(ମଇ ୮ତାରିଖ : ବିଶ୍ବ ରେଡକ୍ରସ୍ ଦିବସ ଉପଲକ୍ଷେ)
୧୮୬୩ ମସିହାରେ ଜନ୍ମଲାଭ କଲା ରେଡକ୍ରସ୍। ରେଡକ୍ରସ୍ ର ଜନ୍ମଦାତା ଭାବରେ ସାର୍ ଜନ୍ ହେନେରୀ ଡୁନାଣ୍ଟପ୍ରସିଦ୍ଧି ଲାଭ କରିଛନ୍ତି। ଡୁନାଣ୍ଟଙ୍କ ଜନ୍ମ ୮ମଇ ୧୮୨୮ମସିହାରେ ସ୍ବିଜରଲାଣ୍ଡର ଜେନେଭା ସହରରେ। ସେ ହେଉଛନ୍ତି ଜିନ୍ ଜାକ୍ୟୁସ୍ ଡୁନାଣ୍ଟ ଓ ଆଣ୍ଟୋ ଇନେଟି ଡୁନାଣ୍ଟଙ୍କ ପ୍ରଥମ ସନ୍ତାନ। ଡୁନାଣ୍ଟ ପ୍ରଥମତଃ ଜଣେ ବ୍ୟବସାୟୀ ଥିଲେ। କିନ୍ତୁ ତାଙ୍କ ଭିତରେ ଦରଦୀ ହୃଦୟ ଟିଏ ଛପି ରହିଥିଲା ତେଣୁତ ୨୪ଜୁନ ୧୮୫୯ର ବେଟେଲ ଅଫ୍ ସଲଫରିନୋରେ ଫ୍ରାନସ ଓ ଅଷ୍ଟ୍ରିଆ ମଧ୍ୟରେ ଯୁଦ୍ଧ ପରେ ପିଡିତ ମାନଙ୍କୁ ସେବା ଶୁଶ୍ରୁଷା କରିବାରେ ଲାଗି ଯାଇଥିଲେ। ଏହି ଯୁଦ୍ଧରେ ପାଖାପାଖି ଚାଲିଶ ହଜାର ଲୋକ କ୍ଷତିଗ୍ରସ୍ତ ହୋଇଥିଲେ। ଅନେକ ମୃତ୍ୟୁ ବରଣ କରିଥିଲେ, ଅନେକ ମୃତ୍ୟୁ ସହ ଜୁଝୁଥିଲେ, ଆଉ କିଛି ଯନ୍ତ୍ରଣାରେ ଚିତ୍କାର କରୁଥିଲେ,ଆଉ କିଛି ସର୍ବସ୍ବ ହରାଇ ନିର୍ବାକ ହୋଇଯାଇଥିଲେ। ଡୁନାଣ୍ଟ ଆହତମାନଙ୍କୁ ଚିକିତ୍ସା କରିବା ସହ କିଛି ଲୋକଙ୍କୁ ମଧ୍ୟ ସାହାଯ୍ୟ କରିବାକୁ ଅନୁରୋଧ କଲେ। ଅଷ୍ଟ୍ରିଆର କିଛି ଡାକ୍ତର ମଧ୍ୟ ଡୁନାଣ୍ଟଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ଚିକିତ୍ସା କରିବା ପାଇଁ ଆଗେଇ ଆସିଲେ।
ଏହି ଯୁଦ୍ଧର ଭୟାବହତାକୁ ୧୮୬୨ରେ “ମେମୋରି ଅଫ୍ ସଲଫରିନୋ” ନାମକ ଏକ ପୁସ୍ତକରେ ପ୍ରକାଶିତ କରିଥିଲେ। ଏହି ପୁସ୍ତକର ୧୬୦୦କପି କରିଥିଲେ। ଏହି ପୁସ୍ତକର ଦ୍ବାରା ଅନେକ ରାଷ୍ଟ୍ରର ନାୟକ ଓ ସାଧାରଣ ଲୋକେ ପ୍ରଭାବିତ ହୋଇଥିଲେ। ଏକ ପକ୍ଷପାତିତା ବିହୀନ ସଂଗଠନ ଗଠନ ପାଇଁ ଡୁନାଣ୍ଟଙ୍କ ପାଖକୁ ଚାରିଆଡୁ ପ୍ରସ୍ତାବ ଆସିଥିଲା। ସେବା ଉଦ୍ଦେଶ୍ୟରେ ଏକ ଆନ୍ତର୍ଜାତିକ ସଂସ୍ଥା ଗଠନ ପାଇଁ ୯ ଫେବୃୟାରୀରେ ୧୮୬୩ମସିହାରେ ଏକ ବୈଠକ ବସିଥିଲା। ଏହାପରେ ଡୁନାଣ୍ଟଙ୍କ ସହ ମେୟନିର, ଆର୍ମି ଜେନେରାଲ ଡୁଫୋଇ, ଡାକ୍ତର ଲୁଇସ୍ ଏପି, ଥିଓଡର ମଉରିଅର ପ୍ରମୁଖ ଅଂଶଗ୍ରହଣ କରିଥିଲେ।ଏହି ବୈଠକରେ ଏକ ଆନ୍ତର୍ଜାତିକ ସଂସ୍ଥା ସ୍ଥାପନ ପାଇଁ ସ୍ଥିର ହେଲା। ଏବଂ ୧୭ ଫେବୃଆରୀ ୧୮୬୩ରେ ସୃଷ୍ଟି ହେଲା ଆନ୍ତର୍ଜାତିକ ସଂସ୍ଥା ରେଡକ୍ରସ୍। ୧୮୬୪ର ପ୍ରଥମ ଜେନେଭା କନଭେନସନରେ ବିଭିନ୍ନ ନିୟମ ପ୍ରଣୟନ କରାଗଲା। ଯୁଦ୍ଧରେ ଆହତ ସୈନିକମାନଙ୍କୁ ଜାତି,ବର୍ଣ୍ଣ, ଧର୍ମ,ଶତ୍ରୁ,ମିତ୍ର, ଦେଶ ନିର୍ବିଶେଷରେ ସେବା ପ୍ରଦାନ କରିବା।ସଭ୍ୟ ରାଷ୍ଟ୍ରମାନେ ବିଶ୍ବରେ ଭାତୃଭାବ ଓ ସେବା ସହଯୋଗ କରିବା ପାଇଁ ରେଡକ୍ରସ୍ ସନନ୍ଦରେ ସ୍ବାକ୍ଷର କରିବାର ନିୟମ ରହିଲା। ପରବର୍ତ୍ତୀ ସମୟରେ ଅନେକ ନିୟମ ସଂଯୋଗ କରାଗଲା। ରେଡକ୍ରସ୍ ର ଏକ ପତାକା ରହିଲା। ଆଲୋଚନା ପରେ ସ୍ଥିର ହେଲା ପତାକାରେ ରେଡକ୍ରସ୍, ରେଡ୍ କ୍ରିସାଣ୍ଟ କିମ୍ବା ରେଡ୍ କ୍ରିଜାଣ୍ଟ ହିଁ ସ୍ଥାନ ପାଇବ। ଧଳା ରଙ୍ଗର ପତାକା ଉପରେ ନାଲି ରଂଗରେ ହଁ ଉପରୋକ୍ତ ଚିହ୍ନ ରହିବାର ବ୍ୟବସ୍ଥା ହେଲା। ଦେଶ ଭିତ୍ତିରେ ଏହି ସବୁ ଚିହ୍ନ ବ୍ୟବହୃତ ହେଲା।
ଡୁନାଣ୍ଟ ଓ ସାଥିମାନଙ୍କ ସହଯୋଗରେ ଅନେକ ଦେଶ ଆନ୍ତର୍ଜାତିକ ରେଡକ୍ରସ୍ ସଂସ୍ଥାର ସଦସ୍ୟଭୁକ୍ତ ହେଲେ। ରେଡକ୍ରସ୍ ରେ ପ୍ରାୟ ୧୯୦ ଦେଶର ସଦସ୍ୟ ଅଛନ୍ତି। ପାଖାପାଖି ୯୭ମିଲିୟନ ସ୍ବେଚ୍ଛାସେବୀ ସେବା କାର୍ଯ୍ୟରେ ନିୟୋଜିତ ଅଛନ୍ତି।ଏହି ସ୍ଵେଚ୍ଛାସେବୀ ମାନେ ୧୬୦ମିଲିୟନ ଲୋକଙ୍କୁ ସେବା ଯୋଗାଇଥାନ୍ତି। ରେଡକ୍ରସ୍ ର ସାତ ନିୟମ ବା ସଂକଳ୍ପ ରହିଛି। ସେଗୁଡିକ ହେଲା ମାନବିକତା, ସମଦର୍ଶିତା, ନିରପେକ୍ଷତା, ସ୍ବାଧୀନତା, ସ୍ବେଚ୍ଛାକୃତ ସେବା, ଏକତା ଓ ବିଶ୍ବଜନୀନତା। ରେଡକ୍ରସ୍ ର ସେବା କରିବା ଏବଂ ବିଶ୍ବ ରେଡକ୍ରସ୍ ପରିବାରର ସଦସ୍ୟ ଭାବରେ ପାରସ୍ପରିକ ସହାୟତା କ୍ଷେତ୍ରରେ ବ୍ୟକ୍ତି, ଗୋଷ୍ଠୀ କୁ ଗୁରୁତ୍ବ ନଦେବା। ଯେଉଁଠି ଆବଶ୍ୟକତା ସେଇଠି ରେଡକ୍ରସ୍, ଏହି ଭାବ ଧାରାରେ ଅନୁବନ୍ଧିତ ହୋଇ ଏକ ମୂଲ୍ୟବୋଧ ଭିତ୍ତିକ ବିଶ୍ବ ଗଠନରେ ବ୍ରତୀ ହେବା ରେଡକ୍ରସ୍ ର ଅନ୍ୟତମ ଉଦ୍ଦେଶ୍ୟ।
ରେଡକ୍ରସ୍ ପ୍ରତିଷ୍ଠା କରି ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡୁନାଣ୍ଟଙ୍କୁ ପ୍ରଥମ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ପରେ ଶାନ୍ତି ପ୍ରତିଷ୍ଠା ପାଇଁ ୧୯୧୭,୧୯୪୪, ୧୯୬୩ ମସିହାରେ ରେଡକ୍ରସ୍ ସଂସ୍ଥା ନୋବେଲ ପୁରସ୍କାର ପାଇସାରିଛି। ଏହା ପରେ ରେଡକ୍ରସ୍ ଘୋଷଣା କରିଛି ଆଉ ପରବର୍ତ୍ତୀ ସମୟରେ ନୋବେଲ ପୁରସ୍କାର ପ୍ରଦାନ କଲେ ମଧ୍ୟ ଗ୍ରହଣ କରିବ ନାହଁ। ୧୯୪୮ମସିହାରେ ପ୍ରଥମ କରି ବିଶ୍ବ ରେଡକ୍ରସ୍ ଦିବସ ହେନେରି ଡୁନାଣ୍ଟଙ୍କ ଜନ୍ମ ଦିବସ ମଇ ୮ତାରିଖରେ ପାଳନ ହୋଇଥିଲା। ଏହା ପରେ ପ୍ରତିବର୍ଷ ଏହି ତାରିଖରେ ରେଡକ୍ରସ୍ ଦିବସ ପାଳନ ହୋଇ ଆସୁଛି। ଆନ୍ତର୍ଜାତିକ ରେଡକ୍ରସ୍ ସଂଗଠନର ମୂଖ୍ୟ କାର୍ଯ୍ୟାଳୟ ସ୍ବିଜରଲାଣ୍ଡର ଜେନେଭା ସହରରେ ରହିଛି। ପ୍ରତିବର୍ଷ ରେଡକ୍ରସ୍ ଦିବସ ପାଳନ ଅବସରରେ ଏକ ଶିରୋନାମ ଘୋଷଣା ହୋଇଥାଏ। ଚଳିତ ବର୍ଷର ଶିରୋନାମା ହେଉଛି “ Keeping humanity alive.” ଅର୍ଥାତ୍ “ ମାନବିକତାକୁ ବଞ୍ଚାଇ ରଖିବା।”