ସମଗ୍ର ଶିକ୍ଷା ପକ୍ଷରୁ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ସମଗ୍ର ଶିକ୍ଷା କଳାହାଣ୍ଡି ପକ୍ଷରୁ ଜିଲ୍ଲା ସ୍ତରୀୟ ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳିତ ହୋଇଯାଇଛି। ଏହାକୁ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଟେମଲାଲ ଦୁବେ ଉଦଘାଟନ କରିଥିବା ବେଳେ ଏହି ଅବସରରେ ଜିଲ୍ଲାର ୧୩ଟି ବ୍ଲକରୁ ପ୍ରଥମ ହୋଇ ଆସିଥିବା ଛାତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ, ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବାଳିକାମାନେ ସମ୍ମୁଖୀନ ହେଉଥିବା ଆହ୍ବାନର ମୁକାବିଲା କରିବା, ସେମାନଙ୍କ ସଶକ୍ତିକରଣ ଓ ମାନବିକ ଅଧିକାର ସୁନିଶ୍ଚିତ କରିବା ଏହାର ମୁଖ୍ୟ ପ୍ରସଙ୍ଗ ଥିଲା। ଉଦଯାପନୀ ସମାରୋହରେ ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ମୁଖ୍ୟ ଅତିଥି ଓ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନନ୍ଦା ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଜିଲ୍ଲା ବାଳିକା ଶିକ୍ଷା ସଂଯୋଜିକା ଲିପିକା ଅପରାଜିତା ଅଧ୍ୟକ୍ଷତା କରିଥିଲେ।

ଏହି ଅବସରରେ ଚହକା ଉଚ୍ଚ ବିଦ୍ୟାଳୟ, କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ତୁଳାପଡ଼ା ଓ ବେହେରାର ଛାତ୍ରୀମାନେ ନାରୀ ସଶକ୍ତିକରଣ ଉପରେ ନୃତ୍ୟ ପରିବେଷଣ କରିଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ। ସରିଆଁ ସିଆରସିସି ସୁଧୀର କୁମାର ଧଙ୍ଗଡ଼ାମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ବରିଷ୍ଠ ଶିକ୍ଷକ ସଞ୍ଜୀବ କୁମାର ପାଢ଼ୀ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ଜିଲ୍ଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଂଯୋଜକ ବୀରେନ୍ଦ୍ର ଆଚାର୍ଯ୍ୟ, ବୋର୍ଡା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରକାଶ ନିଶଙ୍କ, ଏକାଉଣ୍ଟେଣ୍ଟ ସଞ୍ଜିତ ସାହୁ ତଥା ବିଦ୍ୟାଳୟର କର୍ମଚାରୀମାନେ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଜିଲ୍ଲାର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅନ୍ତର୍ଜାତୀୟ କନ୍ୟାସନ୍ତାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ସଚେତନତା ରାଲି ତଥା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.