଳରେ ରହିଥିବା ପଞ୍ଚରଥ ମନ୍ଦିରରୁ ଗତ ରାତିରେ ଚୋରୀ ଯାଇଥିବା କିଛି ଧାତୁ ମୂର୍ତ୍ତି ଆଜି ଉଦ୍ଧାର ହୋଇଛି । ସୋନପୁର-ବଲାଙ୍ଗୀର ରାସ୍ତାର ଝିଙ୍କି ଟିକ୍ରା ନିକଟରେ ଏକ ରଙ୍ଗ ମିସ୍ତ୍ରୀ ରଙ୍ଗକାମ କରୁଥିବା ସମୟରେ ଜଣେ ଯୁବକ ଆସି କିଛି ସାମଗ୍ରୀ ବିକ୍ରୀ କରିବାକୁ ଚାହିଁଥିଲା । ରଙ୍ଗ ମିସ୍ତ୍ରୀ ଜଣକ କି ସାମଗ୍ରୀ ବୋଲି ପଚାରିବାରୁ ଯୁବକ ଜଣକ ଗୋଟିଏ ବେଗରୁ କିଛି ଧାତୁ ମୂର୍ତ୍ତୀ ଦେଖାଇଥିଲା । ଫଳରେ ରଙ୍ଗ ମିସ୍ତ୍ରୀ ଏହା ଚୋରୀ ସାମଗ୍ରୀ ବୋଲି ସନ୍ଦେହ କରିବାସହ ଉକ୍ତ ଯୁବକକୁ ଧରି ପକାଇଥିଲେ । ହେଲେ ଯୁବକ ଜଣକ ଚତୁରତାର ସହ ବେଗ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା । ବେଗ ଭିତରେ ଗୋଟିଏ ଶିବ, ପାର୍ବତି, ବିଷ୍ଣୁ, ଗଣେଶ ସହ ଏକ କଳସ ଏବଂ ଘଣ୍ଟି ରହିଥିବା ଜଣାପଡିଛି । ତେବେ ଏନେଇ ରଙ୍ଗ ମିସ୍ତ୍ରୀ କିରଣ ଚରଣ ଦାସ ସୋନପୁର ଥାନାକୁ ଆସି ଉକ୍ତ ସାମଗ୍ରୀ ସବୁକୁ ଜମା ଦେଇଛନ୍ତି । ସେପଟେ ସୋନପୁର ସହର ପଞ୍ଚରଥ ମନ୍ଦିରରୁ ଗତ ରାତିରେ କିଛି ସାମଗ୍ରୀ ଚୋରୀ ହୋଇଥିବାନେଇ ଥାନାରେ ମାମଲା ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି । ତେବେ ଏହା ପଞ୍ଚରଥ ମନ୍ଦିରରୁ ଚୋରୀ ହୋଇଥିବା ସମସ୍ତ ସାମଗ୍ରୀ ବୋଲି ଆଇଆଇସି ପଦ୍ମାସିନୀ ମେହେରଙ୍କ ସୁତ୍ରରୁ ପ୍ରକାଶ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.