• କବି ବିରଜା ବଳ ବଖାଣିଲେ କବିତା ଲେଖାର ପୀଡା ଓ ପୁଲକ
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ମୁଁ ଜୀବନକୁ ଉପଭୋଗ କରେ ନାହିଁ, ଭୋଗ କରେ। ସେହିପରି କବିତାକୁ ଭୋଗିନି କେବେ ଉପଭୋଗ କରିଛି ବୋଲି ଗତ ଶନିବାର ଦିନ ‘ଭଲ କବିତାର ଖୋଜ୍’ର ୭୪ ତମ ଆସରରେ ଅତିଥି କବି ଭାବେ ଯୋଗ ଦେଇ ନିଜର ଅଭିବ୍ୟକ୍ତି ପ୍ରକାଶ କରିଥିଲେ ସମକାଳ କବିତାର ବିରଳ କବି ବିରଜା ବଳ। ନିଜ କବିତା ଲେଖାର ଅନୁଭବ ବଖାଣିବାକୁ ଯାଇ ସେ ଆହୁରି କହିଲେ ଯେ, ମୁଁ ଯେତେବେଳେ କବିତା ଲେଖା ଆରମ୍ଭ କଲି ସେତେବେଳେ ପ୍ରତ୍ୟାଖ୍ୟାନର ଶିକାର ହୋଇ କଷ୍ଟ ପାଇଛି। ‘ପ୍ରଜାତନ୍ତ୍ର ସାପ୍ତାହିକ’କୁ ୧୪/୧୫ଟି କବିତା ଲଗାତାର ପଠାଇଥିଲେ ମଧ୍ୟ ଗୋଟିଏ ବି କବିତା ପ୍ରକାଶ ପାଇନଥିଲା। ଆମ ଘରେ ଏବେ ବି ସେଇ ପୁରୁଣା କାଠର ଚୌକିଟି ଅଛି, ଯାହା ପଛରେ ମୁହଁ ଲୁଚେଇ ମୁଁ ଅପ୍ରକାଶିତ ହେବାର ଦୁଃଖରେ କେତେଥର କାନ୍ଦିଥିବି ଆଉ ମୋ ମଝିଆ ଭାଇ ଆସି ପ୍ରବୋଧିଥିବେ କାନ୍ଦୁଛୁ କାହିଁକି। ତୋ ଲେଖା ଦିନେନା ଦିନେ ବାହାରିବ। ଲେଖି ଚାଲ୍। ମୁଁ ଲେଖି ଚାଲିଥିଲି ଆଉ ‘ପ୍ରତିବେଶୀ’ ପତ୍ରିକା ମୋର ଏଇ ପୀଡାକୁ ପୁଲକରେ ବଦଳାଇଦେଇଥିଲା ବାରମ୍ବାର ମୋ ଲେଖା ଛାପି। ଆସିଥିଲା ଆତ୍ମବିଶ୍ବାସ। ଆଉ ପଛକୁ ଫେରି ଚାହିଁନି। ଏହା ଥିଲା କବି ବିରଜା ବଳଙ୍କ ସ୍ଵୀକାରୋକ୍ତି। କଳ୍ପନାକୁ ବାସ୍ତବତା ଠାରୁ ଆହୁରି ଊର୍ଦ୍ଧ୍ଵକୁ ନେଇ ସତ୍ୟାଶ୍ରୟୀ କବିତା ଲେଖୁଥିବା ଶ୍ରୀଯୁକ୍ତ ବଳ କବିତାର ଯୁଗୋପଯୋଗିତା ଓ କାଳଜୟୀତାକୁ ନେଇ ନିଜର ମତବ୍ୟକ୍ତ କରି କବିତାକୁ ନେଇ ନାନା ଦିଗରୁ ଆଲୋଚନା କରିଥିଲେ। କବିତା ଲେଖୁଥିବା ପ୍ରତିଟି କବି ଜଣେ ଜଣେ ଭଲ ମଣିଷ ବୋଲି ଆମେ କହୁ। କିନ୍ତୁ ସେଇ ଭଲମଣିଷକୁ ପ୍ରଶଂସା କଲେ ଅନ୍ୟ କବିଙ୍କୁ କଷ୍ଟ ହୁଏ କାହିଁକି ବୋଲି ସେ ତାଙ୍କ ବକ୍ତବ୍ୟ ଛଳରେ ପ୍ରଶ୍ନ କରିଥିଲେ।
ସ୍ଥାନୀୟ ବିବେକାନନ୍ଦ ମାର୍ଗ ସ୍ଥିତ ଶାନ୍ତି ଗେଷ୍ଟ ହାଉସରେ ‘ଭଲ କବିତାର ଖୋଜ୍’ର ୭୪ ତମ ଆସର ଅନୁଷ୍ଠିତ ହୋଇ ଯାଇଛି। ବହୁଦିନର ବ୍ୟବଧାନ ପରେ ଗତକାଲି ଆୟୋଜିତ ଆସରଟି ବେଶ୍ କାବ୍ୟିକ ହେବା ସହିତ ଉତ୍ସାହ ପ୍ରଦ ହୋଇଥିଲା। ଏଥିରେ ‘ଭଲ କବିତାର ଖୋଜ୍’ର ଅନ୍ୟତମ ଆବାହକ କବି କୃଷ୍ଣ କୁମାର ମହାନ୍ତି ପ୍ରାରମ୍ଭିକ ବକ୍ତବ୍ୟ ରଖିବା ସହିତ ଆସରର ଉଦ୍ଦେଶ୍ୟ ସମ୍ପର୍କରେ ବୁଝାଇ କହିଥିଲେ। ଏହି ଆସରର ମୁଖ୍ୟ ଆକର୍ଷଣ ଥିଲେ ସମକାଳ ଓଡିଆ କବିତାର ଜଣେ ସୁଖ୍ୟାତ କବି ଓ ଔପନ୍ୟାସିକ ବିରଜା ବଳ। ଅନ୍ୟମାନଙ୍କ ମଧ୍ୟରେ ଗାଳ୍ପିକ ଓ କବି ଗଙ୍ଗାଧର ବିଶ୍ଵାଳ, କବି ଓ ‘ସେଇଠୁ ଆରମ୍ଭ’ର ସମ୍ପାଦକ ଶୁଭେନ୍ଦୁ ଦାସ, କବି ଓ ‘ସମୟ’ର ବରିଷ୍ଠ ସାମ୍ବାଦିକ ରଞ୍ଜନ ବାଗ, କବି ସିତାଂଶୁ ଲେଙ୍କା, କବି ଓ ଆଇନଜୀବୀ ଉତ୍ପଳ ମହାନ୍ତି, କବି ବିରଜା ବଳଙ୍କ ପତ୍ନୀ ସଂଯୁକ୍ତା ଦାସ ଓ ଝିଅ ଆସ୍ପୃହା ବଳ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେବା ସହିତ ନିଜ ନିଜ କବିତା ଆବୃତ୍ତି କରିଥିଲେ। ଶେଷରେ ଅନ୍ୟତମ ଆବାହକ କବି ଉତ୍ପଳ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।