ପାଲସିନିମା ଗାଁକୁ ନାହିଁ ପକ୍କା ରାସ୍ତା, ଘରଡିହ ପଟ୍ଟା ପାଇବାରୁ ମଧ୍ୟ ବଂଚିତ ଗ୍ରାମବାସୀ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ବନ ବିଭାଗର ସରଂକ୍ଷିତ ଜଙ୍ଗଲ ଅଞ୍ଚଳରେ ରହିଛି ଗାଁ | ଫଳରେ ନିର୍ମାଣ ହେଇପାରୁନାହିଁ ପକ୍କା ରାସ୍ତା ଆଉ ଘରଡ଼ିହ ପଟ୍ଟା ପାଇବାରୁ ମଧ୍ୟ ବଂଚିତ ହେଉଛନ୍ତି ଗ୍ରାମବାସୀ | ଏଭଳି ସମସ୍ୟାର ସମାଧାନ ପାଇଁ ଆଜି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳ ଶ୍ରୀମତୀ ସ୍ଵଧାଦେବ ସିଂଙ୍କୁ ଭେଟି ଦାବିପତ୍ର ପ୍ରଦାନ କାରି ଅନୁରୋଧ କରିଛନ୍ତି ରାୟଗଡା ଜିଲ୍ଲା ସଦର ବ୍ଲକ ଗୁମ୍ମା ପଂଚାୟତ ଅନ୍ତର୍ଗତ ପାଲସିନିମା ଗ୍ରାମବାସୀ | ରାୟଗଡା ବନାଞ୍ଚଳର ଗୁମ୍ମା ସେକ୍ସନ ଅଧିନସ୍ତ ସରଂକ୍ଷିତ ଜଙ୍ଗଲ ଅଂଚଳରେ ପାଲସିନିମା ଗ୍ରାମ ଅବସ୍ଥିତ | ଏଠାରେ ୨୨ଘର ପରିବାର ରହି ଆସୁଛନ୍ତି | ତେବେ ଗାଁ ଯିବାକୁ କେବଳ ଏକ ମାତ୍ର ମାଟି ରାସ୍ତା ରହିଥିବା ବେଳେ ଏହାର ଶୋଚନୀୟ ଅବସ୍ଥା ଯୋଗୁଁ ଗ୍ରାମବାସୀ ଯାତାୟତକୁ ନେଇ ନାହିଁ ନ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି | ବର୍ଷା ଦିନ ଆସିଲେ ଖାଲ ଢିପ ଭରା ଏହି ରାସ୍ତାଟିରେ ଏମାନଙ୍କ ଯାତାୟାତ ଦୁଃଖ ଆହୁରି ଦ୍ବିଗୁଣିତ ହୋଇଯାଏ ବୋଲି ଗ୍ରାମର ଭୀଷ୍ମ ବେନିଆ, ଜୟଶନ ଖୋସଲା, ସମୀର ଗାଣ୍ଟା, ରାଜୁ ବେନିଆ, ଲକ୍ଷ୍ମଣ ବେନିଆ ପ୍ରମୁଖ ପ୍ରକାଶ କରିଛନ୍ତି | ବର୍ଷା ଯୋଗୁଁ ଏହି ରାସ୍ତାଟି କାଦୁଅ ପଚ ପଚ ହୋଇ ଯାଇଥାଏ | ଫଳରେ ଗାଁକୁ ଆମ୍ବୁଲାନ୍ସ ସେବା ମଧ୍ୟ ଉପଲବ୍ଧ ହୋଇ ପାରେନାହିଁ କିମ୍ବା ଚାଲି ଚାଲି ଯିବା ପାଇଁ ମଧ୍ୟ ଯାତାୟତ ଉପଯୋଗୀ ହେଇ ପାରୁ ନାହିଁ ଗାଁକୁ ଯିବା ଏହି ରାସ୍ତା | ବାରମ୍ବାର ସରପଞ୍ଚଙ୍କ ଠାରୁ ଆରମ୍ଭ କରି ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ଦାବି କରାଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିବା ଗ୍ରାମର ଯୁବକ ସଙ୍ଘ ପ୍ରକାଶ କରିଛି | ସେହିପରି ଗାଁରେ ଥିବା ୨୨ଘର ପରିବାରକୁ ଆଜି ଯାଏଁ ଘରଡ଼ିହ ପଟ୍ଟା ମିଳି ନ ଥିବାରୁ ଗ୍ରାମବାସୀ ଆଜି ବି ସରକାରଙ୍କ ବିଭିନ୍ନ ଯୋଜନାରୁ ବଂଚିତ ହେଉଥିବା ଗ୍ରାମବାସୀ ପ୍ରକାଶ କରିବା ସହ ପୂର୍ତ୍ତ ବିଭାଗ ରାସ୍ତା ଠାରୁ ତିଲରୀ ଭାୟା ପାଲସିନିମା ଗାଁ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି |

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.