ମହିଳା ସଶକ୍ତିକରଣକୁ ଡ଼. ସୁନୀତି ମୁଣ୍ଡଙ୍କ ଗୁରୁତ୍ଵ

ମହିଳା ସଶକ୍ତିକରଣ; ସାମାଜିକ ସମୀକ୍ଷା ଓ ପ୍ରଶିକ୍ଷଣ କର୍ମଶାଳା

ମହିଳା ମାନେ କିପରି ଆର୍ଥିକ ସଶକ୍ତ ହେବେ ସେଥିପ୍ରତି ଗୁରୁତ୍ଵ

ମହିଳା ସଶକ୍ତ ହେଲେ ଦେଶ ସଶକ୍ତ ହେବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମହିଳାମାନଙ୍କୁ ଉପାର୍ଜନକ୍ଷମ କରି ସେମାନଙ୍କୁ ଆର୍ଥିକ ସଶକ୍ତ କରିବା ଏବଂ ସେମାନଙ୍କ ଅଧିକାର ସୁରକ୍ଷିତ ରଖିବା ନିତାନ୍ତ ଜରୁରୀ ବୋଲି କଳାହାଣ୍ଡି ବିକାଶ ପରିଷଦର ଅଧ୍ୟକ୍ଷା ଡକ୍ଟର ସୁନୀତି ମୁଣ୍ଡ୍ କହିଛନ୍ତି । ସେ କହିଛନ୍ତି, ସମ୍ପ୍ରତି ମହିଳାଙ୍କ ବିକାଶ ନିମନ୍ତେ ଏକାଧିକ ଯୋଜନା କାର୍ଯ୍ୟକାରୀ କରାଯାଉଛି । ସେମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ଦିଗରେ ଉଭୟ ସରକାର ଓ ନାଗରିକ ସମାଜର ଗୁରୁଦାୟିତ୍ୱ ରହିଛି । ବିଶେଷକରି ରାଜ୍ୟର କଳାହାଣ୍ଡି ଭଳି ପଛୁଆ ଜିଲ୍ଲାରେ ମହିଳାମାନଙ୍କୁ ସଚେତନ କରି ଏହି ପ୍ରୟାସରେ ସାମିଲ କରିବାକୁ କଳାହାଣ୍ଡି ବିକାଶ ପରିଷଦ ଉଦ୍ୟମ କରୁଛି । ଏହି କ୍ରମରେ ଏକତା ଟ୍ରଷ୍ଟ ସହଯୋଗରେ କଳାହାଣ୍ଡି ଜିଲ୍ଲାର ମହିଳାଙ୍କ ପାଇଁ ଚଳିତ ମାସ ୨ ତାରିଖରେ ଭବାନୀପାଟଣା ଠାରେ ‘ମହିଳା ସଶକ୍ତିକରଣ; ସାମାଜିକ ସମୀକ୍ଷା ଓ ପ୍ରଶିକ୍ଷଣ କର୍ମଶାଳାର କୋର୍ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହିଳା ସଶକ୍ତିକରଣ ବାସ୍ତବ କ୍ଷେତ୍ରରେ କିଭଳି ରୂପାୟନ ହେଉଛି ଏବଂ ମହିଳାମାନେ ସେଥିରୁ ସୁଫଳ ପାଉଛନ୍ତି କି ନାହିଁ ତାହାର ସମୀକ୍ଷା କରାଯିବା ସହିତ ମହିଳାମାନଙ୍କୁ ସ୍ୱାବଲମ୍ବୀ ଓ ସଶକ୍ତ କରିବାକୁ ବିଭିନ୍ନ କ୍ଷେତ୍ରରେ ତାଲିମ ପ୍ରଦାନ କରିବା ନେଇ ହିତାଧିକାରୀ ଚୟନ କରାଗଲା । ଏହି ଅବସରରେ ଏକତା ଟ୍ରଷ୍ଟର ଅଧ୍ୟକ୍ଷା ଦିପ୍ତୀରେଖା ପଟ୍ଟନାୟକ ଏବଂ ଟ୍ରଷ୍ଟ ପରିଚାଳନା କରୁଥିବା ମୂଖ୍ୟ ଟ୍ରଷ୍ଟି ରବି ମହାରଣା ବିଶେଷକରି ମତ୍ସ୍ୟଚାଷ, ଆକ୍ୱାରିୟମରେ ରଖାଯାଉଥିବା ରଙ୍ଗୀନ ପ୍ରଜାତିର ମାଛ ପାଳନ, କୃଷିକାର୍ଯ୍ୟ, ବର୍ଜ୍ୟବସ୍ତୁ ପରିଚାଳନା, ଟେଲରିଂ ଓ ଷ୍ଟିଚିଂ, ଟେରାକୋଟା, କ୍ରାଫ୍ଟ ଓ ହ୍ୟାଣ୍ଡିକ୍ରାଫ୍ଟ, ବିୟୁଟିପାର୍ଲର ତାଲିମ, ରୋଷେଇଘର ବଗିଚା ଏବଂ ଉଦ୍ୟାନ କୃଷି, ସୂଚନା ଓ ପ୍ରଯୁକ୍ତି, କାରବାର, ଆକାଉଣ୍ଟିଂ ଓ ଫାଇନାନ୍‌ସିଆଲ, ଅଙ୍ଗନବାଡି, ସ୍କୁଲ, କଲେଜ ଆଦିରେ ଶିକ୍ଷାଭିତ୍ତିକ ସଚେତନତା ସ୍ତର ବୃଦ୍ଧି, ସାଇବର ସୁରକ୍ଷା ଏବଂ ହ୍ୟାକିଂ, ଅପରାଧ ନିୟନ୍ତ୍ରଣ ସମ୍ପର୍କିତ ସଚେତନତା, ମହୁ ଚାଷ, ମୁକ୍ତା ଚାଷ, ଛତୁ ଚାଷ, ମାର୍କେଟିଂ, ସଡକ ନିରାପତ୍ତା ଆଦି ସମ୍ପର୍କରେ ସୂଚନା ଦେବା ସହିତ ଅଭିଜ୍ଞ ବ୍ୟକ୍ତିବିଶେଷଙ୍କ ଦ୍ୱାରା ତାଲିମ ପ୍ରଦାନ କରାଯାଉଥିବା ପ୍ରକାଶ କରିଥିଲେ । ଏହାଦ୍ୱାରା ଜିଲ୍ଲାର ମହିଳାମାନଙ୍କୁ ସ୍ୱାବଲମ୍ବୀ କରାଯିବା ସହିତ ସେମାନଙ୍କ ଆର୍ଥିକ ଅବସ୍ଥାରେ ସୁଧାର ଅଣାଯାଇପାରିବ ବୋଲି ପରିଷଦର ଅଧ୍ୟକ୍ଷା ସୁନୀତି ମୁଣ୍ଡ୍ କହିଛନ୍ତି । ଏହି ଅବସରରେ ମହିଳା ସଶକ୍ତିକରଣର ଜଣେ ସଫଳ ପ୍ରତିକ ଭାବେ ତଥା ମହିଳାମାନଙ୍କୁ ଆତ୍ମନିର୍ଭରଶୀଳ ହେବାରେ ନିରନ୍ତର ପ୍ରୟାସ କରି ଉତ୍ସାହିତ କରିଆସୁଥିବା ଶ୍ରୀମତୀ ଝୁନୁପମା ଶତପଥିଙ୍କୁ ପରିଷଦ ପକ୍ଷରୁ ସମ୍ମାନୀତ କରାଯାଇଥିଲା । ଏହି କର୍ମଶାଳାରେ ମୁଖ୍ୟ ସଂଯୋଗକାରି ମାନେ ଯୋଗ ଦେଇ ତାଲିମ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ କରିବା ଲାଗି ପ୍ରସ୍ତୁତ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.