ବାପା
ସୁଧୀର କୁମାର ଧଙ୍ଗଡ଼ାମାଝୀ
ହାତ ନ ଧରିଲେ
ପିଲା ଚାଲି ଶିଖେନାହିଁ,
ହାତ ନ ଛାଡ଼ିଲେ
ପିଲା ପହଁରା ଶିଖେନି ।
ସେଇଥିପାଇଁ ବାପାମାନେ
ଛାଡ଼ିଦିଅନ୍ତି
ଧରିଥିବା ହାତ !
ତମେ ଚାଲି ଶିଖେଇଥିଲ ବାପା,
ଝୁଂଟିପଡ଼ିଲେ
ନେଉଥିଲ କୋଳେଇ ।
ସବୁ ଝଡ଼ଝଞ୍ଜାକୁ ପିଠିକରି
କରୁଥିଲ ରକ୍ଷା ।
ସଂସାର ସାଗରେ
ପହଁରା ଶିଖେଇବା
ଏତେ ଜରୁରୀ ଥିଲା କି ବାପା ?
ଛାଡ଼ିଦେଲ ହାତ ।
ବୁଡ଼ିମଲା ବେଳେ
ହାତ ବଢେଇଲେ ବି
ଆଉ ଧରିଲନି ।
ଭଲଲୋକମାନେ
କାଳେ ଈଶ୍ୱରଙ୍କ ପ୍ରିୟ !
ତମେ ଏତେ ଭଲ
କାହିଁକି ହେଲ ବାପା ?