ସାହୁ ବ୍ରଦର୍ସ ଲାଇସେନ୍ସରେ ନୂଆପଡାର ଗଦା ଗଦା ଦେଶୀ ଓ ବିଦେଶୀ ମଦ ଦୋକାନ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ନୂଆପଡା ଜିଲ୍ଲାର ସବୁ ଦେଶୀ ମଦ ଭାଡ଼ି ଚର୍ଚ୍ଚିତ ମଦ ବ୍ୟବସାୟୀ ସାହୁ ବ୍ରଦର୍ସଙ୍କ କବଜାରେ ରହିଛି। ବଲାଙ୍ଗୀର, ସମ୍ବଲପୁର ଓ ବୌଦ୍ଧ ପରେ ଆଗକୁ ନୂଆପଡା ଜିଲ୍ଲାରେ ଆୟାକର ବିଭାଗ ଚଢ଼ାଉ ହେବ ବୋଲି ଚର୍ଚ୍ଚା ହେଉଛି। ଜିଲ୍ଲାରେ ଦୀର୍ଘ ବର୍ଷ ହେବ ଚର୍ଚ୍ଚିତ ତଥା ବିବାଦୀୟ ଦେଶୀ ମଦ ବ୍ୟବସାୟୀ ସାହୁ ବ୍ରଦର୍ସଙ୍କ କବାଜରେ ରହିଛି। ନୂଆପଡା, କୋମନା ଓ ଖଡ଼ିଆଳ ବ୍ଲକକୁ ନେଇ ଖରିଆର ରୋଡ ସହରରେ ମୁଖ୍ୟ କାର୍ଯ୍ୟାଳୟ ଖୋଲି ଦେଶୀ ମଦ ବ୍ୟବସାୟ କରି ଆସୁଛନ୍ତି। ସେଠାରେ ଅଫିସ କାମ ସହ ମଦ ପ୍ରସ୍ତୁତ କରି ଆବଶ୍ୟକ ସ୍ଥଳେ ଅନ୍ୟ ମଦଭାଟି ଓ ମଦ କୋଠିକୁ ଚାଳଣ କରୁଛନ୍ତି। ସେହିପରି ନୂଆପଡା, ବେଲଟୁକୁରି, ପତୋରା, ଟାନୱାଟ, ମାଉଲିଭଟା, ଖଲିଆପାଣି ଭଳି ସ୍ଥାନରେ ଦେଶୀ ମଦ ଭାଟି ଖୋଲି ମଦ ପ୍ରସ୍ତୁତ ସହ ବିକ୍ରି କରୁଛନ୍ତି। କୋମନା ବ୍ଲକର କୋମନା, ତରବୋଡ଼, କୁରୁମପୁରୀ, ଲଖନା ଠାରେ ଦେଶୀ ମଦ ଭାଟି ରହିଛି। ସେହିପରି ଖଡ଼ିଆଳ ବ୍ଲକର ଖଡ଼ିଆଳ, ତୁକଲା, ରିଷଗାଁ, କୋଟାମାଲ, ଡୁଆଝର, କୁଲିଗାଁ, ଭୁଲିଆସିକୁଆଁ ଭଳି ସ୍ଥାନରେ ଦେଶୀ ମଦ ଭାଟି ରହିଛି। ଏହି ସବୁ ମଦ ଭାଟିର ଠିକା ଝାଡ଼ଖଣ୍ଡ ରାଜ୍ୟ ରାଞ୍ଚିର ମଦ ବ୍ୟବସାୟୀ ଉଦୟ ଚନ୍ଦ୍ର ସାହୁ ନେଇ ପରିଚାଳିତ କରୁଥିବା ଚର୍ଚ୍ଚା ହେଉଛି। ଏଠାରେ ବର୍ଷ ବର୍ଷ ଧରି ଅଣ ଓଡ଼ିଆଙ୍କ କବଜାରେ ମଦ ବ୍ୟବସାୟ ରହିଛି। ବୋଡେ଼ନ ଓ ସିନାପାଲି ବ୍ଲକର ମଦଭାଟିକୁ ଟିଟିଲାଗଡ଼ ସହରର ଦୀପକ ସାହୁ ଠିକା ନେଇ ପରିଚାଳିତ କରୁଥିବାର ଅଭିଯୋଗ ହୋଇଛି। ସିନାପାଲି ବ୍ଲକର ସିନାପାଲି ସମେତ ଗାଣ୍ଡାବାହାଲି, ନୀଳଜୀ, ହତିବନ୍ଧା, ସିଂଝର ଏବଂ ବୋଡେ଼ନ ବ୍ଲକର ବୋଡେ଼ନ, ବୁଢାପଡା, କାର୍ଲକାଟ ଓ ଖଇରାରେ ଦେଶୀ ମଦ ଭାଟି ରହିଛି। ଏହି ଦୁଇ ବ୍ଲକର ମଦ ଭାଟିକୁ ଦେଖାରେଖା କରିବା ପାଇଁ ଖଡ଼ିଆଳ ସହର ର ଜଣେ ଆଇନଜୀବୀକୁ ଦାଇତ୍ୱ ଦେଇଥିବା ଚର୍ଚ୍ଚା ହେଉଛି। ଏବେ ଜିଲ୍ଲାରେ ବେଆଇନ ମଦ ବିକ୍ରି ବଢିବାରେ ଲାଗିଛି। ସେଭଳି ଦେଶୀ ମଦର ସ୍ତର ସଠିକ ରହୁ ନ ଥିବାର ଅନେକ ସମୟରେ ଅଭିଯୋଗ ହେଉଛି। କିନ୍ତୁ ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀ ହାତ ବାନ୍ଧି ବସି ରହୁଛନ୍ତି। ସେହିପରି ଅନେକ ସମୟରେ ବିଷାକ୍ତ ମଦ ପିଇ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହେଉଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ଚୁପ ରହୁଥିବା ଅଭିଯୋଗ ହୋଇଛି। ମଦ ବିକ୍ରିକୁ ମହିଳାମାନେ ଅନେକ ସମୟ ରେ ବିରୋଧ କରୁଥିଲେ ବି ପ୍ରଶାଶନିକ ସ୍ତରରେ ସହଯୋଗ ମିଳୁ ନ ଥିବା ଜଣାଯାଇଛି। ସେଭଳି ଏହି ମଦ ବ୍ୟବସାୟୀ ମାନେ ଆୟାକର ଫାଙ୍କୁ ଥିବା ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ହୋଇଛି। ଜିଲ୍ଲାର ମଦ ବ୍ୟବସାୟୀଙ୍କ ମୁଖ୍ୟ କାର୍ଯ୍ୟାଳୟରେ ବହୁ କୋଟି ଟଙ୍କା ଗଛିତ ଥିବା ଅଭିଯୋଗ ହୋଇଛି। ଏହା ଉପରେ ଚଢ଼ାଉ ହେଲେ ସତ୍ୟାସତ୍ୟ ପଦାକୁ ଆସିବ ସହିତ ସରକାର ଟେକ୍ସ ପାଇବେ ବୋଲି ଜିଲ୍ଲବାସୀ ଦାବୀ କରୁଛନ୍ତି। ତେବେ ନୂଆପଡା ଜିଲ୍ଲାର ମଦ ବ୍ୟବସାୟୀଙ୍କ ଅଫିସ ଓ ଘର ଖୁବ ଶୀଘ୍ର ଆୟାକର ଚଢ଼ାଉ ହେବ ବୋଲି ବିଭିନ୍ନ ମହଲରେ ଆଲୋଚନା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.