ଭାଲିଆପଦର ପ୍ରାଥମିକ ବିଦ୍ୟାଳୟ ସପ୍ତାହକୁ ଦୁଇଦିନ ଖୋଲିବା ପ୍ରସଙ୍ଗ: “ଓଡ଼ିଆ ବାର୍ତ୍ତା”ରେ ଖବର ପ୍ରକାଶ ପରେ ଶିକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର କ୍ଲଷ୍ଟର ଭାଲିଆପଦର ଗାଁରେ ଥିବା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗତ ଶନିବାର ସକାଳୁ ସ୍କୁଲ ଯାଇ ସ୍କୁଲରେ ତାଲା ପଡ଼ିଥିବା ଦେଖି ଫେରି ଆସିଥିଲେ ଛାତ୍ରଛାତ୍ରୀ। ଏହାକୁ ନେଇ ଅଭିଭାବକ ଓ ଗ୍ରାମବାସୀ ଅଭିଯୋଗ କରିଥିଲେ। ଅଭିଯୋଗ ପରେ “ଓଡ଼ିଆ ବାର୍ତ୍ତା”ରେ ଖବର ପ୍ରକାଶ ପାଇବା ପରେ ଉକ୍ତ ବିଦ୍ୟାଳୟରେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ଦନ୍ଦି ନାଏକ ଓ ସହ ଶିକ୍ଷକ ଉମାକାନ୍ତ ସାହୁଙ୍କୁ ଗତ ଶନିବାର ଦିନ ବିଦ୍ୟାଳୟ ନଖୋଲିବା ଓ ଏମଡିଏମ ସେବା ଅନଧିକୃତ ଭାବରେ ନ’କରି ଥିବାରୁ ତାଙ୍କ ବିରୁଦ୍ଧରେ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କାହିଁକି ଆରମ୍ଭ ହେଲା ନାହିଁ, ତାହା ବ୍ୟାକ୍ଷା କରିବାକୁ ଆହ୍ୱାନ କରାଯାଇଥିବାବେଳେ ତାଙ୍କର ସନ୍ତୋଷ ଜନକ ବ୍ୟାଖ୍ୟା ଉକ୍ତ ଚିଠିର ପ୍ରାପ୍ତ ହେବାର ତିନି ଦିନ ମଧ୍ୟରେ ଅଣ୍ଡର ସାଇନରେ ପହଞ୍ଚିବା ଉଚିତ ବୋଲି ଦର୍ଶାଇଛନ୍ତି ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତାରାଣୀ ଭୋଇ। ସୂଚନା ଅନୁସାରେ ଉକ୍ତ ଅଞ୍ଚଳଟି ଆଦିବାସୀ ଅଧ୍ୟୁଷିତ ହୋଇଥିବା ବେଳେ ଦୁର୍ଗମ ବିଜେପୁର ପଞ୍ଚାୟତରେ ରହିଥିବା ଭାଲିଆପଦର ଗାଁର ପୁଅଝିଅ ମାନେ ଦିର୍ଘବର୍ଷ ଧରି ଶିକ୍ଷାରୁ ବଞ୍ଚିତ ରହୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ୨୦୧୦ ମସିହାରେ ଭାଲିଆପଦର ଗାଁରେ ସରକାରୀ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ ହୋଇଥିଲା।ତେବେ ଭାଲିଆପଦର ଗାଁର ପ୍ରାୟ ୩୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ସ୍କୁଲରେ ପାଠପଢୁଥିବା ବେଳେ ଜଣେ ପ୍ରଧାନ ଶିକ୍ଷକ ଓ ଜଣେ ସହ ଶିକ୍ଷକ ରହିଛନ୍ତି। ତେବେ ଆଦିବାସୀଙ୍କ ସରଳତା ଦେଖି ବିଭିନ୍ନ ଆଳ ଦେଖାଇ ସ୍କୁଲଟି ନିୟମିତ ନଖୋଲି ସପ୍ତାହରେ ମାତ୍ର ଦୁଇ ଦିନ ଖୋଲୁଲୁଥିବା ଅଭିଯୋଗ କରିଥିଲେ ଅଭିଭାବକ ଓ ଗ୍ରାମବାସୀ। ବାରମ୍ବାର ଅଭିଯୋଗ କଲେ ମଧ୍ୟ ସ୍କୁଲ ଦାଇତ୍ଵରେ ଥିବା ସିଆରସିସି ତଦନ୍ତ କରିବାକୁ ଯିବା ପାଇଁ ଇଛା ପ୍ରକଟ କରୁନଥିବା ମଧ୍ୟ କହିଥିଲେ ଗ୍ରାମବାସୀ। ଯାହା ଫଳରେ ଗରିବ, ନୀରିହ ଆଦିବାସୀ ଛାତ୍ରଛାତ୍ରୀମାନେ ସପ୍ତାହରେ ଚାରି ଦିନ ସ୍କୁଲ ବନ୍ଦ ରହୁଥିବା ବେଳେ ଶିକ୍ଷାରୁ ବଞ୍ଚିତ ରହୁଛନ୍ତି ବୋଲି “ଓଡ଼ିଆ ବାର୍ତ୍ତା”ରେ ପ୍ରକାଶ ପାଇଥିଲା। ତେବେ ଶନିବାର ସ୍କୁଲରେ ତାଲା ପଡିଥିବା ବେଳେ ଏହାକୁ ନେଇ ଅଭିଭାବକ ତଥା ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ପ୍ରଧାନ ଶିକ୍ଷକଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ହେଁ ସେ ତୁତୁ ମେମେ ହୋଇ ସନ୍ତୋଷ ଜନକ ଉତ୍ତର ନଦେଇ ଫୋନ୍ କାଟିଦେଇଥିଲେ। ତେବେ ଏବିଷୟରେ ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀ ନମିତାରାଣୀ ଭୋଇଙ୍କୁ ପଚାରିବାରୁ ଶିକ୍ଷକମାନେ କାହିଁକି ସ୍କୁଲ ଖୋଲୁ ନାହାଁନ୍ତି ସେ ବିଷୟରେ ତଦନ୍ତ ଦାୟିତ୍ବରେ ଥିବା ସିଆରସିସିଙ୍କ ସହିତ ଆଲୋଚନା କରି ସେହି ଶିକ୍ଷକ ମାନଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରକାଶ କରିଥିଲେ। ତେବେ ବିଭିନ୍ନ “ଓଡ଼ିଆ ବାର୍ତ୍ତା”ରେ ଖବର ପ୍ରକାଶ ପାଇବା ପରେ ତତ୍ପରତା ଦେଖାଇଛନ୍ତି ଗୋଷ୍ଠୀ ଶିକ୍ଷାଧିକାରୀ ନମିତାରାଣୀ ଭୋଇ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.