ଆରମ୍ଭ ହେଲା ମା କାଳୀପୂଜା ଦଶମହାବିଦ୍ୟା ଉତ୍ସବ

ଚଳଚଂଚଳ ହୋଇ ଉଠିଲା ରାୟଗଡା ସହର

ତେଜସ୍ୱୀ ପଡିଆକୁ ଘୁଂଚିଲା ମୀନା ବଜାର

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ଦୀପାବଳୀ ମଧ୍ୟରାତ୍ର ଠାରୁ ଆସନ୍ତା ନଭେମ୍ବର ୨୨ ତାରିଖ ପର୍ଯ୍ୟନ୍ତ ୧୧ଦିନ ଧରି ଫ୍ରେଣ୍ଡସ୍ ୟୁଥ ଆସୋସିଏସନ୍ ଆନୁକୂଲ୍ୟରେ ବ୍ଳକ କଲୋନୀ ସ୍ଥିତ କାଳୀପୂଜା ମଣ୍ଡପରେ ମହାଆଡମ୍ବର ସହକାରେ ଆରମ୍ଭ ହୋଇଛି ରାୟଗଡାର ପ୍ରସିଦ୍ଧ କାଳୀପୂଜା ଦଶମହାବିଦ୍ୟା ଉତ୍ସବ-୨୦୨୩ । ଚଳିତ ବର୍ଷ ଆସୋସିଏସନ ପକ୍ଷରୁ ୪୧ତମ ଶ୍ରୀ ଶ୍ରୀ ଶ୍ରୀ ମା ଜଗତ ଜନନୀ କାଳୀପୂଜା ଦଶମହାବିଦ୍ୟା ଉତ୍ସବ ପାଳନ କରାଯାଉଛି । ସୁନ୍ଦର ଆକର୍ଷଣୀୟ ତୋରଣ, ସୁସଜ୍ଜିତ ରଙ୍ଗବେରଙ୍ଗ ଆଲୋକମାଳା ସାଙ୍ଗକୁ କଟକ ଜିଲ୍ଳାର କାରିଗରଙ୍କ ହାତରେ ନିର୍ମିତ ମାଁଙ୍କ ମୃଣ୍ମୟୀ ମୂର୍ତି ଭକ୍ତ ତଥା ଶ୍ରଦ୍ଧାଳୁଙ୍କ ମନକୁ ଉତ୍ସାହିତ କରିପାରିଛି । ରବିବାର ଦିନ ସକାଳରେ ଅଙ୍କୁରାରୋପଣ,ସୂର୍ଯ୍ୟପୂଜା,ମଣ୍ଡପ ସାଲାସୁଦ୍ଧି, ଆବାହନ ଓ ବିଲ୍ୱବରଣ, କଳସ ଆବାହନ, ଅଧିବାସ, ସନ୍ଧ୍ୟା ଦେବୀ ସ୍ୱାଗତ ପୂଜା, ସାଲା ମଣ୍ଡପ ମଧ୍ୟେ କଳସ ପ୍ରବେଶ, ଦ୍ୱାରପାଳ, ପ୍ରାଣପ୍ରତିଷ୍ଠା, ନିଶିପୂଜା, ପୁଷ୍ପାଜଂଳୀ ଓ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସୋମବାରରେ ଆଜି ମା ଗୁରୁତାରଙ୍କ ପୂଜା ବିଧି ଅନୁଷ୍ଠିତ ହେଉଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦର୍ଶକଙ୍କ ମନୋରଂଜନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣର ଆୟୋଜନ କରାଯାଇଥିବା ବେଳେ ମୀନା ବଜାର ଅନ୍ୟ ଏକ ଆର୍କଷଣ ହୋଇରହିଛି । ତେବେ ପ୍ରତିବର୍ଷ ବ୍ଳକ କଲୋନୀ ଠାରେ ଦୋଳି, ଡିସ୍କୋଡେନ୍ସ ଆଦି ଲଗାଯାଉଥିବା ବେଳେ ଚଳିତ ବର୍ଷ ଭିଡକୁ ନିୟନ୍ତ୍ରଣ ପାଇଁ ହୋଟେଲ ତେଜସ୍ୱୀ ପଡିଆ ଠାରେ ଏଗୁଡିକକୁ ଲଗାଯାଇଛି । ଫଳରେ କାଳୀପୂଜା ମଣ୍ଡପର ରାସ୍ତାରେ ଭିଡ ବହୁ ପରିମାଣରେ ହ୍ରାସ ପାଇବ ବୋଲି ଆସୋସିଏସନର ସଂପାଦକ ସଂଗ୍ରାମ ପଟ୍ଟନାୟକ ପ୍ରକାଶ କରିବା ସହ ଶହେଟି ଷ୍ଟଲ ଖୋଲା ଯାଇଥିବା କହିଛନ୍ତି । ଏପରିକି ଭିଡ ନିୟନ୍ତ୍ରଣ ପାଇଁ ସିସିଟିଭି ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି କହିଛନ୍ତି । ଆସନ୍ତାକାଲି ମଙ୍ଗଳବାରରେ ମା ତ୍ରିପୁରା ସୁନ୍ଦରୀ ପୂଜା, ବୁଧବାରରେ ମା ଭୁବନେଶ୍ୱରୀ, ଗୁରବାରରେ ମା ତ୍ରିପୁରା ଭୈରବୀ, ଶୁକ୍ରବାର ଛିନ୍ନମସ୍ତା, ଶନିବାର ଧୂମାବତୀ, ରବିବାର ବଗଳାମୁଖୀ, ସୋମବାର ମାତାଙ୍ଗନୀ, ମଙ୍ଗଳବାର ମା କମଳାତ୍ମିକା ଓ ଶେଷ ଦିନ ବୁଧବାର ୨୨ତାରିଖରେ ବାଲ୍ୟ କୁମାରୀ ପୂଜା ପରେ ପୂର୍ଣ୍ଣାହୁତି ହୋଇ ଉତ୍ସବ ସମାପନ ହେବ ଏବଂ ୨୩ ତାରିଖ ସକାଳ ୯ ଘଂଟା ସମୟରେ ବିସର୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଆସୋସିଏସନର ସାଧାରଣ ସଂପାଦକ ତଥା କର୍ତା ଶିବ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଫ୍ରେଣ୍ଡସ ୟୁଥ୍ ଆସୋସିଏସନ ଦ୍ୱାରା ଆୟୋଜିତ ଏହି କାଳୀପୂଜା ଓଡିଶା ସମେତ ପଡୋଶୀ ଆନ୍ଧ୍ର, ତେଲଙ୍ଗନା, ଛତିଶଗଡ, ଝାରଖଣ୍ଡ, ପଶ୍ଚିମବଙ୍ଗ ଭଳି ରାଜ୍ୟରେ ମଧ୍ୟ ଖୁବ୍ ପ୍ରଚାରପ୍ରସାର ହୋଇପାରିଛି । ରାୟଗଡା ଆଦିବାସୀ ଜିଲ୍ଳାର କୋଣ ଅନୁକୋଣରୁ ପ୍ରତିଦିନ ୨୦ହଜାରରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହେଉଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମୀନା ବଜାର ପାଇଁ ଲକ୍ଷାଧିକ ଲୋକଙ୍କ ସମାଗମ ହୁଏ ବୋଲି ସାଧାରଣ ସଂପାଦକ ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଆସୋସିଏସନର ସଭାପତି ଦିଲ୍ଳୀପ ପଟ୍ଟନାୟକ, ଉପସଭାପତି ଶିବାଜୀ ଦାସ, ସଂପାଦକ ରାମପୁରି ଗଣେଷ, ସାଂଗଠନିକ ସଂପାଦକ ଜଗନ୍ନାଥ ପ୍ରସାଦ ରାଇଗୁରୁ, ପ୍ରସନ୍ନ କୁମାର ରାଓ, କୋଷାଧ୍ୟକ୍ଷ ଗୈାରୀ ପଟ୍ଟନାୟକଙ୍କ ସମେତ କାର୍ଯ୍ୟକାରିଣୀ ସଦସ୍ୟ ଏସ.ରଘୁରାମଣା, ଅମୀୟ ସ୍ୱାଇଁ, କଲ୍ୟାଣୀ ଆଚାରୀଙ୍କ ସମେତ ଅନ୍ୟ ସଭ୍ୟମାନେ ଉତ୍ସବ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରୁଥିବା ବେଳେ ଜିଲ୍ଳା ପୋଲିସ ପ୍ରଶାସନ ପକ୍ଷରୁ ଆଇନ ଶୃଙ୍ଖଳା ସହ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ପୋଲିସ ମୁତୟନ କରାଯାଇଥିବା ନେଇ ଉପସଭାପତି ଶିବାଜୀ ଦାସ ପ୍ରକାଶ କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.