୮ ମାସରୁ ଉର୍ଦ୍ଧ୍ବ ସମୟ ଧରି ମିଳୁନି ବାର୍ଦ୍ଧ୍ୟକ ଭତ୍ତା

ଜିଲ୍ଲାପାଳଙ୍କ ଦ୍ୱାରସ୍ଥ କୋଲନରା ବ୍ଲକର ହିତାଧିକାରୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଦୀର୍ଘ ୮ ମାସ ଧରି ବାର୍ଦ୍ଧ୍ୟକ ଭତ୍ତା ପାଇବାରୁ ବଂଚିତ ହିତାଧିକାରୀ | ଆଉ ଏହି ପରିଣତ ବୟସରେ ଭତ୍ତା ଟଙ୍କା ନ ପାଇ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ହିତାଧିକାରୀ | ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କୋଲନରା ବ୍ଲକର ଖେଡାପଡା ଏବଂ ଡୁମୁରିଗୁଡା ଭଳି ଦୁଇଟି ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ | ଯଥାଶୀଘ୍ର ଭତ୍ତା ଟଙ୍କା ମିଳିବାର ବ୍ୟବସ୍ଥା ପାଇଁ ଆଜି ଉଭୟ ପଞ୍ଚାୟତର ୧୪ଜଣ ହିତାଧିକାରୀମାନେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସି ଜିଲ୍ଲାପାଳ ଶ୍ରୀମତୀ ସ୍ଵଧା ଦେବ ସିଂଙ୍କୁ ସାକ୍ଷାତ କରି ଅନୁରୋଧ କରିଛନ୍ତି | ହିତାଧିକାରୀଙ୍କ ଅନୁରୋଧକୁ ରକ୍ଷା କରି ତୁରନ୍ତ ଭତ୍ତା ଟଙ୍କା ପ୍ରଦାନ ବ୍ୟବସ୍ଥା ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ | ଖେଡାପଡା ଗ୍ରାମ ପଞ୍ଚାୟତର ଦେଓପୁର ଗ୍ରାମର ଦାୟିମା ହିକକା, ନାରୀ କାଡ୍ରାକା, ବୁଚି କାଡ୍ରାକା, ମାଣିକ ହୁଇକା, କାମଳାମଣୀ ସାରକା, ଭାନୁମତି ସାମଲ, ସୁବର୍ଣ୍ଣ କୌଶଲ୍ୟା ଗତ ଆଠ ମାସ ଧରି ବାର୍ଦ୍ଧକ୍ୟ ଭତ୍ତା ପାଇ ନ ଥିବା ବେଳେ ସ୍ଥାନୀୟ ସରପଞ୍ଚ, ପଂଚାୟତ ନିର୍ବାହୀ ଅଧିକାରୀ ଙ୍କୁ ଯାଇ ପଚାରିଲେ ବ୍ଲକକୁ ଯାଇ ଯୋଗାଯୋଗ କର କହୁଛନ୍ତି | ଆଉ ବ୍ଲକରେ ବିଡ଼ିଓ ଓ ବିଏସଏସଓ ଅଧିକାରୀ ତୁମ ବ୍ୟାଙ୍କ ଜମାଖାତାରେ ପଠାଇ ଦିଆଯାଇଛି ବୋଲି କହୁଛନ୍ତି କିନ୍ତୁ ଆମେ ବାରମ୍ବାର ଜମା ଖାତାକୁ ଅପଡେଟ କଲେ ମଧ୍ୟ ଆଜି ଯାଏଁ ଭତ୍ତା ଟଙ୍କା ପାଇନାହୁଁ ବୋଲି ହିତାଧିକାରୀ ମାନେ ପ୍ରକାଶ କରିଛନ୍ତି | ଅନୁରୂପ ଭାବେ କୋଲନରା ବ୍ଲକର ଡୁମୁରିଗୁଡା ଗ୍ରାମ ପଞ୍ଚାୟତର ଗୋପୀକାଙ୍କୁବାଡି ଓ ସାନ୍ତା ବାଡ଼ିଗାଁ ଗ୍ରାମର ହିତାଧିକାରୀ ବନମାଳୀ ହିକକା, ହାସ ହିକକା, ପୁନାଇ ହିକକା, ଡମ୍ବାଇ କାଡ୍ରାକା, ପୁଲୁ କାଡ୍ରାକା, ଡିକ କାଡ୍ରାକା ଓ ଜିଓମା ହୁଇକା ପ୍ରମୁଖ ଆଜି ଜିଲ୍ଲାପାଳଙ୍କୁ ଭେଟି ଭତ୍ତା ଟଙ୍କା ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି | ତେବେ ଉଭୟ ପଞ୍ଚାୟତର କେବଳ ଏହି ତିନୋଟି ଗ୍ରାମର ମାତ୍ର ୧୪ଜଣ ହିତାଧିକାରୀ ହିଁ ନୁହନ୍ତି ଆହୁରି ଅନେକ ହିତାଧିକାରୀ ଭତ୍ତା ଟଙ୍କା ନ ପାଇ ସରକାରଙ୍କ ଏହି ଯୋଜନାରେ ସୁଫଳ ପାଇ ପାରୁ ନାହାନ୍ତି ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.