ସ୍ମାର୍ଟ ଲୋକଙ୍କୁ ସ୍ମାର୍ଟ ଉପାୟରେ ଠକେଇ: ୨ ଶହ ବ୍ୟାଙ୍କ ଖାତାରୁ ଗାଏବ ହୋଇଗଲା ୨ କୋଟି ଟଙ୍କା

ଓଡ଼ିଆ ବାର୍ତ୍ତା/ ବେଙ୍ଗାଲୁରୁ: ସ୍ମାର୍ଟ ଲୋକଙ୍କୁ ସ୍ମାର୍ଟ ଉପାୟରେ ଠକେଇ କରୁଛନ୍ତି ସାଇବର ଲୁଟେରା। କେବେ କ୍ରେଡିଟ କାର୍ଡ, ପୁଣି କେବେ ଆପ୍ ତ ପୁଣି କେବେ ପୁଙ୍ଗୁଳା ଦେହ ଦେଖାଇ ଲୋକଙ୍କୁ କଳାକନା ବୁଲାଇ କଲବଲ କରିଛନ୍ତି। ଏବେ ପୁଣି ଏକ ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି। ସାଇବର ଠକେଇଙ୍କ ଜାଲରେ ଏବେ କର୍ଣ୍ଣାଟକର ବ୍ୟାଙ୍କ। ୨ ଶହ ବ୍ୟାଙ୍କ ଖାତାରୁ ଗାଏବ ହୋଇଗଲା ୨ କୋଟି ଟଙ୍କା। ବେଙ୍ଗାଲୁରୁ ସାଇବର ପୋଲିସର ସୂଚନା ପରେ ବିହାରର ପୂର୍ଣ୍ଣେଆ ଏହି ମାମଲାର ତଦନ୍ତ କରିଥିଲା। ପରେ ଏହି ଘଟଣା ଜଣାପଡିବା ପରେ ପୋଲିସ ୩ ସାଇବର ଠକଙ୍କୁ ଗିରଫ କରିଛି। ଏହି ଦୁଇମାସ ମଧ୍ୟରେ ଶହେରୁ ଅଧିକ ଲୋକ ବ୍ୟାଙ୍କରୁ ଟଙ୍କା ଗାଏବ ହେବା ନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସର ଅନୁସନ୍ଧାନରୁ ଜଣାପଡିଛି ଯେ ଅରରିୟା ଜିଲ୍ଲାର ବିବେକ ବିଶ୍ୱାସ ଦିଲ୍ଲୀରେ ଅଢେଇ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାଇବର ଜାଲିଆତି ଉପରେ ତାଲିମ ନେଇଥିଲା। ଏହା ପରେ ଅରରିୟା ମଦନ କୁମାରଙ୍କୁ ତାଲିମ ଦିଆଯାଇଥିଲା। ତା’ପରେ ଦୁହେଁ ସୁପାଉଲର ନୟା ଟୋଲା କର୍ଣ୍ଣପୁରର ବାସିନ୍ଦା ଦୀପକ କୁମାରଙ୍କ ସହାୟତାରେ କର୍ଣ୍ଣାଟକର ଦୁଇ ଶହ ବ୍ୟାଙ୍କ ଆକାଉଣ୍ଟରୁ ୨ କୋଟି ଟଙ୍କା ଚୋରି କରିଥିଲେ। ବିବେକ ସାଇବର ଠକେଇ ପାଇଁ ନକଲି ୱେବସାଇଟ୍ ମଧ୍ୟ ତିଆରି କରୁଥିଲା। ବିସିଏ ଡିଗ୍ରୀଧାରୀ ବିବେକ କୋସି ସିମାଞ୍ଚଳରେ ସାଇବର ଠକଙ୍କ ଗ୍ୟାଙ୍ଗ ଗଠନ କରିଥିଲା। ଏହି ଜାଲିଆତି କରିବା ପାଇଁ ଉକ୍ତ ଗ୍ୟାଙ୍ଗ କର୍ଣ୍ଣାଟକକୁ ଟାର୍ଗେଟ କରିଥିଲା। ବିବେକ ନିକଟରୁ ଉଦ୍ଧାର ହୋଇଥିବା ଲାପଟପରୁ କର୍ଣ୍ଣାଟକରେ ଜମି କ୍ରୟ ଏବଂ ବିକ୍ରୟ ସହ ଜଡିତ ହଜାର ହଜାର ଦଲିଲ ପୋଲିସ ପାଇଛି। ବିବେକ ପ୍ରତିଦିନ ହାରାହାରି ୪୦ ରୁ ୫୦ ଡକ୍ୟୁମେଣ୍ଟ ଅପଲୋଡ୍ କରୁଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.