ରାଜେଶ କୁମାର ମୁଣ୍ଡଙ୍କ କବିତା : ଶବ୍ଦର କୁଣ୍ଡଳୀ

ଶବ୍ଦର କୁଣ୍ଡଳୀ

ରାଜେଶ କୁମାର ମୁଣ୍ଡ

କୋଳାହଳ ଭିତରେ ନୀରବତା
ନୀରବତା ଭିତରେ କୋଳାହଳ
ଖୋଜିବା ବ୍ୟର୍ଥ ପ୍ରୟାସ ବୋଧେ ।

ଏସବୁ ଖୋଜିବା ଭିତରେ
ସାମ୍ନା କରିବାକୁ ପଡ଼େ
ଅକଳନ ନିରର୍ଥକ ଶବ୍ଦଙ୍କୁ ।

ତେବେ ବି ତ
ସବୁ ଜାଣିଶୁଣି
ନିଜ ପାରଦର୍ଶିତା ଦେଖାଇ
କିଛି ଶବ୍ଦଙ୍କୁ ଯୋଡ଼ି ଜାଡ଼ି
ଇତିହାସ ବହିର ଚିରା ପୃଷ୍ଠାରେ
ଖଞ୍ଜି ଦେବାକୁ ହୁଏ ।

ବେଚାରା ଶବ୍ଦମାନେ
ବେସାହାରା ହେଇ
ଯୁଗ ଯୁଗ ଧରି ପଡ଼ି ରୁହନ୍ତି
ଅସୁରଗଡ଼ର ପ୍ରାଚୀରରେ ଅଥବା
କେଉଁ ପରିତ୍ୟକ୍ତ ମିଉଜିଅମରେ ।

ଆଉ କିଛି
ଭାଗ୍ୟବଶତଃ ଫିସିଲି ଯାଆନ୍ତି ସିନା,
ଶେଷରେ ନିରୁପାୟ ହେଇ
ଆତ୍ମହତ୍ୟା କରନ୍ତି
କୌଣସି ଲଭର୍ସ ପଏଣ୍ଟରେ ।

ମଣିଷପଣିଆ ବଳି ପଡ଼ିଲା ପରି
ଅନେକ ନିରୀହ ଶବ୍ଦ ଜଳିଯାଆନ୍ତି
କେବେ ସ୍ୱାର୍ଥର ହୋମକୁଣ୍ଡରେ,
ପୁଣି ପାଉଁଶ ହେଇ ଉଡ଼ି ଆସନ୍ତି
କେଉଁ ନିର୍ଲଜର ମନ୍ତ୍ରପାଠରେ ।

ଧର୍ମଗଡ଼ ସାହିତ୍ୟ ସଂସଦ, କଳାହାଣ୍ଡି

ତତ୍କାଳ ନ୍ୟୁଜ୍ ଓ ଭିଉଜ୍ ସୂଚନା ପାଇବା ପାଇଁ ଲାଲ୍ ବେଲ୍ ବଟନରେ କ୍ଲିକ୍ କରି ନୋଟିଫିକେସନ୍ ସବ୍ସକ୍ରାଇ‌‌ବ୍ କରନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.