ଓଡ଼ିଶାର ବିକାଶ ହୋଇ ଚାଲିଛି। ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ, ପାନୀୟଜଳ, କୃଷି, ପଶୁପାଳନ ପ୍ରଭୃତି ବିକାଶ ହୋଇଥିଲେ ମଧ୍ୟ ତାହା ବିଭିନ୍ନ ଯୋଜନାର ଅଂଶ ବିଶେଷ। ରାଜ୍ୟର ଅଧିବାସୀ ମୁଖ୍ୟତଃ ପାରମ୍ପରିକ ଚାଷ ଉପରେ ନିର୍ଭରଶୀଳ। ମାତ୍ର କୃଷିର କେତେ ଉନ୍ନତି ହୋଇଛି, କୃଷକର କେତେ ଉନ୍ନତି ହୋଇଛି, ଶ୍ରମିକର କେତେ, କୃଷି ଶ୍ରମିକର କେତେ ଉନ୍ନତି ତାହା ବିଚାର କରିବାର ସମୟ ଆସିଛି। ଓଡିଶାର ମୁଖ୍ୟ ଜୀବିକା କୃଷି ପାଇଁ ଜଳ ସେଚନର ସୁବିଧା ନାହିଁ। ବର୍ଷସାରା ଗୋଟିଏ ମାତ୍ର ଫସଲରେ ଚାଷଜମି ସ୍ଥିରୀକୃତ ଯାହାକି ବର୍ଷାଜଳ ଉପରେ ନିର୍ଭର କରେ। ଶିକ୍ଷାର ବିକାଶ ଘଟିଛି। ଗମନାଗମନ, ସ୍ବାସ୍ଥ୍ୟ ସେବା କିଛିଟା ଉନ୍ନତି ହୋଇଛି। ଏଠି ବିକାଶର ଧାରା ବାରି ହେଉଥିଲେ ମଧ୍ୟ ଲୋକମାନଙ୍କ ମୁଣ୍ଡପିଛା ଆୟ ବଢିନାହି। ଏବେବି ଲୋକମାନେ ମାଗଣା ବଣ୍ଟନ ସ୍କିମ ଉପରେ ନିର୍ଭର କରନ୍ତି। ସରକାର ଯୋଗାଉଥିବା ଟଙ୍କିକିଆ ଚାଉଳ ଅନେକଙ୍କୁ କର୍ମ କୋଢିଆ କରିଦେଇଛି। ଗୋଟିଏ ପଟରେ ସାମାଜିକ ନିରାପତ୍ତା ଯୋଜନା ଯଥା ଟଙ୍କିକିଆ ଚାଉଳ, ଭତ୍ତା ବଣ୍ଟନ ଓ ଅନ୍ୟାନ୍ୟ ଯୋଜନା ମାଧ୍ୟମରେ ପାଉଥିବା ପ୍ରୋତ୍ସାହନ ରାଶି ଯୋଗୁଁ ଶ୍ରମିକମାନେ ପୂର୍ବପରି ଆଉ ଠିକ୍ ଭାବରେ କାମ କରିବାକୁ ଚାହୁଁ ନାହାନ୍ତି। ଶ୍ରମଶକ୍ତିର ଉପଯୋଗ କମିଯାଇ ଲୋକଙ୍କୁ ପଙ୍ଗୁକରି ପରୋକ୍ଷରେ ଚାଷ କାର୍ଯ୍ୟରେ ବାଧା ପହଞ୍ଚାଉଛି। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଗୁଡ଼ିକୁ କେବଳ ପ୍ରୋତ୍ସାହନ ଋଣ ନେଇ ଉପଭୋଗ ଖର୍ଚ୍ଚ ଓ ମହାଜନୀ କାରବାର କରି ସାହୁକାର ସାଜିଛନ୍ତି। କୋୖଣସି ଉତ୍ପାଦକ ଖର୍ଚ୍ଚ କରୁନାହାନ୍ତି। ବିଭିନ୍ନ ପ୍ରୋତ୍ସାହନ ରାଶି ଯୋଗୁଁ ସାମାଜିକ ବିଶୃଙ୍ଖଳା ଦେଖା ଯାଉ ଥିବାର ପରିଲକ୍ଷିତ ହେଉଛି। ବିଭିନ୍ନ ପ୍ରୋତ୍ସାହନ ରାଶିକୁ ଲୋକେ ଅନାଇ ରହୁଛନ୍ତି, କିନ୍ତୁ ସେମାନଙ୍କର ଉଦ୍ୟମ ଉତ୍ପାଦନ ବଢାଇବାକୁ ରହୁ ନାହିଁ। ଏହି ପରିପ୍ରେକ୍ଷୀରେ ସବୁରି ହାତକୁ କାମ ଯୋଗାଇବା, କୁଟିର ଶିଳ୍ପ ହେଉ କିମ୍ବା ଶିଳ୍ପ ଓ ବାଣିଜ୍ୟ କ୍ଷେତ୍ରରେ ସୃଷ୍ଟି ଓ ଉନ୍ନତି ରାଜ୍ୟର ପ୍ରକୃତ ଉନ୍ନତି କରି ପାରିବ । ନଚେତ୍ ଲୋକମାନଙ୍କୁ ପରମୁଖାପେକ୍ଷିତା ଆଡ଼କୁ ଅଧିକ ଆକର୍ଷିତ କରି ହତୋତ୍ସାହିତ କରିବ। ଓଡ଼ିଶାରେ ଶ୍ରମ ବିନିଯୋଗର ସାଧନ ନଥିବାରୁ ଲୋକେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି। ସେମାନଙ୍କର ରୋଜଗାରର ସିଂହ ଭାଗ ବାହାରେ ଖର୍ଚ୍ଚ ହେଉଛି। ଏହା ରାଜ୍ୟର ଆର୍ଥିକ ବିକାଶରେ କୈାଣସି ସାହାଯ୍ୟ କରୁନାହିଁ। ଟଙ୍କିକିଆ ଚାଉଳ ହେଉ, ଭତ୍ତା ହେଉ, କାଳିଆ ଯୋଜନା, ବଳିଆ ଯୋଜନା ଏମିତି କେତେ କ’ଣ ଯୋଜନା, ଯାହାବି ହେଉଛି ତାହା ଲୋକଙ୍କ ସାମର୍ଥ୍ୟ ବଢାଇବା ପାଇଁ। ମାତ୍ର ତା’ର ଲକ୍ଷ୍ୟ ଗୋଟିଏ ଦିଗରେ ଲୋକଙ୍କ ମାନସିକତା ଗୋଟିଏ ଦିଗରେ। ଏଗୁଡ଼ିକ ବାଟବଣା ମୂଲ୍ୟ, ବାଟବଣା ବିକାଶ। ଲୋକମାନଙ୍କ ମାନସିକ ପରିବର୍ତ୍ତନ ଲୋଡ଼ା ଯେ, ଏଗୁଡ଼ିକ ସାମର୍ଥ୍ୟର ବିକାଶ ପାଇଁ ସାମୟିକ ବିକାଶ ପାଇଁ ନୁହଁ। ରାଜନୈତିକ ଦଳମାନଙ୍କ ଦ୍ବାରା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଘୋଷଣା କରାଯାଉଥିବା ମାଗଣା ବଣ୍ଟନ ସ୍କିମ ପ୍ରସଙ୍ଗରେ ଭାରତର ନିର୍ବାଚନ କମିସନ କେତେକ ପରାମର୍ଶ ଜାରି କରିଛନ୍ତି। ରାଜନୈତିକ ଦଳମାନଙ୍କୁ ଏହି ପରାମର୍ଶ ଜାରି କରି କମିସନ କହିଛନ୍ତି ଯେ, ଭୋଟରମାନଙ୍କ ପାଇଁ ଘୋଷଣା କରାଯାଉଥିବା ସ୍କିମ ପାଇଁ ଅର୍ଥ କେଉଁଠୁ ଯୋଗାଡ଼ ହେବ ସେ ସମ୍ପର୍କରେ ବି ଭୋଟରଙ୍କୁ ଜଣାଇଦିଆଯିବା ଉଚିତ୍।