ସାଇନବୋର୍ଡ କିମ୍ବା ଟାଇଟେଲରେ ଅପବ୍ୟବହାର ନକରିବାକୁ ଡାକ୍ତରଙ୍କୁ ଏନଏମସିର ଚେତାବନୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଜାତୀୟ ମେଡିକାଲ କମିସନ (ଏନ୍ଏମସି) ଡାକ୍ତରଙ୍କ ବୃତ୍ତିଗତ ଆଚରଣ ଉପରେ ଏକ ଇ-ବୁକ୍ ଜାରି କରିଛନ୍ତି, ଯେଉଁଥିରେ ଟାଇଟଲ୍ ଓ ସାଇନବୋର୍ଡ (ନାମଫଳକ)ର ଅପବ୍ୟବହାର ବିରୋଧରେ ଚେତାବନୀ ଦିଆଯାଇଛି। ଏହି ଇ-ବୁକରେ କୁହାଯାଇଛି ଯେ, ଡାକ୍ତରମାନେ ଅସ୍ବାଭାବିକ ଭାବେ ବଡ଼ ସାଇନବୋର୍ଡ ବ୍ୟବହାର ନକରିବା ସହ ନିଜ ନାମ ବ୍ୟତୀତ ଅନ୍ୟ କିଛି ଲେଖି ପାରିବେ ନାହିଁ। ଶିକ୍ଷାଗତ ଯୋଗ୍ୟତା ଯେପରିକି କୌଣସି ବିଶ୍ୱବିଦ୍ୟାଳୟ କିମ୍ବା ବିଧିବଦ୍ଧ ସଂସ୍ଥାରୁ ହାସଲ କରିଥିବା ଯୋଗ୍ୟତା, ଉପାଧୀ, ସେମାନଙ୍କର ବିଶେଷତ୍ୱ ଏବଂ ରେଜିଷ୍ଟ୍ରେସନ ନମ୍ବର ରହିପାରିବ ନାହିଁ।ସେହିପରି ନିର୍ଦ୍ଦିଷ୍ଟ ସ୍ପେସିଆଲିଟିରେ ଯୋଗ୍ୟତା ନଥିବା ଡାକ୍ତରମାନେ ‘ପରାମର୍ଶଦାତା/ବିଶେଷଜ୍ଞ’ ଉପାଧି ବ୍ୟବହାର ନକରିବାକୁ ଏନ୍ଏମସି ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଇ-ବୁକରେ ଜଣେ ଡାକ୍ତରଙ୍କ ଉଦାହରଣ ଦିଆଯାଇଛି, ଯିଏ ସ୍ନାତକୋତ୍ତର ଯୋଗ୍ୟତା ନଥାଇ କନସଲଟାଣ୍ଟ ସୋନୋଲୋଜିଷ୍ଟ (ଡାଇଗ୍ନୋଷ୍ଟିକ୍ ଅଲଟ୍ରାସାଉଣ୍ଡ ଇଣ୍ଟରପ୍ରିଟେସନରେ ଦକ୍ଷ ଡାକ୍ତର) ଭାବେ ପ୍ରାକ୍ଟିସ କରୁଥିଲେ। ଏହି ଡାକ୍ତର ଜଣକ ପିସିପିଏନଡିଟି ଆକ୍ଟ ଅନୁଯାୟୀ ଅଲଟ୍ରାସାଉଣ୍ଡରେ 6 ମାସର ସାର୍ଟିଫିକେଟ୍ ଟ୍ରେନିଂ ନେଇଥିଲେ, କିନ୍ତୁ ଏହି ଟ୍ରେନିଂ ତାଙ୍କୁ ସାର୍ଟିଫିକେଟ୍ ବାହାରେ ଥିବା ଅଞ୍ଚଳରେ କନସଲଟାଣ୍ଟ ରେଡିଓଲୋଜିଷ୍ଟ/ସୋନୋଲୋଜିଷ୍ଟ ଭାବେ ପ୍ରାକ୍ଟିସ କରିବାକୁ ଅନୁମତି ଦେଉନାହିଁ। ପିସିପିଏନ୍ଡିଟି ଆକ୍ଟରେ ନିର୍ଦ୍ଦିଷ୍ଟ ସାର୍ଟିଫିକେଟ୍ ଟ୍ରେନିଂର ପରିଧି ବାହାରେ ଡାକ୍ତର ଅନ୍ୟ ରୋଗ ପାଇଁ ଅଲଟ୍ରାସାଉଣ୍ଡ କରୁଥିଲେ ବୋଲି ଏନ୍ଏମସି ପକ୍ଷରୁ କୁହାଯାଇଛି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ (ଆଇଏମ୍ଏ) ଏ ନେଇ ଅଭିଯୋଗ ଆଣିବା ପରେ ମାମଲା ଏନ୍ଏମସିକୁ ଯାଇଥିଲା। ଶୁଣାଣି ଓ ବିଚାରବିମର୍ଶ ପରେ ଏନ୍ଏମସି ଏଥିକ୍ସ ଆଣ୍ଡ ମେଡିକାଲ ରେଜିଷ୍ଟ୍ରେସନ୍ ବୋର୍ଡ (ଇଏମ୍ଆରବି) ଡାକ୍ତରଙ୍କୁ ପିସିପିଏନଡିଟି ଆଇନ୍ ବାହାରେ ନ ଯିବା ପାଇଁ ଏକ ସତ୍ୟପାଠ ଦାଖଲ କରିବା ସହ ଭବିଷ୍ୟତରେ ‘ପରାମର୍ଶଦାତା ସୋନୋଲୋଜିଷ୍ଟ’ ଉପାଧି ବ୍ୟବହାରରୁ ନିବୃତ୍ତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଚିକିତ୍ସା କରୁଥିବା ଡାକ୍ତରଙ୍କ ଦ୍ୱାରା ଟାଇଟେଲ ଓ ସାଇନବୋର୍ଡର ଅପବ୍ୟବହାର ରୋଗୀଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ବିଭ୍ରାନ୍ତ କରିପାରେ ଓ ଭୁଲ୍ ଡାଏଗ୍ନୋଷ୍ଟିକ୍ କରି ରୋଗୀଙ୍କୁ କ୍ଷତି ପହଞ୍ଚାଇପାରେ ବୋଲି ଏନ୍ଏମସି ପକ୍ଷରୁ କୁହାଯାଇଛି। ଏଥିରେ ଆହୁରି କୁହାଯାଇଛି ଯେ ଏହି ଅନୈତିକ ଅଭ୍ୟାସ ଜନସାଧାରଣଙ୍କ ଦୃଷ୍ଟିରେ ଡାକ୍ତରୀ ଜଗତର ପ୍ରତିଷ୍ଠାକୁ ବିପନ୍ନ କରିପାରେ ଏବଂ ବୃତ୍ତି ପ୍ରତି ବିଶ୍ୱାସକୁ କ୍ଷୁର୍ଣ୍ଣ କରିପାରେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.