ବୁଡ଼ାମରା-ଚାକୁଳିଆ ରେଳ ଚଳାଚଳ ପ୍ରସଙ୍ଗ : ରାଷ୍ଟ୍ରପତିଙ୍କୁ ଭେଟି ଦାବି ଜଣାଇଲେ ସାମ୍ବାଦିକ ରୁଦ୍ରରଂଜନ ଶେଜପଡ଼ା

● ବିଚ୍ଛିନ୍ନାଞ୍ଚଳ ଓଡ଼ିଆଙ୍କ ସମସ୍ୟାର ସମାଧାନ କେବେ?

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ ବୁଡ଼ାମରାରୁ ଝାଡ଼ଖଣ୍ଡ ରାଜ୍ୟ ପୂର୍ବ ସିଂହଭୂମ ଜିଲ୍ଲା ଅଧୀନ ଚାକୁଳିଆ ଯାଏ ରେଳ ଚଳାଚଳ ନେଇ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ତେବେ ଏହି ଦାବି ପୂରଣ ପାଇଁ ସାମ୍ବାଦିକ ରୁଦ୍ରରଂଜନ ଶେଜପଡ଼ା ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି।
୨୦୦୦ ମସିହା ନଭେମ୍ବର ମାସରେ ବିହାରରୁ ଅଲଗା ହୋଇ ଝାଡ଼ଖଣ୍ଡ ରାଜ୍ୟ ଗଠନ ହେଲା। ସିଂହଭୂମ ଅଞ୍ଚଳ ନୂଆ ରାଜ୍ୟ ଭାଗରେ ପଡ଼ିଲା ଏବଂ ପୂର୍ବ ସିଂହଭୂମ, ପଶ୍ଚିମ ସିଂହଭୂମ ଓ ଷଢ଼େଇକଳା-ଖରସୁଆଁ ଭଳି ୩ଟି ଜିଲ୍ଲା ଗଠନ କରାଗଲା। ଯାହାର ଅଧିକାଂଶ ଅଧିବାସୀ ହେଉଛନ୍ତି ଓଡ଼ିଆ। ସେମାନଙ୍କ ସଂଖ୍ୟା ପ୍ରାୟ ୯୦ ଲକ୍ଷରୁ ଅଧିକ ହେବ। ତେଣୁ ଝାଡ଼ଖଣ୍ଡ ସରକାର ୨୦୧୧ ମସିହାଠାରୁ ଓଡ଼ିଆକୁ ଦ୍ବିତୀୟ ରାଜଭାଷାର ମାନ୍ୟତା ବି ଦେଇଛନ୍ତି। ତେବେ ଭିନ୍ନ ଏକ ପ୍ରଦେଶରେ ଅନ୍ତର୍ଭୁକ୍ତ ହେବା ଏବଂ ଝାଡ଼ଖଣ୍ଡ ସରକାରଙ୍କ ସାବତପୁଅ ମନୋଭାବ କାରଣରୁ ସଂପୃକ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାବହୁଳ ଓଡ଼ିଆ ଭାଷାଭାଷୀଙ୍କ ପରିଚୟ ଏବେ ସଂକଟରେ। ଏହାଛଡ଼ା ଓଡ଼ିଶା ଏବଂ ଝାଡ଼ଖଣ୍ଡର ଓଡ଼ିଆ ଲୋକଙ୍କ ମଧ୍ୟରେ ଯୋଗାଯୋଗ ମଧ୍ୟ ଏକ ବଡ଼ ସମସ୍ୟା ହୋଇ ରହିଛି। ତେବେ ଉକ୍ତ ସମସ୍ୟାର ସମାଧାନ ପାଇଁ ବାଙ୍ଗିରିପୋଷି ବ୍ଲକ୍‌ ଅଧୀନ ବୁଡ଼ାମରାରୁ ପୂର୍ବ ସିଂହଭୂମ ଜିଲ୍ଲା ଅଧୀନ ଚାକୁଳିଆ ଯାଏ; ରେଳ ଚଳାଚଳ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ତେବେ ଏନେଇ ସର୍ବେକ୍ଷଣ କରାଯାଇଛି ସତ, କାମର କିନ୍ତୁ ନାମଗନ୍ଧ ନାହିଁ। ଏପରି ସମୟରେ ତୁରନ୍ତ ରେଳଲାଇନ୍‌ କାମ ଆରମ୍ଭ କରିବାକୁ ସାମ୍ବାଦିକ ଶ୍ରୀ ଶେଜପଡ଼ା ଦାବି କରିଛନ୍ତି। ଗତ ୨୦ ତାରିଖ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ମୟୂରଭଞ୍ଜ ଗସ୍ତ ବେଳେ ସେ ତାଙ୍କୁ ରାଇରଙ୍ଗପୁରସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳରେ ଭେଟି ଦାବି ସମ୍ବଳିତ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସମସ୍ୟାର କିପରି ଶୀଘ୍ର ସମାଧାନ ହେବ, ସେନେଇ ପଦକ୍ଷେପ ନିଆଯିବ ବୋଲି ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.