ଜଗଦୀଶ ନାଏକଙ୍କୁ ଦେବଗିରି ସାମ୍ବାଦିକତା ସମ୍ମାନ: ନାରଦ ସମ୍ମାନ ପାଇବେ ନିଲେଶ ନାଗ

ବିକାଶ ଷଡ଼ଙ୍ଗୀ, ଉତ୍ତମ ଦାଶ, ଖଗେଶ୍ବର କୁମାର, ନୀଳକଣ୍ଠ ବେହେରା, ସନ୍ତୋଷ ତୁଳଙ୍କୁ ବାର୍ତ୍ତା ସମ୍ମାନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର) : ଯୁବ ସାମ୍ବାଦିକ ଜଗଦୀଶ ନାଏକଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ‘ଦେବଗିରି ସାମ୍ବାଦିକତା ସମ୍ମାନ’ ପ୍ରଦାନ କରାଯିବ। ଶ୍ରୀ ନାଏକ ଜଣେ ଲେଖକ ତଥା ସାମ୍ବାଦିକ ଭାବେ ସମାଜର ନିମ୍ନ ସ୍ତରରେ ବସବାସ କରୁଥିବା ଲୋକମାନଙ୍କ ସୁଖଦୁଃଖରେ ସାମିଲ ହୁଅନ୍ତି। ଛାତ୍ର ଜୀବନରୁ ହିଁ ଲୋକସାହିତ୍ୟ ଓ ସାମ୍ବାଦିକତା ପ୍ରତି ଆକୃଷ୍ଟ ହୋଇ ବିଭିନ୍ନ ଗଣମାଧ୍ଯମର ପ୍ରତିନିଧି ଭାବେ କାର୍ଯ୍ୟ କରିବା ପରେ ସଂପ୍ରତି ଦୈନିକ ‘ସକାଳ’ର କୋକସରା ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟରତ। ନିଆରା ସମ୍ବାଦ ପରିବେଷଣ ପାଇଁ ସେ କଳାହାଣ୍ଡି ସମେତ ରାଜ୍ୟର ସାମ୍ବାଦିକତା ଜଗତରେ ନିଜର ସତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ସେହିପରି ଉଦୀୟମାନ ଯୁବ ସାମ୍ବାଦିକ ନିଲେଶ କୁମାର ନାଗ ପାଇବେ ଚଳିତ ବର୍ଷ ବର୍ଷର ମର୍ଯ୍ୟାଦାଜନକ ଦେବଗିରି ନାରଦ ସମ୍ମାନ। ଶ୍ରୀ ନାଗ ପିଇଡବ୍ଲ୍ୟୁ ମିଡ଼ିଆ ଏସୋସିଏସନ୍ ଲାଞ୍ଜିଗଡ଼ର ସଭାପତି ଭାବେ ନିଜ କର୍ତ୍ତବ୍ୟ ସୁଚାରୁରୂପେ ସମ୍ପାଦନ କରୁଥିବା ବେଳେ ପାରମ୍ପରିକ ଧାରାରୁ ଭିନ୍ନ ତାଙ୍କର ଖବର ପରିବେଷଣ ତାଙ୍କୁ ଦେଇପାରିଛି ଏକ ସତନ୍ତ୍ର ପରିଚୟ। ଜଣେ କଳା ସଂଗଠକ ଭାବେ ମଧ୍ୟ ସେ ବିଭିନ୍ନ ଅନୁଷ୍ଠାନ ସହ ଜଡ଼ିତ। ଶ୍ରୀ ନାଗ ସଂପ୍ରତି ‘ଓଡ଼ିଆ ବାର୍ତ୍ତା’ର କଳାହାଣ୍ଡି ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ। ଏଥିସହ ବାର୍ତ୍ତା ପରିବେଷଣରେ କୃତିତ୍ବ ପାଇଁ ସାମ୍ବାଦିକ ବିକାଶ ଷଡ଼ଙ୍ଗୀ, ଉତ୍ତମ ଦାଶ, ଖଗେଶ୍ବର କୁମାର, ଇଂ ନୀଳକଣ୍ଠ ବେହେରା ଓ ସନ୍ତୋଷ ତୁଳଙ୍କୁ ମର୍ଯ୍ୟାଦାଜନକ ଦେବଗିରି ବାର୍ତ୍ତା ସମ୍ମାନ ପ୍ରଦାନ କରାଯିବ। ସଂପ୍ରତି ‘ନନ୍ଦିଘୋଷ ଟିଭି’ର ଜିଲ୍ଲା ପ୍ରତିନିଧି ଭାବେ କାର୍ଯ୍ୟରତ ବିକାଶ ବିଗତ ୧୦ ବର୍ଷ ଧରି ଗଣମାଧ୍ୟମରେ ସକ୍ରିୟ ଥିବାବେଳେ ସୃଜନାତ୍ମକ ଖବର ପରିବେଷଣରେ ରୁଚି ରଖନ୍ତି। ବିଗତ ୧୧ବର୍ଷ ଧରି ‘ଧରିତ୍ରୀ’ରେ କାର୍ଯ୍ୟରତ ଉତ୍ତମ ସଂପ୍ରତି ଉକ୍ତ ଖବରକାଗଜର ଜିଲ୍ଲା ପ୍ରତିନିଧି ଭାବେ କୃତିତ୍ୱ ଅର୍ଜନ କରିଛନ୍ତି। ସେହିପରି ବରିଷ୍ଠ ସାମ୍ବାଦିକ ଖଗେଶ୍ବର ‘ଡୁମାଣି ଖବର’ ଓ ‘ଡୁମାଣି ମେଲ୍’ ଜିଲ୍ଲା ପ୍ରତିନିଧି ଭାବେ ସାଧାରଣ ଜନତାର ବନ୍ଧୁ ପାଲଟିଛନ୍ତି। ନୀଳକଣ୍ଠ ‘ଅନୁପମ ଭାରତ’ ଓ ‘ଅର୍ଗସ ନ୍ୟୁଜ’ ପ୍ରତିନିଧି ଭାବେ ଦକ୍ଷତାର ସହ ଜନସାଧାରଣଙ୍କ ସମସ୍ୟାକୁ ପ୍ରଶାସନ ପାଖରେ ପହଞ୍ଚାଉଛନ୍ତି। ୧୫ ବର୍ଷ ଧରି ସାମ୍ବାଦିକତା କ୍ଷେତ୍ରରେ ସକ୍ରିୟ ରହି ଦୁର୍ଗତ ଜନତାର ବନ୍ଧୁ ସାଜିଥିବା ସନ୍ତୋଷ ଏବେ ‘ବଡ଼ ଖବର’ରେ କାର୍ଯ୍ୟରତ। ଚଳିତ ନଭେମ୍ବର ୨୫ରୁ ୨୭ ତାରିଖ ଯାଏଁ ନର୍ଲା ବ୍ଲକ ଅନ୍ତର୍ଗତ ବୁଢ଼ୀପଦର ଠାରେ ଆୟୋଜିତ ହେବାକୁ ଥିବା ଦେବଗିରି ସାଂସ୍କୃତିକ ଅନୁଷ୍ଠାନର ୩୧ତମ ବାର୍ଷିକ ଉତ୍ସବ ତଥା ରାଜ୍ୟସ୍ତରୀୟ କୁମାରସ୍ୱାମୀ ମହୋତ୍ସବ-୨୦୨୩ ଅବସରରେ ଉକ୍ତ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନର ସଭାପତି ସଞ୍ଜୟ ଧଙ୍ଗଡ଼ାମାଝୀ ଓ ସାଧାରଣ ସମ୍ପାଦକ ସୁନୀଲ ଧଙ୍ଗଡ଼ାମାଝୀ ସୂଚନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.