ତାରା ତାରିଣୀ ମନ୍ଦିର ତଳ ସିଂହଦ୍ୱାର ହୁଣ୍ଡି ଭାଙ୍ଗି ପୁଣିଥରେ ଚୋରି ଉଦ୍ୟମ

ପ୍ରଶାସନ ବିହିତ ପଦକ୍ଷେପ ନେବାକୁ ଭକ୍ତଙ୍କ ଦାବି 

ଓଡ଼ିଆ ବାର୍ତ୍ତା/ ପୁରୁଷୋତ୍ତମପୁର (ପ୍ରସନ୍ନ କୁମାର ଦାଶ): ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ତାରା ତାରିଣୀ ପୀଠର ହୁଣ୍ଡି ଭାଙ୍ଗି ପୁଣିଥରେ ଚୋରୀ ଉଦ୍ୟମ ହୋଇଛି। ଗତକାଲି ରାତ୍ରରେ ଦୁର୍ବୃତ୍ତମାନେ  ତାରା ତାରିଣୀ ମନ୍ଦିର ସିଂହଦ୍ୱାର ତଳ ହୁଣ୍ଡିରୁ ଚୋରୀ ଉଦ୍ୟମ କରିଛନ୍ତି। ସେମାନେ ହୁଣ୍ଡିକୁ ଲାଗିଥିବା ଗ୍ରିଲ ଡୋରଟିକୁ ଭାଙ୍ଗି ଦେଇଛନ୍ତି, କିନ୍ତୁ ହୁଣ୍ଡିର ଚାବିକୁ ଭାଙ୍ଗି ପାରି ନାହାନ୍ତି। ତେବେ ଏକ ମାସ ମଧ୍ୟରେ ଏହା ହେଉଛି ୨ଥର ଚୋରୀ ଉଦ୍ୟମ। ଗତ ମାସ ଚୈତ୍ର ମାସ ୫ମ ପାଳି ମଙ୍ଗଳ ବାର ଯାତ୍ରା ସରିଲା ପରେ ଅପ୍ରେଲ ୨୪ ତାରିଖ ବିଳମ୍ବିତ ରାତ୍ରରେ ମନ୍ଦିର ତଳ ସିଂହଦ୍ୱାର ହୁଣ୍ଡି ଭାଙ୍ଗି ଟଙ୍କା ଚୋରୀ ପାଇଁ ଉଦ୍ୟମ କରୁଥିଲା ବେଳେ କିଛି ଲୋକଙ୍କ ପାଟି ଶବ୍ଦ ଶୁଣି ଚୋରମାନେ ପଲେଇ ଯାଇଥିଲେ।  ତେବେ ପୁଣିଥରେ ଚୋରମାନେ ସେହି ଉଦ୍ୟମ କରିଛନ୍ତି। ସକାଳେ କିଛି ଲୋକ ଘଟଣା ସଂପର୍କରେ ପୁରୁଷୋତ୍ତମପୁର ଥାନାକୁ ଖବର ଦେଇଥିଲେ। ଖବର ପାଇ ଥାନା ଅଧିକାରୀ ବିପିନ ବିହାରୀ ହୋତା ଏବଂ ଷ୍ଟାଫ ମନ୍ଦିର ତଳ ସିଂହଦ୍ୱାରକୁ ଯାଇ ତଦନ୍ତ କରି କିଛି ଲୋକଙ୍କୁ ପଚରା, ପଚାରି କରି ଫେରି ଯାଇଛନ୍ତି। ତେଣୁ ପୋଲିସ ଅଧିକାରୀ, ଏସଫ଼ିପିଓ, ମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ହୁଣ୍ଡିର ସୁରକ୍ଷା ଉପରେ ଗୁରୁତ୍ୱ ଦେବାସହ ଚୋର ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭକ୍ତମାନେ ଦାବି କରିଛନ୍ତି। ତେବେ ଘଟଣା ସଂପର୍କରେ ମତାମତ ନେବାପାଇଁ ମନ୍ଦିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଟିକେ ରେଡିଙ୍କ ସହ ଯୋଗାଯୋଗ କରିଥିଲେ ମଧ୍ୟ ଯୋଗାଯୋଗ ସମ୍ଭବ ହୋଇ ପାରି ନାହିଁ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.