ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି (୧୩/୦୩/୨୦୨୩ ବୁଧବାର) ରାଜ୍ୟର ୧୩ଟି ଜିଲ୍ଲାରେ ୨୨ଟି ନୂତନ ବିଜ୍ଞପିତ ଅଞ୍ଚଳ ପରିଷଦ ଗଠନ ଏବଂ ଗଞ୍ଜାମର ଭଞ୍ଜନଗର ଏନ୍ଏସିକୁ ମୁନିସିପାଲିଟିକୁ ଉନ୍ନୀତ କରାଯିବ ବୋଲି ଘୋଷଣା କରିଛନ୍ତି। ବୌଦ୍ଧ ଜିଲ୍ଲାର ମନମୁଣ୍ଡା, ପୁରୁଣା କଟକ ଓ ବାଉଁଶୁଣି, ବଲାଙ୍ଗିରର ଲୋଇସିଂହା ଓ ସିନ୍ଧେକେଲା, ବରଗଡର ସୋହେଲା, ବାଲେଶ୍ବରର ବାଲିଆପାଳ ଓ ଖଇରା, ଭଦ୍ରକର ଧାମରା, ଢେଙ୍କାନାଳର ରାସୋଳ, ଜଗତସିଂହପୁରର କୁଜଙ୍ଗ, କଳାହାଣ୍ଡିର ନର୍ଲା ଓ ମଦନପୁର ରାମପୁର, ଖୋର୍ଦ୍ଧାର ବୋଲଗଡ ନୟାଗଡ଼ର ଶରଣକୁଳ, ପୁରୀର ସାକ୍ଷୀଗୋପାଳ ଓ କାକଟପୁର, ସମ୍ବଲପୁରର ରେଙ୍ଗାଲି ଓ ବାମଣ୍ଡା ଏବଂ ସୁବର୍ଣ୍ଣପୁର ଜିଲ୍ଲାର ସୁବଳୟା, ଉଲୁଣ୍ଡା ଓ ରାମପୁର ଆଦି ସ୍ଥାନକୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ପ୍ରଦାନ କରାଯାଇଛି। ନର୍ଲା ଏନଏସିସି ଘୋଷିତ ହେବାପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରି ଖେଳିଯାଇଛି। ନର୍ଲା ପଞ୍ଚାୟତ ସମିତି ପରିସରରେ ଏନେଇ ଆୟୋଜିତ ହୋଇଛି ଧନ୍ୟବାଦ ସଭା। ନର୍ଲା ବ୍ଲକ ଅଧ୍ୟକ୍ଷା ମନୋରମା ମହାନ୍ତି ଓ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଏଥିରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରିଛନ୍ତିି। ନର୍ଲାକୁ ଏନଏସି ମାନ୍ୟତା ଦେବା ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇ ଆସୁଥିଲା। ପରିଶେଷରେ ନର୍ଲାକୁ ଏନଏସି ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇବ୍-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସମେତ ଓକିଲ ସଂଘ, ସାମ୍ବାଦିକ ସଂଘ, ସମସ୍ତ ସମିତି ସଭ୍ୟ/ସଭ୍ୟା, ସରପଞ୍ଚ ଓ ଅଞ୍ଚଳର ଜନସାଧାରଣଙ୍କୁ ଧନ୍ୟବାଦ ଜଣାଇଥିଲେ ନର୍ଲା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ।