କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ଗ୍ରହଣ କଲେ ଗାଳ୍ପିକ ଡିଲେଶ୍ୱର ରଣା

ଓଡ଼ିଆ ବାର୍ତ୍ତା/ କଲକାତା: କ୍ଷୁଦ୍ରଗଳ୍ପ ସଂକଳନ ‘ସେଁର୍‌ରା’ ପାଇଁ ଗାଳ୍ପିକ ଡିଲେଶ୍ୱର ରଣାଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର-୨୦୨୩ ପ୍ରଦାନ କରାଯାଇଛି। କଲକାତା ସ୍ଥିତ ରବୀନ୍ଦ୍ର ସଦନ ପ୍ରେକ୍ଷାଳୟରେ ଆୟୋଜିତ ଯୁବ ପୁରସ୍କାର ସମାରୋହରେ ତାଙ୍କୁ ତାମ୍ର ଫଳକ, ଉପଢୌକନ ଓ ୫୦ ହଜାର ଟଙ୍କାର ଅର୍ଥରାଶି ସହ ସମ୍ମାନିତ କରାଯାଇଥିଲା। ଅକାଦେମୀର ଅଧ୍ୟକ୍ଷ ମାଧବ କୌଶିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଶିଷ୍ଟ ବଙ୍ଗଳା କବି ପ୍ରଫେସର ସୁବୋଧ ସରକାର, ଅକାଦେମୀର ସଚିବ କେ ଶ୍ରୀନିବାସରାଓ, ଉପାଧ୍ୟକ୍ଷା ପ୍ରଫେସର କୁମୁଦ ଶର୍ମା ପ୍ରମୁଖ ମଞ୍ଚାସୀନ ରହି ଶ୍ରୀ ରଣାଙ୍କୁ ସମ୍ମାନିତ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଧଅଁରାମାଲ ଗ୍ରାମର ବ୍ରଜ ରଣା ଓ ବିଦୁସୁତା ରଣାଙ୍କ ସୁପୁତ୍ର ଡିଲେଶ୍ବର ଗଳ୍ପ ଓ କବିତା ରଚନା ସହ ଅଭିନୟ, ସାହିତ୍ୟ ସଂଗଠନ ଆଦିରେ ସକ୍ରିୟ ରହିଛନ୍ତି। ତାଙ୍କର ଟାଇମପାସ ପ୍ରକାଶିତ ଗଳ୍ପ ସଂକଳନ ‘ସେଁର୍‌ରା’ ଓ ନେସନାଲ୍ ବୁକ୍ ଟ୍ରଷ୍ଟ ପ୍ରକାଶିତ ଉପନ୍ୟାସ ‘ମେଳିଭୂଇଁ’ ବିପୁଳ ପାଠକୀୟତା ଲାଭ କରିଛି। ‘ସେଁର୍‌ରା’ ସଂକଳନର ଶୀର୍ଷକ ଗଳ୍ପକୁ ନେଇ ପ୍ରସ୍ତୁତ ଟେଲିଫିଲ୍ମ ଦୂରଦର୍ଶନରେ ପ୍ରସାରିତ ହୋଇ ବେଶ୍ ଆଦୃତ ହୋଇଛି। ସାରସ୍ୱତ ସାଧନା ପାଇଁ ସେ ପ୍ରଧାନମନ୍ତ୍ରୀ ୟୁବା ମେଣ୍ଟରସିପ୍, କଥା ନବପ୍ରତିଭା ପୁରସ୍କାର, କାଦମ୍ବିନୀ ଗଳ୍ପ ଉନ୍ମେଷ ପୁରସ୍କାର, ତପସ୍ୟା ସମ୍ଭାବନା ପୁରସ୍କାର, ପଲ୍ଲବନ ଶବ୍ଦ ସମ୍ମାନ, ଦେବଗିରି ଯୁବ ସମ୍ମାନ, କଳାହାଣ୍ଡି ଯୁବ ପ୍ରତିଭା ପୁରସ୍କାର ପାଇବା ସହ କେନ୍ଦ୍ର ସାହିତ୍ୟ ଅକାଦେମୀର ଯୁବସହିତି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି। ସେହିପରି ଦେଶର ବିଭିନ୍ନ ମଞ୍ଚରେ ଅଭିନୟ କରିବା ସହ ବଲିଉଡ ଫିଲ୍ମ ‘ଏ ରେଡ୍ ଶାର୍ଟ’ରେ ଅଭିନେତା ରଘୁବୀର ଯାଦବଙ୍କ ସହ ଅଭିନୟ କରିଛନ୍ତି। ସଂପ୍ରତି ସେ ଆକାଶବାଣୀ ଭବାନୀପାଟଣାର ଉପସ୍ଥାପକ ଏବଂ ଗ୍ଲୋବାଲ୍ ଲାଇଫରେଚର୍ ଫାଉଣ୍ଡେସନର ଆବାହକ ଅଛନ୍ତି। ପୁରସ୍କାର ଗ୍ରହଣ ପରେ ତାଙ୍କୁ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତିବିଶେଷ ଅଭିନନ୍ଦନ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.