ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରାହୁଲ ବାଗ): ବିଜେପି କଳାହାଣ୍ଡି ସାଂସଦ ପ୍ରାର୍ଥୀନୀ ମାଳବିକା କେଶରୀ ଦେଓଙ୍କ ମାରାଥନ ପ୍ରଚାର ଆରମ୍ଭ ହୋଇଯାଇଛି। ଏହି ପରିପେକ୍ଷୀରେ ଶ୍ରୀମତୀ ଦେଓ କଳାହାଣ୍ଡି ସାଂସଦୀୟ କ୍ଷେତ୍ରର ବିଭିନ୍ନ ବ୍ଲକର ଅନେକ ଗାଁକୁ ଯାଇ ପ୍ରଚାର କରୁଛନ୍ତି। ପୁରୁଣା ଓ ନୁଆ ସମସ୍ତ ବିଜେପି କର୍ମୀଙ୍କୁ ଏକା ସାଙ୍ଗରେ ନେଇ ତୃଣ ମୂଳ ସ୍ତରରେ ବିଜେପିକୁ ମଜବୁତ କରିବାରେ ଲାଗିପଡିଛନ୍ତି ମାଳବିକା। ବିଭିନ୍ନ ସ୍ଥାନରେ ଯଜ୍ଞ, କାର୍ଯ୍ୟକର୍ତ୍ତା ସମ୍ମିଳନୀ, ସମ୍ବର୍ଦ୍ଧନା ସଭା, ଜନ ସମ୍ପର୍କ ଯାତ୍ରା କରୁଛନ୍ତି। ମାଳବିକାଙ୍କ ମେଳାପୀ ସ୍ଵଭାବ ଓ ନମ୍ର ବ୍ୟବହାର ପାଇଁ ସେ ବିଭିନ୍ନ ସ୍ଥାନରେ ଲୋକଙ୍କ ପ୍ରିୟଭାଜନ ହୋଇପାରୁଥିବା ଆଲୋଚନା ହେଉଛି। ମାଳବିକାଙ୍କ ଏପରି ମାରାଥନ ପ୍ରଚାର ପାଇଁ ବିଜେପି କର୍ମୀ ଗହଣରେ ଖୁସି ଓ ଉତ୍ସାହ ଖେଳିଯାଇଛି। ନୂଆପଡା ଜିଲ୍ଲାରେ ମଧ୍ୟ ବିଜେପି କର୍ମୀ ସାଂସଦ ପ୍ରାର୍ଥୀନୀ ମାଳବିକାଙ୍କୁ ବିପୁଳ ସମର୍ଥନ କରୁଛନ୍ତି। ବୁଧବାର ଆମପାଣିର କନ୍ଦାଗଡ଼ ଠାରେ କାଳୀକୃଷ୍ଣ ସଂଘ ଆନୁକୂଲ୍ୟରେ ହେଉଥିବା ମହାବିଷ୍ଣୁ ଯଜ୍ଞରେ ଭୋଗ ବଣ୍ଟନ କରିବାର ସୌଭାଗ୍ୟ ଲାଭ କରିଥିଲେ ମାଳବିକା। ପରେ ବୋର୍ଡ଼ା ଠାରେ ଜନ ସମ୍ପର୍କ ପଦଯାତ୍ରା କରିବା ସହ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗଦେଇଥିଲେ।