ବିଶ୍ଵ ଐତିହ୍ୟ ସପ୍ତାହ

ଜିତେନ୍ଦ୍ର କୁମାର ନାଗ

ସମଗ୍ର ବିଶ୍ଵରେ ୧୯ ନଭେମ୍ବର ରୁ ୨୫ ନଭେମ୍ବର ପର୍ଯ୍ୟନ୍ତ ବିଶ୍ଵ ଐତିହ୍ୟ ସପ୍ତାହ ରୂପେ ପାଳନ କରାଯାଏ। ପ୍ରତ୍ନତତ୍ତ୍ଵ ବିଭାଗ, ସଂଗ୍ରହାଳୟ ବିଭାଗ, ଅଭିଲେଖା ବିଭାଗ ମାନ ଏବଂ ଐତିହାସିକ ସମ୍ବନ୍ଧୀୟ ବିଭାଗମାନ ଏହି ସପ୍ତାହକୁ ପାଳନ କରିଥାନ୍ତି। ବିଶ୍ଵ ଐତିହ୍ୟ ସପ୍ତାହ ବିଶେଷ କରି ସଂସ୍କୃତି ଏବଂ ଐତିହ୍ୟ ମାନଙ୍କର ସଂରକ୍ଷଣକୁ ପ୍ରୋତ୍ସାହନ ଦେବା ପାଇଁ ପାଳନ କରାଯାଇଥାଏ। ଏହି ସପ୍ତାହ ମଧ୍ୟରେ ହେଉଥିବା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ହେଲା ଯେ ନିଜ ପରମ୍ପରା, ଐତିହ୍ୟ ଏବଂ ସଂସ୍କୃତି ବିଷୟରେ ଲୋକମାନଙ୍କ ମନରେ ଜାଗୃତି ସୃଷ୍ଟି କରିବା। ବିଶ୍ଵ ଐତିହ୍ୟ ସପ୍ତାହ ୟୁନିସ୍କୋ ଏବଂ ବହୁ ଅର୍ନ୍ତରାଷ୍ଟ୍ରୀୟ ସଂଗଠନ ଦ୍ଵାରା ମଧ୍ୟ ପାଳନ କରାଯାଇଥାଏ। ଆମ ଦେଶ ଭାରତରେ ଭାରତୀୟ ପ୍ରତ୍ନତନ୍ନ ସର୍ବେକ୍ଷଣ, ରାଜ୍ୟ ପ୍ରତ୍ନତତ୍ତ୍ଵ ବିଭାଗ ଏବଂ ଐତିହାସିକ ବିଭାଗ ମାନ ଏହି ସପ୍ତାହ ପାଳନ କରିଥାନ୍ତି। ଭାରତ ବିଶ୍ଵ ଐତିହ୍ୟ ସମ୍ମିଳନୀରେ ସାମିଲ ହେବା ଦିନଠାରୁ ପ୍ରତିବର୍ଷ ବିଶ୍ଵ ଐତିହ୍ୟ ଦିବସ ୧୮ ଅପ୍ରେଲ ଏବଂ ବିଶ୍ଵ ଐତିହ୍ୟ ସପ୍ତାହ ୧୯ ନଭେମ୍ବର ରୁ ୨୫ ନଭେମ୍ବର ପର୍ଯ୍ୟନ୍ତ ବିଭିନ୍ନ ପ୍ରୋତ୍ସାହନ ମୂଳକ କାର୍ଯ୍ୟକ୍ରମମାନ ଆୟୋଜନ କରିଥାନ୍ତି। ସେଥି ମଧ୍ୟରେ ସରକାରଙ୍କର ଶୁଳ୍କ ଯୁକ୍ତ ଐତିହ୍ୟ ସ୍ଥାନ ଗୁଡିକରେ ବିନା ଶୁଳ୍କରେ ପ୍ରବେଶର ବ୍ୟବସ୍ଥା କରାଯାଇଥାଏ। ଏତିହ୍ୟ ଏବଂ ପ୍ରତ୍ନତାତ୍ତ୍ଵିକ ଉତ୍‌ଖନନ ସ୍ଥଳଗୁଡିକର ପୁସ୍ତକ ପ୍ରକାଶନ, ଐତିହ୍ୟ ମାନଙ୍କର ଚିତ୍ରାଙ୍କନ ପ୍ରତିଯୋଗିତା, ଐତିହ୍ୟ ମାନଙ୍କର ସଧାରଣଜ୍ଞାନ ପ୍ରତିଯୋଗିତା ଏବଂ ହେରିଟେଜ୍‌ ଓ୍ବାକ୍ ମାଧ୍ୟମରେ ଯୁବପିଢୀ ଏବଂ ଛାତ୍ରଛାତ୍ରୀ ମାନଙ୍କୁ ସାମିଲ୍ କରାଯାଇଥାଏ। ୟୁନିସ୍କୋର ସଦଶ୍ୟ ଦେଶ ଗୁଡିକ ୧୯୭୨ ମସିହାରେ ବିଶ୍ଵ ସମ୍ମିଳନୀରେ ସାମିଲ ହେଲେ। ଭାରତ ସହିତ ୧୯୧ ଦେଶ ଏହି ବିଶ୍ଵ ଐତିହ୍ୟ ସମ୍ମିଳନୀରେ ସାମିଲ ହୋଇଛନ୍ତି। ବିଶ୍ଵ ଐତିହ୍ୟ ସ୍ଥଳ ମାନ ବିଶ୍ଵର ସମସ୍ତ ଜନସାଧାରଣଙ୍କ ପାଇଁ ଅଟେ, ଯାହା କୌଣସି ସ୍ଥାନରେ ଥାଉ। ଭାରତ ସରକାର ଦେଶର ଐତିହ୍ୟ ସ୍ଥଳ ଗୁଡିକର ସମ୍ମାନ ଓ ମହତ୍ତ୍ବ ଦେଇ ବିଶ୍ଵ ଐତିହ୍ୟ ଦିବସ ଏବଂ ବିଶ୍ଵ ଐତିହ୍ୟ ସପ୍ତାହ ପ୍ରତିବର୍ଷ ପାଳନ କରିଥାନ୍ତି। ପ୍ରାଚୀନ ଐତିହ୍ୟ ଏବଂ ପ୍ରତ୍ନତାତ୍ତ୍ୱିକ ସ୍ଥଳ ନିୟମ ୧୯୫୯ ନିୟମ ୬ରେ ଐତିହ୍ୟ ସ୍ଥଳମାନଙ୍କରେ ପ୍ରବେଶ ଶୁଳ୍କ ମୁକ୍ତ ପ୍ରବେଶ ବିଷୟରେ ସୂଚିତ କରାଯାଇଛି। ଦେଖିବାକୁ ଗଲେ ସମସ୍ତ ଐତିହ୍ୟ ସ୍ଥଳ ଗୁଡିକ ଜୀବିତ, ଯାହାକୁ କେହି ସ୍ପର୍ଶ କରିପାରିବେ ନାହିଁ ଏବଂ ଯେଉଁ ଐତିହ୍ୟ ସ୍ଥଳ ଗୁଡିକ ମୃତ ତାହାକୁ ସ୍ପର୍ଶ କରାଯାଇ ପାରିବ, ଏହିପରି ଦୁଇ ଶ୍ରେଣୀରେ ବିଭକ୍ତ କରାଯାଇଛି। ବିଶ୍ଵ ଐତିହ୍ୟର ଅଧିକାର ଦେଇଥିବା ସଦଶ୍ୟ ପାଇଁ ଐତିହ୍ୟ ସଂରକ୍ଷଣ ଏବଂ ନିୟମ ତିଆରି ଓ ନିୟନ୍ତ୍ରଣର ଦାଇତ୍ଵ ୟୁନିସ୍କୋ  ପାଖରେ ରହିଛି। ଆମ ପୂର୍ବ ପୁରୁଷଙ୍କ ଠାରୁ ପାଇଥିବା ବହୁ ମୂଲ୍ୟ ଗୌରବମୟ ଐତିହ୍ୟ ଗୁଡିକର ପରିଚୟ ଏବଂ ସଂରକ୍ଷଣ ପ୍ରଥମେ ସଂଯୁକ୍ତ ରାଷ୍ଟ୍ର ସଂସ୍ଥା ୟୁନିସ୍କୋ କରିଥିଲା। ପରେ ଗୋଟିଏ ଅର୍ନ୍ତରାଷ୍ଟ୍ରୀୟ ସନ୍ଧି ଯାହାକି ବିଶ୍ଵ ଐତିହ୍ୟ ଏବଂ ପ୍ରାକୃତିକ ଐତିହ୍ୟ ସଂରକ୍ଷଣର ନିୟମ କହେ। ଏହି ନିୟମ ୧୯୭୨ ମସିହା ଠାରୁ ଲାଗୁ ହେଲା। ବିଶ୍ଵର ସମସ୍ତ ଐତିହ୍ୟ ସ୍ଥଳ ଗୁଡିକୁ ୩ ଟି ଶ୍ରେଣୀରେ ବିଭକ୍ତ କରାଯାଉଛି। ଯଥା- ପ୍ରାକୃତିକ ଐତିହ୍ୟ ସ୍ଥଳ, ସାଂସ୍କୃତିକ। ଐତିହ୍ୟ ସ୍ଥଳ, ମିଶ୍ରିତ ଐତିହ୍ୟ ସ୍ଥଳ ଆମ ଦେଶରେ ବିଶ୍ଵ ଐତିହ୍ୟ ସ୍ଥଳର ମୋଟ ସଂଖ୍ୟା ୪୦ ଗୋଟି। ସେଥି ମଧ୍ୟରୁ ୨୯ ଟି ସାଂସ୍କୃତିକ ସ୍ଥଳ, ୭ ଗୋଟି ପ୍ରାକୃତିକ ଐତିହ୍ୟ ସ୍ଥଳ ଏବଂ ଗୋଟିଏ ମିଶ୍ରିତ ଐତିହ୍ୟ ଶ୍ରେଣୀର ସ୍ଥଳ। ଆମ ଓଡିଶାରେ ଗୋଟିଏ ମାତ୍ର ବିଶ୍ଵ ଐତିହ୍ୟ ସ୍ଥଳ ରହିଛି ଯାହା କୋଣାର୍କର ସୂର୍ଯ୍ୟ ମନ୍ଦିର। ଏହା ବ୍ୟତୀତ ଓଡିଶାର ଅନ୍ୟ ଐତିହ୍ୟ ସ୍ଥଳ ଗୁଡିକ ହେଲା ପୁରୀର ଶ୍ରୀ ଜଗନ୍ନାଥ ମନ୍ଦିର, ଲିଙ୍ଗରାଜ ମନ୍ଦିର, ରାଜା ରାଣୀ ମନ୍ଦିର, ମୁକ୍ତେଶ୍ଵର ମନ୍ଦିର, ସାକ୍ଷୀ ଗୋପାଳ ମନ୍ଦିର, ହୀରାପୁର ର ୬୪ ଯୋଗିନୀ ମନ୍ଦିର, ରାଣୀପୁର ଝରିଆଲ୍ ର ଚଉଷଠୀ ଯୋଗିନୀ ମନ୍ଦିର, ସମ୍ବଲପୁରର ସମଲେଶ୍ଵରୀ ମନ୍ଦିର ଏବଂ ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ବୁଢୀ କୋମନାର ପାତାଳେଶ୍ଵରୀ ଶିବ ମନ୍ଦିର, ପ୍ରାଗ ଐତିହ୍ୟ ସ୍ଥଳ ଯୋଗିମଠ, ଖଡିଆଳର ଭୂବନେଶ୍ଵର ଶିବ ମନ୍ଦିର, କୋମନାର ଇଟାରେ ନିର୍ମିତ ଜଗନ୍ନାଥ ମନ୍ଦିର, ପ୍ରାଚୀନ ଐତିହାସିକ ସ୍ଥଳ ନବାର୍ଦ୍ଧକ ବା ନେହେନା, ମାରାଗୁଡା, ଭଗ୍ନାବିଶେଷ ଶିବ ମନ୍ଦିର ଭୂଲିଆ ସିକୁଆଁ, ଡୁମେରବାହାଲର ଭଗ୍ନାବିଶେଷ ମନ୍ଦିର, ବରଗାଁ ଭଗ୍ନାବିଶେଷ ମନ୍ଦିର, ରଜନାର ଭଗ୍ନାବିଶେଷ ଶିବ ମନ୍ଦିର, ସୁନାବେଡା ଉପତ୍ୟକାର ମାଣିକଗଡ ଦୁର୍ଗ, ଜୁମଲାଗଡ ଦୁର୍ଗ । ସୁନ୍ଦର ନଦୀ ଅବବାହିକାରେ ପ୍ରାଚୀନ ଐତିହାସିକ ସ୍ଥଳ ନବାନ୍ନକ ବା ନେହେନା ଠାରୁ ସର୍ବପୁରୀଆ ରାଜା ମହାସୁଦେବ ରାଜଙ୍କ ତମ୍ବାପଟା, ସ୍ୱର୍ଣ୍ଣମୁଦ୍ରା, ସୋମବଂଶୀ ରାଜା ମାହଶିବଗୁପ୍ତ ବାଲାର୍ଜୁନଙ୍କ ଶୈବ ଯୁକ୍ତ ମୋହର, କାଳାଚୁରୀ କାଳର ବହୁ ପ୍ରତିମା, ବହୁମୁଲ୍ୟ ପଥରର ମାଳୀ, ପୋଡା ଇଟା ଏବଂ ବହୁ ଐତିହ୍ୟ ସଂରଚନାମାନ ମିଳିଛି। କଳାହାଣ୍ଡିର ପ୍ରାଗ୍ ଐତିହ୍ୟ ସ୍ଥଳ ଗୁଡହାଣ୍ଡି, ମୋହନ ଗିରିର ଶିବ ମନ୍ଦିର, ନର୍ଲାର ମଦନ ମୋହନ ମହାଦେବ ମନ୍ଦିର, ପ୍ରାଚୀନ ଐତିହ୍ୟ ସ୍ଥଳ ଅସୁରଗଡ, ବୁଢୀଗଡ ଏବଂ ଭବାନୀପାଟଣାର ମାଁ ମାଣିକେଶ୍ଵରୀ ମନ୍ଦିର, ଭବାନୀଶଙ୍କର ମନ୍ଦିର ଇତ୍ୟାଦି ଆହୁରି ବହୁ ଗୌରବମୟ ଐତିହ୍ୟ ସ୍ଥଳ ମାନ ଓଡିଶାରେ ରହିଛି। ସଂରକ୍ଷଣ ଏବଂ ସଚେତନ ଅଭାବରୁ ଏହି ମହତ୍ତ୍ଵପୂର୍ଣ ଐତିହ୍ୟ ସ୍ଥଳ ଗୁଡିକ ଧୀରେ ଧୀରେ ନଷ୍ଟ ହେବାରେ ଲାଗିଛି। ଆମ ନୂଆପଡା ଏବଂ କଳାହାଣ୍ଡି ଅଞ୍ଚଳରେ ପ୍ରାୟ ଗ୍ରାମ ମାନଙ୍କରେ ଐତିହ୍ୟ ଏବଂ ଐତିହ୍ୟ ସ୍ଥଳ ମାନ ରହିଛି। ଏହି ଐତିହ୍ୟ ସ୍ଥଳ ଗୁଡିକର ରକ୍ଷଣା ବେକ୍ଷଣର ଦାୟୀତ୍ଵ କେବଳ ସରକାରଙ୍କ ର ବୋଲି ଭାବି ନେବା ଠିକ୍ ହେବ ନାହିଁ। ସେଥପାଇଁ ଲୋକମାନଙ୍କ ର ଯଥେଷ୍ଟ ଭୂମିକା ରହିବା ଉଚିତ୍। ଆମ ସମ୍ବିଧାନରେ ମୌଳିକ କର୍ତ୍ତବ୍ୟ ମାନଙ୍କ ମଧ୍ୟରୁ ବିଭିନ୍ନ ଐତିହ୍ୟ କୀର୍ତ୍ତିରାଜି ମାନଙ୍କର ସଂରକ୍ଷଣ ଏବଂ ସମ୍ମାନ ଦେବାର ପ୍ରବାଧାନ ରହିଛି। ରାଜ୍ୟ ସରକାରଙ୍କ ଦ୍ଵାରା ନିଆଯାଇଥିବା ଐତିହ୍ୟ ଗୁଡିକର ପୁନଃଉଦ୍ଧାର ଏବଂ ସଂରକ୍ଷଣ କରିବାର ଯୋଜନା ଏକ ସ୍ଵାଗତ ଯୋଗ୍ୟ ପଦକ୍ଷେପ। ତେଣୁ ଏହି କ୍ଷେତ୍ରରେ ପ୍ରାଚୀନ ଐତିହ୍ୟ ନିୟମକୁ ଠିକ୍ ଭାବରେ ପାଳନ କରିବା ଉଚିତ୍। ଏବଂ ବର୍ତ୍ତମାନ ସମୟରେ ଦ୍ରୁତ ଗତିରେ ବଢୁଥିବା ସହରୀ କରଣ ଆଉ ବିକାଶ ନାମରେ ବହୁ ଐତିହ୍ୟ ସ୍ଥଳ ଗୁଡିକୁ ନଷ୍ଟ କରି ଦିଆଯାଉଛି। ତାହାକୁ ନିୟନ୍ତ୍ରଣ କରିବାର ବହୁ ଆବଶ୍ୟକତା ରହିଛି ନହେଲେ ଦିନେ ଆମ ଗୌରବମୟ ଐତିହ୍ୟ ସଂପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯିବ।

ପ୍ରତ୍ନତତ୍ତ୍ଵବିଦ୍
ଖଡ଼ିଆଳ, ନୂଆପଡ଼ା
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.