ଓଡିଆ ବାର୍ତ୍ତା/ ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): କ୍ରୀଡା ଭିତ୍ତିଭୂମିର ବିକାଶ ସହିତ ଖେଳାଳୀ ମାନେ ଯେପରି ନିଜର ଦକ୍ଷତା ପ୍ରତିପାଦନ କରି ଉନ୍ନତମାନର ଖେଳ ପ୍ରଦର୍ଶନ କରି ବିଶ୍ୱସ୍ତରରେ ନାମ ରଖିବେ ସେହି ଉଦେଶ୍ୟ ନେଇ ରାଜ୍ୟ ସରକାରଙ୍କ ତରଫରୁ ସୁବର୍ଣ୍ଣପୁର ଜିଲ୍ଲା ବିନିକାର ଐତିହାସିକ ତାରାପୁର ଗଡ ଠାରେ ପ୍ରାୟ ୭ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଥିବା ବିଜୁ ପଟ୍ଟନାୟକ ବହୁମୁଖି ଇଣ୍ଡୋର ଷ୍ଟାଡିୟମ କୁ ଆଜି ଅପରାହ୍ନରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଛନ୍ତି । ଏହି ଅବସରରେ ବିନିକା ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଷ୍ଟାଡିୟମ ଫଳକର ସ୍କ୍ରିନ କୁ ଆନୁଷ୍ଠାନିକ ଭାବେ ଲୋକାର୍ପଣ କରିଥିଲେ। ଅନୁଷ୍ଟିତ ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ଶ୍ରୀ ଅଶ୍ୱିନୀ କୁମାର ମେହେର, ଜିଲ୍ଲା କ୍ରୀଡା ଅଧିକାରୀ ଚିତ୍ତରଞ୍ଜନ ମିଶ୍ର, ପୂର୍ତ୍ତ ଓ ଗୃହ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଦାମୋଦର କୈବର୍ତ୍ତଙ୍କ ସମେତ ଜିଲ୍ଲା, ବ୍ଲକ ସ୍ତରର ଅଧିକାରୀ, ବିନିକା ନଗରପାଳ ସୁବାସ ଚନ୍ଦ୍ର ଭୋଇ, ପରିଷଦର ସମସ୍ତ କାଉନସିଲର, ଅଞ୍ଚଳର ବହୁ ପ୍ରତିଭାବାନ ଖେଳାଳୀ, କ୍ରୀଡାବିତ, ଜନପ୍ରତିନିଧି, ଗଣମାଧ୍ୟମର ପ୍ରତିନିଧି ଉପସ୍ଥିତ ଥିଲେ। ଉଦ୍ଘାଟନ ପରେ ମାନ୍ୟବର ବିଧାୟକ ଷ୍ଟାଡିୟମ ଭିତରେ ରହିଥିବା ବ୍ୟାୟାମ ସରଞ୍ଜାମ, ବ୍ୟାଡମିଣ୍ଟନ ଗ୍ରାଉଣ୍ଡ ବୁଲି ଦେଖିବା ସହିତ ଖେଳ ଶୁଭାରମ୍ଭ କରିଥିଲେ। ସୂଚନା ଯୋଗ୍ୟ ଯେ ବିନିକାରେ ଏହି ଷ୍ଟାଡିୟମ ହେବା ଦ୍ଵାରା ସ୍କୁଲ କଲେଜ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ଅନୁଷ୍ଠାନର ଖେଳାଳୀ ଓ ଖେଳ ପ୍ରେମୀ ମାନେ ବେଶ ଉପକୃତ ହୋଇପାରିବେ।