ଅସୁରଗଡ଼ ବୀରକମଳ ମୈଦାନରେ ଆଦିସ୍କନ୍ଧ ସମାଜର ବାର୍ଷିକ ସମ୍ମିଳନୀ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ଅସୁରଗଡ ସ୍ଥିତ ବୀର କମଳ ମୈଦାନରେ ସୋମବାର ଆଦିସ୍କନ୍ଧ ସମାଜର ୨୭ତମ ବାର୍ଷିକ ସମ୍ମିଳନୀ ପ୍ରବଳ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଶହ ଶହ ସଂଖ୍ୟାରେ କନ୍ଧ ସମାଜର ଲୋକେ ସମବେତ ହୋଇ ବୀର କମଳ ମଇଦାନ ଅସୁରଗଡର ସୃତି ପୀଠରେ ପୂଜାର୍ଚ୍ଚନା କରିଥିଲେ। ଏହାପରେ ପାରମ୍ପାରିକ ପତାକା ଉତ୍ତୋଳନ କରାଯାଇଥିଲା। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଆଦିବାସୀମାନେ ପାରମ୍ପରିକ ବାଦ୍ୟ ନୃତ୍ୟ ସହ ଅସ୍ତ୍ର ଶସ୍ତ୍ରରେ ସଜ୍ଜିତ ହୋଇ କନ୍ଧ ସଂସ୍କୃତିର ବିଭିନ୍ନ ବିଭବ ପ୍ରଦର୍ଶିତ କରିଥିଲେ। ଆଦିବାସୀ କନ୍ଧଙ୍କ ବୀର ନାଦରେ ପ୍ରକମ୍ପିତ ହୋଇ ଉଠିଥିଲା ଗଗନ ପବନ। ମଧ୍ୟାହ୍ନରେ ଆରମ୍ଭ ହୋଇଥିଲା ଆଦିସ୍କନ୍ଧ ସମାଜର ବାର୍ଷିକ ଉତ୍ସବ। ବୀର କମଳ ମୈଦାନ ସଭାପତି ଅମର ସିଂ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଜିଲ୍ଲା ଆଦିବାସୀ ସଂଘ ସଭାପତି ପ୍ରକାଶ ମାଝୀ, ସମ୍ମାନିତ ଅତିଥି ଭାବେ ନର୍ଲା ବ୍ଲକ କନ୍ଧ ସମାଜ ସଭାପତି ଅନ୍ତରାମ ମାଝୀ, ନର୍ଲା ବ୍ଲକ ଆଦିବାସୀ ସଂଘ ସଭାପତି ହରିଶଙ୍କର ମାଝୀ, ଲାଞ୍ଜିଗଡ଼ ବ୍ଲକ କନ୍ଧ ସମାଜ ସଂଗଠକ ଟଙ୍କଧର ମାଝୀ, କର୍ଲାମୁଣ୍ଡା ବ୍ଲକ କନ୍ଧ ସମାଜ ସଭାପତି ଗୋବିନ୍ଦ ଭୋଇ, କଳାହାଣ୍ଡି ଜିଲ୍ଲାର ପାଟ ମାଝୀ ଯୁଧିଷ୍ଠି ପାଟ ମାଝୀ, ମାଝୀ ଦେଶ ପ୍ରଗଣା ସଭାପତି ଧିରେନ ମାଝୀ, କେସିଙ୍ଗା ବ୍ଲକ କନ୍ଧ ସମାଜ ଉପସଭାପତି କୃଷ୍ଣଚନ୍ଦ୍ର ମାଝୀ, ଗହଁକା ପ୍ରଗଣା ସଭାପତି ପରମେଶ୍ବର ମାଝୀ, ମଦନପୁର ରାମପୁର ବ୍ଲକ କନ୍ଧ ସମାଜ ଉପସଭାପତି ସାଧୁରାମ ଭୋଇ, ନର୍ଲା ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନି, ଗବେଷକ ଡୋଳାମଣି ମାଝୀ, ସୁଦର୍ଶନ ଭୋଇ, ଦିବ୍ୟ ସିଂ ଭୋଇ, ଯୁବ ସଂଗଠକ ଡୋଲାମଣି ମାଝୀ, ମିୟାଧର ମାଝୀ, ବିକ୍ରମ ମାଝୀ ପ୍ରମୁଖ ମଞ୍ଚାସୀନ ଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ, ୧୮୮୨ ମସିହା ମଇ ୨୦ ଆଜିର ଦିନରେ ଇଂରେଜ ସରକାରଙ୍କ ଦ୍ବାରା ଫାଶୀ ଦଣ୍ଡରେ ଦଣ୍ଡିତ ହୋଇଥିଲେ ଅସୁରଗଡ କନ୍ଧ ମେଳିର ନେତୃତ୍ବ ନେଇଥିବା ବୀର କମଳ ମାଝୀ ଓ ଏହା ସହ ୧୯ ଜଣ କନ୍ଧ ଓ ଜଣେ ଗଉଡ (ରେଖପୁର ଗୌନ୍ତିଆ ଜଗତ ଭୋଇ) ଙ୍କୁ କଳାପାଣି ଦଣ୍ଡାଦେଶ ଦେଇଥିଲେ ଇଂରେଜମାନେ। ଜାତି ସ୍ବାଭିମାନ ରକ୍ଷା କରିବାକୁ ପ୍ରାଣବଳୀ ଦେଇଥିଲେ ଏହି ବୀର ପୁରୁଷମାନେ। ଏମାନଙ୍କ ବଳିଦାନ ଦିବସକୁ ବିଗତ ୨୬ ବର୍ଷ ହେଲା ଏକତା ଦିବସ ରୂପେ ବୀର କମାଲ ମୈଦାନ କମିଟିର ଆୟୋଜନ କ୍ରମେ ପାଳନ କରିଆସୁଛି ଆଦିସ୍କନ୍ଧ ସମାଜ। ତେବେ ଆଜିର ଏହି ସମ୍ମିଳନୀ ଅବସରରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବିଇଓ ତପିମଣି ଜାନିଙ୍କୁ କମଲ ମାଝୀ ସୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା। ଶିକ୍ଷାବିତ୍ ତୁଳସୀ ଦାସ ମାଝୀ ଓ କନ୍ଧାନ କବି କ୍ଷିତିଶ ଚନ୍ଦ୍ର ମାଝୀ ମିଳିତ ଭାବରେ ମଞ୍ଚ ପରିଚାଳନା କରିଥିବାବେଳେ ବୀର କମଳ ମଇଦାନର ସାଧାରଣ ସଂପାଦକ ଦେବରାଜ ମାଝୀଙ୍କ ସମେତ ନୌକା ମାଝୀ, ବିଦୁ ମାଝୀ, ରାଜୁ ମାଝୀ, ୨୬ଟି ପଞ୍ଚାୟତର ସଭାପତି, କାର୍ଯ୍ୟକର୍ତ୍ତା ଓ ସମାଜର ବିଶିଷ୍ଟ ବ୍ୟକ୍ତିମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.