ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିଦେଶର ସାମ୍ୱିଧାନିକ ପଦବୀରେ ସାମିଲ ହେବାକୁ ଯାଉଛନ୍ତି ଆଉ ଜଣେ ଭାରତୀୟ ବଂଶୋଦ୍ଭବ। ସିଙ୍ଗାପୁରର ନୂତନ ରାଷ୍ଟ୍ରପତି ହେଲେ ଭାରତୀୟ ବଂଶୋଦ୍ଭବ ଥର୍ମନ ଶଣମୁଗରତ୍ନମ୍। ସେଠାକାର ଦୁଇ ପୁରୁଖା ନେତାଙ୍କୁ ପଛରେ ପକାଇ ସେ ଏହି ବାଜି ମାରି ନେଇଛନ୍ତି । ୭୦.୪%ରୁ ଅଧିକ ଭୋଟ୍ ଜିତି ସିଙ୍ଗାପୁରର ନବମ ରାଷ୍ଟ୍ରପତି ହୋଇଛନ୍ତି ଶଣମୁଗରତ୍ନମ୍। ଏକ ଦଶନ୍ଧିରୁ ଅଧିକ ସମୟ ପରେ ଅନୁଷ୍ଠିତ ହୋଇଥିଲା ସିଙ୍ଗାପୁରର ରାଷ୍ଟ୍ରପତି ନିର୍ବାଚନ। ନବମ ରାଷ୍ଟ୍ରପତି ପାଇଁ ସିଙ୍ଗାପୁରରେ ତ୍ରିକୋଣୀୟ ଲଢେଇ ଦେଖିବାକୁ ମିଳିଥିଲା। ଥର୍ମନଙ୍କ ବ୍ୟତୀତ ଅନ୍ୟ ଦୁଇ ପ୍ରାର୍ଥୀ- ସିଙ୍ଗାପୁର ଗଭର୍ଣ୍ଣମେଣ୍ଟ ଇନଭେଷ୍ଟମେଣ୍ଟ କର୍ପର ପୂର୍ବତନ ମୁଖ୍ୟ ବିନିଯୋଗ ଅଧିକାରୀ ଏନଜି କୋକ୍ ସୋଙ୍ଗ୍ ଏବଂ ଦେଶର ରାଷ୍ଟ୍ରାୟତ୍ତ ବୀମା ଗୋଷ୍ଠୀ ଏନଟିୟୁସି ଇନକମର ପୂର୍ବତନ ମୁଖ୍ୟ ଟେନ୍ କିନ୍ ଲିଆନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ୬୬ ବର୍ଷୀୟ ଶଣମୁଗରତ୍ନମ୍ ପୂର୍ବରୁ ଜଣେ ବରିଷ୍ଠ ମନ୍ତ୍ରୀ ରହିଥିଲେ। ରାଷ୍ଟ୍ରପତି ନିର୍ବାଚନର ସେ ମୋଟ ୨୪.୮ ଲକ୍ଷ ଭୋଟ୍ ମଧ୍ୟରୁ ୧୭,୪୬,୪୨୭ ଭୋଟ୍ (୭୦.୪ ପ୍ରତିଶତ) ପାଇଛନ୍ତି। ଶଣମୁଗରତ୍ନମ୍ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କୋକ ସାଙ୍ଗ ଏବଂ ଟାନ୍ କିଏନ୍ ଲିଆନ୍ ଯଥାକ୍ରମେ ୧୫.୭୨ ପ୍ରତିଶତ ଏବଂ ୧୩.୮୮ ପ୍ରତିଶତ ଭୋଟ୍ ପାଇଥିଲେ । ଶୁକ୍ରବାର ବିଳମ୍ବିତ ରାତିରେ ଏହି ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା। ଥର୍ମନ୍ ଶଣମୁଗରତ୍ନମ୍ ହୋଇଛନ୍ତି ସିଙ୍ଗାପୁରରେ ଭାରତୀୟ ମୂଳର ତୃତୀୟ ରାଷ୍ଟ୍ରପତି ।ଥର୍ମନ୍ ଶଣମୁଗରତ୍ନମଙ୍କ ଜନ୍ମ ସିଙ୍ଗାପୁରରେ ହୋଇଥିଲା | ସେ ଜଣେ ପ୍ରସିଦ୍ଧ ଅର୍ଥନୀତିଜ୍ଞ ଏବଂ ଅନେକ ବିଭାଗର ମନ୍ତ୍ରୀ ରହିଆସିଛନ୍ତି। ସିଙ୍ଗାପୁରରେ ଜନ୍ମଗ୍ରହଣ କରିଥିବା ଶଣମୁଗରତ୍ନମଙ୍କ ପିତା ତାମିଲ ମୂଳର ପାଥୋଲୋଜିଷ୍ଟ ହୋଇଥିବାବେଳେ ତାଙ୍କ ମା ଚାଇନିଜ ବଂଶୋଦ୍ଭବ ଅଟନ୍ତି। ସେ ଇଂରାଜୀ, ତାମିଲ, ମାଳୟ ଏବଂ ମାଣ୍ଡାରିନ୍ ଭାଷା ଜାଣନ୍ତି । ସେ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରୁ ସ୍ନାତକ ଏବଂ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ମାଷ୍ଟର ଡିଗ୍ରୀ ହାସଲ କରିଛନ୍ତି।