ମାର୍ଚ୍ଚରେ ଦଳକୁ ଫେରି ପାରନ୍ତି ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଘାତ ସମସ୍ୟାରୁ ମୁକୁଳିବା ପାଇଁ ଉଦ୍ୟମ ଜାରୀ ରଖିଛନ୍ତି । ଆଘାତ ସମସ୍ୟା ଯୋଗୁ ସେ ବିଶ୍ୱକପର ଅଧିକାଂଶ ମ୍ୟାଚ ଖେଳିପାରି ନ ଥିଲେ । ଦକ୍ଷିଣ ଆଫ୍ରିକା ଗସ୍ତରେ ସେ ଦଳକୁ ଫେରିବେ ବୋଲି ଆଶା କରାଯାଉଥିଲେ ମଧ୍ୟ ତାଙ୍କୁ ସାମିଲ କରାଯାଇ ନାହିଁ । ରିପୋର୍ଟ ଅନୁସାରେ ହାର୍ଦ୍ଦିକଙ୍କୁ ସମ୍ପୂର୍ଣ୍ଣ ଫିଟ ହେବା ପାଇଁ ଆହୁରି ୧୮ ସପ୍ତାହ ସମୟ ଲାଗିପାରେ । ସେ ଏନସିଏରେ ଏ ନେଇ ଅଭ୍ୟାସ ଜାରୀ ରଖିବେ । ଯେତେଦୂର ସମ୍ଭବ ସେ ମାର୍ଚ୍ଚରେ ଦଳକୁ ଫେରିବେ । ଆଫଗାନିସ୍ତାନ ବିପକ୍ଷ ଟି୨୦ ସିରିଜରେ ମଧ୍ୟ ସେ ଖେଳିବେ ନାହିଁ । ଆସନ୍ତା ବର୍ଷ ଜୁନରେ ହେବାକୁ ଥିବା ଟି୨୦ ବିଶ୍ୱକପ ପାଇଁ ବିସିସିଆଇ ହାର୍ଦ୍ଦିକଙ୍କୁ ନେଇ କୌଣସି ପ୍ରକାରର ରିସ୍କ ନେବାକୁ ଚାହୁଁନି । ରୋହିତ ଶର୍ମା ୨୦୨୨ ଟି୨୦ ବିଶ୍ୱକପ ପରଠାରୁ କୌଣସି ଟି୨୦ ମ୍ୟାଚ ଖେଳି ନାହାନ୍ତି । ତାଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ଦଳର ନେତୃତ୍ୱ ନେଇଛନ୍ତି । ହାର୍ଦ୍ଦିକଙ୍କୁ ଆବଶ୍ୟକ ପଡିଲେ ଟି୨୦ ବିଶ୍ୱକପରେ ଭାରତର ନେତୃତ୍ୱ ଦାୟିତ୍ୱ ପ୍ରଦାନ କରାଯାଇପାରେ । ହାର୍ଦ୍ଦିକଙ୍କ ପୂର୍ବରୁ ଯଶପ୍ରୀତ ବୁମରାହ, ଲୋକେଶ ରାହୁଲ ଓ ଶ୍ରେୟାଶ ଆୟାରଙ୍କୁ ନେଇ ବିସିସିଆଇ ଉପରୋକ୍ତ ଯୋଜନା ପ୍ରସ୍ତୁତ କରିଥିଲା । ସେମାନେ ସମ୍ପୂର୍ଣ୍ଣ ଫିଟ ହେବା ପରେ ବିଶ୍ୱକପରେ ପ୍ରଭାବୀ ପ୍ରଦର୍ଶନ କରିଥିଲେ । ହାର୍ଦ୍ଦିକଙ୍କୁ ନେଇ ବିସିସିଆଇ ଏ ଭଳି ଆଶା ପୋଷଣ କରିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.