ଭାରତୀୟ ସିପାହୀଙ୍କ ମୃତ୍ୟୁରେ ସୋନପୁରରେ ଶୋକ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଭାରତୀୟ ସଂରକ୍ଷିତ ବାହିନୀ (IRB) ସିପାହୀ ସଚିନ କୁମାର ସାହୁଙ୍କ ୩୪ ବର୍ଷ ବୟସରେ ପରଲୋକ ଘଟିଛି। ଏ ଖବର ପ୍ରସାରିତ ହେବା ପରେ ସୋନପୁର ମଝିପଡ଼ା ସହିତ ସହର ସାରା ଶୋକର ଛାୟା ଖେଳି ଯାଇଛି। ସିପାହୀ ସଚିନ ଦୀର୍ଘ ୨୦ ଦିନ ଧରି ବୁର୍ଲା ଭୀମସାର ମେଡିକାଲ ଓ କଟକ ବଡ ମେଡିକାଲରେ କାମଳ ରୋଗରେ ଚିକିତ୍ସିତ ହୋଇ ଆସୁଥିବା ବେଳେ ଆଜି ଭୋର୍ ସମୟରେ ତାଙ୍କ ପ୍ରାଣବାୟୁ ଚାଲି ଯାଇଛି। ଶ୍ରୀ ସାହୁ ୨୦୦୯ ରୁ ରାଉରକେଲା ଠାରେ ଇଣ୍ଡିଆନ ରିଜର୍ଭ ବାଟେଲିଆନରେ ଯୋଗଦାନ କରି ବର୍ତ୍ତମାନ ଦେବଗଡ଼ ଜିଲ୍ଲା ରେ ରହି ଦେଶ ତଥା ମା ମାଟି ପାଇଁ ସେବା କରି ଆସୁଥିଲେ l ଆଜି ସଚିନଙ୍କ ମର ଶରୀର ସୋନପୁର ମଝିପଡ଼ା ବାସ ଭବନକୁ ପହଁଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ରାମଧୁନ କ୍ଳବ୍ ର ସଦସ୍ୟ ତଥା ସହରର ୫୦୦ ରୁ ଉର୍ଦ୍ଧ ଲୋକ ସଚିନଙ୍କ ମର ଶରୀରକୁ ଅନ୍ତିମ ଦର୍ଶନ କରି ଏକ ବିରାଟ ଶୋଭଯାତ୍ରାରେ ରାମେଶ୍ବର ଶ୍ମସାନ ଘାଟକୁ ନେଇଥିଲେ। ସଚିନଙ୍କ ଏକ ଦୁଇ ବର୍ଷ ର କୁନି ଝିଅ ଥିବା ବେଳେ ପରିବାରରେ ଶୋକର ଛାୟା ଖେଳି ଯାଇଛି l ଆଜି ରାମେଶ୍ବର ସ୍ମଶାନ ଘାଟରେ ସଚିନଙ୍କ ଅନ୍ତିମ ସଂସ୍କାର କରା ଯାଇଥିବା ବେଳେ ପିତା ପ୍ରଦୀପ ସାହୁ ପୁଅକୁ ମୁଖାଗ୍ନି ଦେଇଥିଲେ। ପ୍ରାକ୍ତନ ନଗରପାଳ କଇରୁ ସ୍ୱାଇଁ, ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟ ପୀୟୂଷ ପଣ୍ଡା, ବିକାଶ ପଣ୍ଡା, ଜଗତ ବନ୍ଧୁ ତ୍ରିପାଠୀ, ହରି ସାହୁ, ବରିଷ୍ଠ ସାମ୍ବାଦିକ ମନୋରଞ୍ଜନ୍ ତ୍ରିପାଠୀଙ୍କ ସମେତ ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସଚୀନଙ୍କ ସଂସ୍କାର କାର୍ଯ୍ୟରେ ଯୋଗଦାନ କରିଥିଲେ। ପ୍ରକାଶ ଥାଉକି ସ୍ୱର୍ଗୀୟ ସଚିନ ରାମଧୁନ ଫୁଟବଲ ଦଳର ଜଣେ ଶ୍ରେଷ୍ଠ ଗୋଲ କିପର ଭାବେ ଖ୍ୟାତି ଅର୍ଜନ କରି ଦଳକୁ ରାଜ୍ୟର ଅନେକ ସ୍ଥାନରେ ଚମ୍ପିୟାନ କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ରାମଧୁନ କ୍ଳବ୍ ର ଜଣେ ଶୃଙ୍ଖଳିତ ସଦସ୍ୟ ଭାବରେ ସବୁ କାମରେ ସେ ଯୋଗଦାନ କରୁଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.