ଫକୀରମୋହନ ବିଶ୍ୱବିଦ୍ୟାଳୟରେ ପାଳିତ ହେଲା ବିଶ୍ବ ଐତିହ୍ଯ ଦିବସ

ଐତିହ୍ୟ ସୁରକ୍ଷା ଏକ ସାମୂହିକ ଦାୟିତ୍ବ, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଐତିହ୍ଯ ସୁରକ୍ଷାକୁ ସ୍ବତନ୍ତ୍ର ଦାୟିତ୍ବ ଗ୍ରହଣ କରିବାର ବାର୍ତ୍ତା ନେଇ ଅବିରତ ଭାବେ ସଚେତନଶୀଳ ଫକୀରମୋହନ ବିଶ୍ୱବିଦ୍ୟାଳୟ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଶ୍ବବିଦ୍ୟାଳୟର ଇତିହାସ ଓ ପ୍ରତ୍ନତତ୍ତ୍ବ ବିଭାଗର ପ୍ରୟାସ ଦ୍ବାରା ସ୍ନାତକୋତ୍ତର ପରିଷଦ ବୈଠକ କକ୍ଷରେ ଆଜି ବିଶ୍ଵ ଐତିହ୍ଯ ଦିବସ ପାଳନ ହୋଇଯାଇଛି।

ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ମୁଖ୍ଯ ଅତିଥି ଭାବେ ଯୋଗ ଦେଇଥିଲେ। ଛାତ୍ରଛାତ୍ରୀମାନେ ନିଜର ପୂର୍ବ ପୁରୁଷମାନଙ୍କ ଅସ୍ତିତ୍ବ, ଅବସ୍ଥିତି ଓ ବିଲୁପ୍ତ ଇତିହାସ ସଂପର୍କରେ ଅନୁସନ୍ଧାନ କରିବାର ପ୍ରୟାସ କରିପାରିଲେ ବିଶେଷ ଉପକୃତ ହୋଇପାରିବେ ବୋଲି କୁଳପତି ପ୍ରଫେସର ତ୍ରିପାଠୀ ଆଶାବ୍ୟକ୍ତ କରିଥିଲେ। ନିଜର ଆଖପାଖ ଅଞ୍ଚଳରେ ଲୁକ୍କାୟିତ ଐତିହ୍ଯ ଅନୁସନ୍ଧାନର ଉତ୍ତରଦାୟିତ୍ବ ବହନ କରିବାକୁ ଉପଦେଶ ଦେଇ ଏହାର ରହସ୍ଯକୁ ଗବେଷଣା ମାଧ୍ୟମରେ ଲୋକଲୋଚନକୁ ଆଣିବା ଓ ଏଥିପ୍ରତି ଅନୁସନ୍ଧିତ୍ସୁ ହେବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଭଦ୍ଭାବନ, ସଂରକ୍ଷଣ ସହ ତତସଂପର୍କିତ ଜ୍ଞାନ ଆହରଣ ହିଁ ଛାତ୍ରଛାତ୍ରୀଙ୍କର ମୂଳ ଉଦ୍ଦେଶ୍ଯ ରହିବା ଉଚିତ ବୋଲି ଉଲ୍ଲେଖ କରିଥିଲେ ଓ ଏହି ସ୍ଵତନ୍ତ୍ର ଦିବସ ପାଳନ ନିମନ୍ତେ ସଂପୃକ୍ତ ବିଭାଗର ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।

ଏହାସହିତ ମୁଖ୍ଯବକ୍ତା ଭାବେ ପ୍ରଫେସର ସୁନୀଲ ପଟ୍ଟନାୟକ ଯୋଗଦେଇ ଐତିହ୍ଯ ସୁରକ୍ଷାକୁ ଏକ ସାମୂହିକ ଦାୟିତ୍ବ ଭାବରେ ଗ୍ରହଣ କରାଯିବାର ଆବଶ୍ୟକ ବୋଲି ମତପ୍ରକାଶ କରିଥିଲେ। ପରିବେଶର ପରିବର୍ତ୍ତନ ଯୋଗୁଁ ପ୍ରତ୍ନତାତ୍ତ୍ୱିକ ପରିବର୍ତ୍ତନ ମଧ୍ଯ ଘଟୁଅଛି ତେଣୁ ଛାତ୍ରଛାତ୍ରୀମାନେ ନିଜର ଗବେଷଣା ଅନ୍ତର୍ଗତ ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟର ସଂରକ୍ଷଣ ଦିଗରେ ଉତ୍ସାହିତ ହେବାର ଆବଶ୍ୟକତା ରହିଛି ବୋଲି ଉପଦେଶ ଦେଇଥିଲେ। ଏଥିସହ ସମ୍ମାନିତ ଅତିଥି ଭାବେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସବ୍ୟସାଚୀ ପଟ୍ଟନାୟକ ଐତିହ୍ଯ ସୁରକ୍ଷା ପାଇଁ ସଚେତନ କରାଇବା, ଏହାର ସଂରକ୍ଷଣର ପନ୍ଥାଗୁଡିକ ସଂପର୍କରେ ଅବଗତ ହେବା ଓ ଆସନ୍ନ ପିଢ଼ିକୁ ଏହାର ମୂଲ୍ଯବୋଧ କରାଇବାର ପଦକ୍ଷେପ ନେବା ଉଚିତ ବୋଲି ଉଲ୍ଲେଖ କରିଥିଲେ। ଏହିବର୍ଷ ଐତିହ୍ଯ ଦିବସର ମୁଖ୍ଯ ପ୍ରସଙ୍ଗ ‘ଐତିହ୍ଯର ସଂରକ୍ଷଣ ଓ ଭବିଷ୍ୟତର ପ୍ରୋତ୍ସାହନ’ ସଂପର୍କରେ ଇତିହାସ ଓ ପ୍ରତ୍ନତତ୍ତ୍ବ ବିଭାଗର ପ୍ରଫେସର ଡ଼କ୍ଟର ପବିତ୍ର ମୋହନ ନାୟକ ଓ ଡ଼କ୍ଟର ଶିଖାଶ୍ରୀ ରାୟ ଆଲୋକପାତ କରିଥିଲେ।

ଏହି ଅବସରରେ ବିଭାଗର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଏକ ଐତିହ ସଂରକ୍ଷଣର ସଚେତନତା ଧର୍ମୀ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା। ଏଥିସହ ବିଭାଗ ତରଫରୁ , ମୟୁରଭଞ୍ଜ ଜିଲ୍ଲା ସ୍ଥିତ ଏକ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା “ବାଥୁଡି” ଜନଜାତିଙ୍କୁ ପରିଦର୍ଶନ ସହ ସେମାନଙ୍କ ଜୀବନଯାପନ ସଂପର୍କିତ ଏକ ଅଡିଓ-ଭିଜୁଆଲ୍ ସୂଚିତ ଡକ୍ୟୁମେଣ୍ଟାରୀ ଉପସ୍ଥାପନା କରିଥିଲେ। ସମଗ୍ର କାର୍ଯ୍ୟକ୍ରମକୁ ଡ଼କ୍ଟର ଶିଖାଶ୍ରୀ ରାୟ ପରିଚାଳନା କରିଥିଲେ ଓ ଡ଼କ୍ଟର ସୌମୀ ସେନଗୁପ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.