ସୁବର୍ଣ୍ଣପୁର ଜିଲ୍ଲାରେ ଆଜିଠୁ ଗଡ଼ିଲା ଲକ୍ଷ୍ମୀ ବସ

ମନ୍ତ୍ରୀ ବିଧାୟକ ଓ ଜିଲ୍ଲାପାଳ ଟିକଟ କାଟି ଆରମ୍ଭ କଲେ ଯାତ୍ରା

ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ଓଡିଶାର ସମସ୍ତ ଜିଲ୍ଲାର ଗ୍ରାମାଞ୍ଚଳରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀବସ ସେବା ଯୋଜନା ଶୁଭାରମ୍ଭ କରି ଆସୁଛନ୍ତି। ସେହି କ୍ରମରେ ସୋମବାର ସୁବର୍ଣ୍ଣପୁର ଜିଲ୍ଲାରେ ମହାଆଡମ୍ବରରେ ଲକ୍ଷ୍ମୀ ବସ ଚଳାଚଳର ଶୁଭାରମ୍ଭ ହୋଇଛି। ଏଥିପାଇଁ ସୋନପୁର ବିଡିଓ ସୌମ୍ୟ ରଞ୍ଜନ ସ୍ବାଇଁଙ୍କ ସହଯୋଗରେ ଜିଲ୍ଲା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଉଦଘାଟନୀ କର୍ଯ୍ୟକ୍ରମକୁ ଆରଟିଓ ଶ୍ରୀ ଅକ୍ଷୟ କୁମାର୍ ଜେନା ସମସ୍ତ ଦାୟିତ୍ଵ ପରିଚାଳନା କରିଥିଲେ। ଦିବା ୧୧ ଘଣ୍ଟା ୩୦ ମିନିଟ ସମୟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିବା ବେଳେ ରାଜ୍ଯ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ  ନିରଞ୍ଜନ ପୂଜାରୀ, ଵୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁପାର ଠେଲା, ଜିଲ୍ଲାପାଳ ଅନ୍ୟା ଦାସ ଅତିଥି ଭାବେ ଯୋଗ ଦେଇଥିଲେ। ଖୋଦ୍ ମନ୍ତ୍ରୀ, ବିଧାୟକ ଓ ଜିଲ୍ଲାପାଳ ଯାତ୍ରୀମାନଙ୍କ ସହିତ ବସ୍ କଣ୍ଡକ୍ଟରଙ୍କ ଠାରୁ ଟିକଟ କାଟି ସୋନପୁର ବ୍ଲକ ଅଞ୍ଚଳକୁ ଯାତ୍ରା କରିଥିଲେ। ଜିଲ୍ଲାର ୬ ଗୋଟି ବ୍ଲକରେ ଏହି ଲକ୍ଷ୍ମୀ ବସ ଯାତ୍ରା ଏବେ ଉପଲବ୍ଧ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଆଜି ୧୩ ଗୋଟି ଲକ୍ଷ୍ମୀ ବସ ଚଳାଚଳ ଆରମ୍ଭ ହୋଇଛି। ଏଥିପାଇଁ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ସମେତ ସୋନପୁର ବ୍ଲକ କାର୍ଯ୍ୟାଳୟ ଏବଂ ସୋନପୁର ଗାନ୍ଧୀ ଷ୍ଟାଡିୟମ ଚଳଚଞ୍ଚଳ ଓ ପ୍ରବଳ ଭିଡ ଲାଗିଥିଲା। ନୂତନ ଡ୍ରାଇଭର, କଣ୍ଡକ୍ଟର ମାନଙ୍କୁ ପୋଷାକ, ଟିକଟ ମେସିନ ମଧ୍ଯ ପ୍ରଦାନ କରାଯାଇଥଲା। ଆଜି ଏହି ବସ ଚଳାଚଳ ପରେ ସୁବର୍ଣ୍ଣପୁର ଜିଲ୍ଲାର ବହୁ ଅପହଞ୍ଚ ଅଞ୍ଚଳରେ ସ୍ଵଳ୍ପ ମୂଲ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥା ସହଜ ଭାବେ ଉପଲବ୍ଧ କରିବା ସହ ଛାତ୍ରଛାତ୍ରୀ, ମହିଳା ଓ ଦିନମଜୁରିଆ ସମେତ ସାଧାରଣ ଜନତା ବ୍ଲକ ଓ ଜିଲ୍ଲା ମୁଖ୍ୟାଳୟକୁ ଯିବାଆସିବା ସହଜ ଓ ସୁବିଧା ହୋଇଛି। ଜିଲ୍ଲାପାଳଙ୍କ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ଯକ୍ରମରେ ଆରଟିଓ ଶ୍ରୀ ଅକ୍ଷୟ ଜେନା, ଜିଲ୍ଲା ଉନ୍ନୟନ ଅଧିକାରୀ ଅଶ୍ଵିନୀ ମେହେର ଓ ସମସ୍ତ ବ୍ଲକ୍ ବିଡ଼ିଓ ଏହାକୁ ତଦାରଖ କରିଥିଲେ। ଏଥିରେ ଜିଲ୍ଲାର ସମସ୍ତ ଜନ ପ୍ରତିନିଧି, ପ୍ରଶାସନ ଅଧିକାରୀ, ସମସ୍ତ ବ୍ଲକ୍ ବିଡ଼ିଓ, ମିଶନଶକ୍ତି ମହିଳା, ବୁଦ୍ଧିଜୀବି ଏବଂ ଛାତ୍ର ଛାତ୍ରୀମାନେ ସାମିଲ ହୋଇଥିଲେ। ସୋନପୁରରେ ବସ୍ ଗଡିଲା ବେଳେ ଆଜି ଗ୍ରାମାଞ୍ଚଳର ମହିଳା ଯାତ୍ରୀ ମାନଙ୍କ ଖୁବ୍ ଉତ୍କଣ୍ଠା ଦେଖିବାକୁ ମିଳିଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.