ଅନାଥାଶ୍ରମରୁ କୋଳେଇ ଆଣିଥିଲେ, ପୁଅ ନେଇଗଲା ବାପା-ମା’ଙ୍କ ଜୀବନ

ଅନାଥାଶ୍ରମରୁ ଆଣି ବାପା-ମା’ର ମମତା ଦେଇଥିଲେ । ଗେଲ ଆଦରରେ ବଢାଇଥିଲେ । ତା ଆଖିରେ ନିଜ ସ୍ୱପ୍ନକୁ ପୂରଣ କରୁଥିଲେ ଏଇ ଆମେରିକୀୟ ଦମ୍ପତ୍ତି । ହେଲେ ଏ ବାତ୍ସଲ୍ୟ ସ୍ନେହ ଆଉ ସମ୍ପର୍କ  ୭ ବର୍ଷ ବି ଗଲାନି । ଶେଷରେ ପୁଅ ସାଜିଲା ବାପା-ମା’ଙ୍କ ହତ୍ୟାକାରୀ ।

ଆମେରିକୀୟ ଦମ୍ପତ୍ତି ରାବି ଏବଂ ଜେନିଫର ଟାବର  ୟୁକ୍ରେନର ଏକ ଅନାଥାଶ୍ରମରୁ ପୁଅଟିଏ ଆଣି ପାଳିଥିଲେ । ସେତେବେଳେ ପୁଅର ବୟସ ଥିଲା ୧୪ ବର୍ଷ । ରଖିଥିଲେ ଡିମା ଟାବର । ଡିମା ତାର ପାଳିତ ବାପା-ମା’ଙ୍କୁ ଫ୍ଲୋରିଡାର ନର୍ଥ ପୋର୍ଟସ୍ଥିତି ନିଜ ଘରେ ଛୁରୀ ଭୂଷି ହତ୍ୟା କରିଛନ୍ତି । ପୋଲିସ ଡିମାଙ୍କୁ ଗିରଫ କରିଛି ।

ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଏହି ଖ୍ରୀଷ୍ଟ  ଦମ୍ପତି ରିୟଲ ଇଷ୍ଟେଟ ଏଜେଣ୍ଟ ଭାବେ କାମ କରନ୍ତି । ତାଙ୍କର ରକ୍ତାକ୍ତ ଶରୀର ଗତକାଲି ତାଙ୍କ ଲିଭିଂରୁମରୁ  ଉଦ୍ଧାର କରାଯାଇଥିଲା । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ‘ରାବି ଓ ଜେନିଫର ଦୁହେଁ ବହୁତ ଭଲ ମଣିଷ ଓ ପରୋପକାରୀ ଥିଲେ । ଏହି ଦମ୍ପତ୍ତି ନିଃସନ୍ତାନ ଥିଲେ ଏବଂ ସନ୍ତାନ ହେବାର ସମ୍ଭାବନା ନଥିଲା । ସେଥିପାଇଁ ସେମାନେ ଡିମାକୁ କୋଳକୁ ନେଇଥିଲେ ।  ସେମାନେ ଡିମାଙ୍କୁ ବହୁତ ସ୍ନେହ ଆଦର କରୁଥିଲେ । ହେଲେ ଡିମା ମନରେ କାହିଁକି ଏତେ ଆକ୍ରୋଶ ଥିଲା ଆମେ ବୁଝି ପାରୁନୁ । ସେମାନେ ତାକୁ ନିଜ ପୁଅ ପରି ଭଲ ପାଉଥିଲେ ।’

ଡିମାର ମା’ ପିଲାବେଳୁ ତାଙ୍କୁ ଛାଡି ସବୁଦିନ ପାଇଁ ଦୁନିଆ ଛାଡି ଦେଇଥିଲେ । ବାପା ଥିଲେ ମଦ୍ୟପ । ମଦ୍ୟ ପାନ ପରେ ଡିମକୁ ଖୁବ ମାରପିଟ କରୁଥିଲେ । ଶେଷରେ ତାକୁ ଛାଡି ଦେଇଥିଲେ । ୭ ବର୍ଷ ତଳେ ସେମାନେ ଡିମାକୁ କୋଳକୁ ନେଇଥିଲେ ।

ପାଳିତ ବାପା-ମା’ଙ୍କୁ ହତ୍ୟା କରିବା ପରେ ଡିମା ଫେରାର ହୋଇଯାଇଛି । ଏକ କାରରେ ସେ ଫେରାର ହୋଇ ଯାଇଥିଲା । ହେଲେ ପରେ ତାଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ତେବେ ଡିମା ନିଜ ପାଳିତ ମାତାପିତାଙ୍କୁ କାହିଁକି ମାରିଲା ତାହା ସ୍ପଷ୍ଟ ହୋଇନି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.