ନର୍ଲା ନିର୍ବାଚନ ମଣ୍ଡଳୀରେ ବିଜେଡ଼ିର ଶକ୍ତି ପ୍ରଦର୍ଶନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ରାଜ୍ୟର ଏକ ଚର୍ଚ୍ଚିତ ବିଧାନସଭା ନିର୍ବାଚନ ମଣ୍ଡଳୀ ନର୍ଲାରେ ଶନିବାର ଶକ୍ତି ପ୍ରଦର୍ଶନ କରିଛି ବିଜେଡ଼ି। ହଜାର ହଜାର ସମର୍ଥକଙ୍କ ଗହଣରେ ରୋଡ଼ ସୋ କରିଛନ୍ତି କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ବିଜେଡ଼ି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ନର୍ଲା ବିଧାନସଭା ପ୍ରାର୍ଥୀ ମନୋରମା ମହାନ୍ତି। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଶିର୍ବାଦ ନେଇ ରଣାଙ୍ଗନକୁ ଓହ୍ଲାଇଛନ୍ତି ବିଜେଡ଼ିର ନର୍ଲା ପ୍ରାର୍ଥୀ ମନୋରମା। ଶନିବାର ସେ ନର୍ଲା ନିର୍ବାଚନ ମଣ୍ଡଳୀର ସୀମାନ୍ତବର୍ତ୍ତି ଅଞ୍ଚଳ ଉର୍ଲାଦାନିରେ ପହଞ୍ଚିଥିଲେ। ସେଠାରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ପରେ ଉଭୟ ପ୍ରାର୍ଥୀ ସହିଦ୍ ରେଣ୍ଡୋ ମାଝୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ବିଭିନ୍ନ ଦେବଦେବୀ ମନ୍ଦିର ଦର୍ଶନ ସହ ମଦନପୁର ରାମପୁର, ନର୍ଲା, ଛତିକୁଡା ଛକି ଓ ରୁପ୍ରାରୋଡ ସମେତ ବିଭିନ୍ନ ଗ୍ରାମରେ ବିରାଟ ରୋଡ଼୍ ସୋ କରିଥିଲେ ଲମ୍ବୋଦର ଓ ମନୋରମା। ଏଠାରେ ପ୍ରକାଶଯୋଗ୍ୟ ଯେ, କଳାହାଣ୍ଡି ନିର୍ବାଚନ ମଣ୍ଡଳୀର ସାଂସଦ ପ୍ରାର୍ଥୀ ଭାବେ ଲମ୍ବୋଦର ନିଆଲ, ନର୍ଲା ପାଇଁ ମନୋରମା ମହାନ୍ତି, ଲାଞ୍ଜିଗଡ଼ରୁ ପ୍ରଦୀପ ଦିଶାରୀ, ଭବାନୀପାଟଣାରୁ ଲଳିତା ନାଏକ, ଜୁନାଗଡ଼ରୁ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର, ଧର୍ମଗଡ଼ରୁ ପୁଷ୍ପେନ୍ଦ୍ର ସିଂହଦେଓ, ଖଡ଼ିଆଳରୁ ଅଧିରାଜ ମୋହନ ପାଣିଗ୍ରାହୀ ଓ ନୂଆପଡ଼ାରୁ ରାଜେନ୍ଦ୍ର ଢୋଲକିଆଙ୍କୁ ପ୍ରାର୍ଥୀ କରିଛି ବିଜେଡ଼ି। ବର୍ତ୍ତମାନ ବିଜେପି, ବିଜେଡ଼ି ଓ କଂଗ୍ରେସ ପ୍ରାର୍ଥୀମାନେ ପ୍ରଚାର ମଇଦାନରେ ଓହ୍ଲାଇଛନ୍ତି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.