ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଭବ୍ୟ ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ନିମିତ୍ତ ନିମନ୍ତ୍ରଣ ପାଇଲେ ଜିଲ୍ଲା ପ୍ରଶାସନ

ଶ୍ରୀମନ୍ଦିର ପ୍ରଶାସନର ସ୍ଵତନ୍ତ୍ର ପ୍ରତିନିଧି ଦଳଙ୍କୁ ବାଲେଶ୍ବର ପ୍ରଶାସନ ତରଫରୁ ଦିଆଗଲା ସ୍ଵାଗତ ସମ୍ବର୍ଦ୍ଧନା

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ରାଜ୍ୟ ସରକାରଙ୍କର ମହତ୍ତ୍ୱାକାଂକ୍ଷୀ ଯୋଜନା ଆଧାରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ପୂଜା ଓ ଲୋକାର୍ପଣ ଉତ୍ସବ ଆସନ୍ତା ୨୦୨୪ ମସିହା ଜାନୁଆରୀ ୧୭ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ପୁରୀ ଠାରେ ଅନୁଷ୍ଠିତ ହେବ। ଏହାର ଭବ୍ୟ ଆୟୋଜନ ପାଇଁ ବ୍ୟବସ୍ଥା କରାଯାଇଛି। ଦେଶ ବାହାର, ଦେଶ ମଧ୍ୟରେ ଓ ରାଜ୍ୟ ମଧ୍ୟରେ ଥିବା ପ୍ରମୁଖ ଧର୍ମସ୍ଥଳୀର ମୁଖ୍ୟ ମାନଙ୍କୁ ଏହି ଉତ୍ସବରେ ଯୋଗ ଦେବା ପାଇଁ ଆମନ୍ତ୍ରଣ କରାଯାଇଛି। ଯଦିଓ ପ୍ରତ୍ୟେକ ଜିଲ୍ଲାର ଦୁଇଟି ପ୍ରମୁଖ ଧର୍ମସ୍ଥଳୀର ୨ଜଣ ଲେଖାଏଁ ମୁଖ୍ୟଙ୍କୁ ଉକ୍ତ ଉତ୍ସବକୁ ଆମନ୍ତ୍ରଣ କରାଯାଉଛି, କିନ୍ତୁ ପରବର୍ତ୍ତୀ ଦିନ ଠାରୁ ଅନ୍ୟ ଧର୍ମସ୍ଥଳୀର ମୁଖ୍ୟମାନେ ଦର୍ଶନରେ ଆସିପାରିବେ। ପ୍ରକାଶ ଥାଉକି ଏହି ଉତ୍ସବକୁ ଜିଲ୍ଲାର ଦୁଇ ପ୍ରମୁଖ ଧର୍ମସ୍ଥଳୀର ମୁଖ୍ୟମାନଙ୍କୁ ନିମନ୍ତ୍ରଣ କରିବା ପାଇଁ ପୁରୀରୁ ୩ଜଣ ଲେଖାଏଁ ସେବାୟତ ଓ ଜଣେ ଲେଖାଏଁ ସରକାରୀ ଅଧିକାରୀଙ୍କୁ ନେଇ ଦଳମାନ ଗଠନ ହୋଇଛି, ଯେଉଁମାନେକି ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାକୁ ଗସ୍ତ କରିବେ। ଜିଲ୍ଲା ସଦର ମହକୁମାରେ ସେମାନେ ଜିଲ୍ଲାପାଳ ବା ଜିଲ୍ଲାପାଳଙ୍କ ମନୋନୀତ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ସମ୍ପୃକ୍ତ ପ୍ରମୁଖ ଦୁଇ ଧର୍ମସ୍ଥଳୀର ମୁଖ୍ୟଙ୍କୁ ନିମନ୍ତ୍ରଣ ପତ୍ର ଓ ଅନ୍ୟାନ୍ୟ ନିମନ୍ତ୍ରଣ ସାମଗ୍ରୀ ପ୍ରଦାନ କରିବେ। ଏହି ବ୍ୟବସ୍ଥା ଆଧାରରେ ଆଜି ସନ୍ଧ୍ୟା ଘ୫.୩୦ମି ସମୟରେ ବାଲେଶ୍ବର ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଶ୍ରୀମନ୍ଦିର ପ୍ରଶାସନର ସ୍ଵତନ୍ତ୍ର ପ୍ରତିନିଧି ଦଳ ନିମନ୍ତ୍ରଣ ପତ୍ର ଧରି ପହଞ୍ଚିବା ପରେ ମୁଖ୍ୟ ଫାଟକ ନିକଟରୁ ସେମାନଙ୍କୁ ଏକ ଭବ୍ୟ ସ୍ଵାଗତ କରାଯାଇ ସଙ୍କୀର୍ତ୍ତନ, ଜୟ ଜଗନ୍ନାଥ ଧ୍ବନି, ରଙ୍ଗୋଲୀ ତଥା ପୁଷ୍ପ ବୃଷ୍ଟି ମଧ୍ୟରେ ନିକଟସ୍ଥ ମହାତ୍ମା ଗାନ୍ଧୀ ସମ୍ମିଳନୀ କକ୍ଷକୁ ପାଛୋଟି ନିଆଯାଇଥିଲା, ଯେଉଁଠାରେ ସେମାନଙ୍କୁ ପ୍ରଶାସନ ତରଫରୁ ସସମ୍ମାନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ବାଲେଶ୍ବର ଜିଲ୍ଲାର ନୀଳଗିରିସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଚନ୍ଦନେଶ୍ଵରସ୍ଥ ଶ୍ରୀ ଚନ୍ଦନେଶ୍ଵର ମନ୍ଦିରର ମୁଖ୍ୟମାନେ ସେମାନଙ୍କୁ ସ୍ଵ ସ୍ୱ ମନ୍ଦିରର ନେତ, ଆଜ୍ଞାମାଳ ଓ ଦେବଙ୍କ ଫଟୋ ଆଦି ଭେଟି ଦେଇଥିଲେ। ସେମାନେ ଜିଲ୍ଲାପାଳ ଶ୍ରୀ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେଙ୍କ ଉପସ୍ଥିତିରେ ବାଲେଶ୍ବର ଜିଲ୍ଲାର ନୀଳଗିରିସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ଏବଂ ଚନ୍ଦନେଶ୍ଵରସ୍ଥ ଶ୍ରୀ ଚନ୍ଦନେଶ୍ଵର ମନ୍ଦିରର ମୁଖ୍ୟମାନଙ୍କୁ ନିମନ୍ତ୍ରଣ ପତ୍ର ଓ ଅନ୍ୟାନ୍ୟ ନିମନ୍ତ୍ରଣ ସାମଗ୍ରୀ ପ୍ରଦାନ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀମନ୍ଦିର ପ୍ରଶାସନର ଏହି ସ୍ଵତନ୍ତ୍ର ପ୍ରତିନିଧି ଦଳରେ ସେବାୟତ ଭାବେ ଶ୍ରୀ ସଞ୍ଜୟ କୁମାର ଦତ୍ତ ମହାପାତ୍ର, ଶ୍ରୀ କୁନୁ ଦତ୍ତ ମହାପାତ୍ର, ଶ୍ରୀ ଗଦାଧର ଆପଟ ସାମିଲ ଥିବାବେଳେ ସରକାରୀ ଅଧିକାରୀ ଭାବେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ନୀତିଶ କୁମାର ଦାଶ ସାମିଲ ଥିଲେ। ଶ୍ରୀ ଚନ୍ଦନେଶ୍ଵର ମନ୍ଦିର ତରଫରୁ ଶ୍ରୀ ବୁଦ୍ଧଦେବ ପଣ୍ଡା, ଶ୍ରୀ ଗୌତମ ଲାଲ ପଣ୍ଡା ଓ ଶ୍ରୀ ଅଶୋକ ପଣ୍ଡା ଯୋଗଦେଇ ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିବାବେଳେ ନୀଳଗିରି ଶ୍ରୀ ଜଗନ୍ନାଥ ମନ୍ଦିର ତରଫରୁ ଶ୍ରୀ ରମା ସରୋଜ କୁମାର ନନ୍ଦ, ଶ୍ରୀ ରମା ପୁଣ୍ୟଶ୍ଲୋକ ନନ୍ଦ, ଶ୍ରୀ ପ୍ରହରାଜ ହର ନାରାୟଣ ନନ୍ଦ, ଶ୍ରୀ ହରିବନ୍ଧୁ କର ଆଦି ସେବାୟତ ମାନେ ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିଲେ। ପୁରୀରୁ ଆସିଥିବା ମହାପ୍ରଭୁଙ୍କ ସେବକ ମାନେ ଆସନ୍ତା ଜାନୁଆରୀ ୧୭ ତାରିଖକୁ ସମସ୍ତଙ୍କ ପାଇଁ ଏକ ଅତି ପବିତ୍ର ଦିନ ଭାବେ ବିହୀତ କରି ସେଦିନ ସମସ୍ତେ ନିଜ ଦ୍ଵାରରେ ପୂର୍ଣ୍ଣ ଘଟ ସ୍ଥାପନ, ପ୍ରଦୀପ ପ୍ରଜ୍ଜ୍ୱଳନ, ଜୟ ଜଗନ୍ନାଥ ଜପ ସହ ନିରାମିଷ ଭୋଜନ କରିବା ନିମନ୍ତେ ଆହ୍ବାନ ଦେଇଥିଲେ।ଜିଲ୍ଲାପାଳ ଶ୍ରୀ ଶିନ୍ଦେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଓ ସେବାୟତ ନିଯୋଗକୁ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବରେ ଅନ୍ୟ ମାନଙ୍କ ମଧ୍ୟରେ ବାଲେଶ୍ବର ସଦରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ସ୍ୱରୂପ କୁମାର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ସାହୁ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଧାକର ନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଭବାନୀ ଶଙ୍କର ଭୂୟାଁ ତଥା ଅନ୍ୟ ସରକାରୀ ଅଧିକାରୀ, କର୍ମଚାରୀ, ଜନସାଧାରଣ ଓ ଗଣମାଧ୍ୟମର ପ୍ରତିନିଧି ମାନେ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ସୁଶ୍ରୀ ମନସ୍ଵିନୀ ରାଉତ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.