ବେଲଖଣ୍ଡି ଅଞ୍ଚଳରେ ଗୁଞ୍ଜରିତ ହେଲା ଯୋଡ଼ି ଶଙ୍ଖ ଧ୍ବନୀ 

ବିଜେଡ଼ିର କଳାହାଣ୍ଡି ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ନର୍ଲା ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତିଙ୍କ ମାରାଥନ୍ ପ୍ରଚାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଆସନ୍ତା ମଇ ୧୩ରେ ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବେ କଳାହାଣ୍ଡି ଲୋକସଭା ନିର୍ବାଚନ ମଣ୍ଡଳୀର ଭୋଟର। ଗଣତନ୍ତ୍ରର ଏହି ମହାପର୍ବକୁ ନେଇ ଦେଖାଯାଇଛି ଉତ୍ସବର ମାହୋଲ। ଏହାରି ଭିତରେ ମଇ ୧ ଶ୍ରମିକ ଦିବସରେ‌ ନର୍ଲା ବିଧାନସଭା ନିର୍ବାଚନ ମଣ୍ଡଳୀର ପ୍ରଚାର ମଇଦାନ କମ୍ପି ଉଠିଥିବା ଦେଖାଯାଇଛି। ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ‌ ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ବୁଧବାର ବିଜେଡ଼ି ଐତିହାସିକ ତଥା ପ୍ରତ୍ନତାତ୍ତ୍ୱିକ ଗୁରୁତ୍ବ ବହନ କରୁଥିବା ବେଲଖଣ୍ଡି ଅଞ୍ଚଳରେ ଜୋରଦାର ପ୍ରଚାର କରିଛି। ବିଜୁ ଜନତା ଦଳର କଳାହାଣ୍ଡି ଲୋକସଭା ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ନର୍ଲା ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି ବେଲଖଣ୍ଡି ସ୍ଥିତ  ଶ୍ରୀ ଶ୍ରୀ ଧବଳେଶ୍ବର ବାବା ଓ ମହାମାୟା ଚଣ୍ଡୀଙ୍କର ପୂଜାର୍ଚ୍ଚନା ଏବଂ ଆଶିର୍ବାଦ ଭିକ୍ଷା କରି ପ୍ରଚାର କରିଥିଲେ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଚାଲିଥିବା ସରକାର ରାଜ୍ୟରେ ଶାନ୍ତି ପ୍ରତିଷ୍ଠା କରିଛନ୍ତି, ତେଣୁ ବିକାଶ ହେଉଛି। ଶଙ୍ଖ ହେଉଛି ବିକାଶର ଚିହ୍ନ। ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ କରିବା ଆଶିର୍ବାଦ କରିବାକୁ ଜନତାଙ୍କୁ ନିବେଦନ କରିଥିଲେ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ନର୍ଲା ବିଧାୟିକା ପ୍ରାର୍ଥୀନୀ ମନୋରମା ମହାନ୍ତି। ଯୋଡ଼ି ଶଙ୍ଖରେ ବିଜେଡ଼ିର ସାଂସଦ ଓ ବିଧାୟକ ପ୍ରାର୍ଥୀଙ୍କୁ ଭୋଟ ଦେଇ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରାଇବା ପାଇଁ ଏହି ଅବସରରେ ସମସ୍ତଙ୍କୁ ଅନୁରୋଧ କରିଥିଲେ ଉଭୟ ପ୍ରାର୍ଥୀ ଓ ବିଜୁ ଜନତା ଦଳର କାର୍ଯ୍ୟକର୍ତ୍ତା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାରା ‘ଯୋଡ଼ି ଶଙ୍ଖ’ ବେଲଖଣ୍ଡି ଅଞ୍ଚଳରେ ଗୁଞ୍ଜରିତ ହୋଇ ଉଠିଥିଲା। ଦଳୀୟ କାର୍ଯ୍ୟକର୍ତ୍ତା, କର୍ମୀ ଓ ସମର୍ଥକଙ୍କ ଗହଣରେ ଶ୍ରୀ ନିଆଲ ଓ ଶ୍ରୀମତୀ ମହାନ୍ତି ନର୍ଲା ନିର୍ବାଚନ ମଣ୍ଡଳୀ କେସିଙ୍ଗା ବ୍ଲକ ଅନ୍ତର୍ଗତ ବେଲଖଣ୍ଡି, ହାତିଖୋଜ, ସିର୍ଜାପାଲି, ତୁଣ୍ଡଳା ଓ ତୁର୍ଲାଖମନ୍ ଆଦି ୫ ଗୋଟି ଗ୍ରାମପଞ୍ଚାୟତର ଗାଁ ଗାଁ, ଘର ଘର ବୁଲି ଭୋଟ ଭିକ୍ଷା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.